ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାଜଧାନୀ ଭୁବନେଶ୍ଵର ସ୍ଥିତ ଲୋକସେବା ଭବନ ଠାରେ ଚିଲିକାର ପୁନର୍ବିକାଶ ଓ ଉନ୍ନତିକରଣ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷତା କରି ବିଭିନ୍ନ ଦିଗ ଉପରେ ବିଶଦ ଆଲୋଚନା କରାଗଲା । ଏହି ବୈଠକରେ ଚିଲିକା ପୁନର୍ବିକାଶ ଓ ଜୀବଜନ୍ତୁ ସଂରକ୍ଷଣ ପାଇଁ ଆଗାମୀ କେନ୍ଦ୍ରୀୟ ବଜେଟ୍ରେ ନିର୍ଦ୍ଦିଷ୍ଟ ବିଶେଷ ଅନୁଦାନ ମଞ୍ଜୁରିକରଣ ସମ୍ବନ୍ଧରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନିକଟକୁ ଏକ ବିସ୍ତୃତ ସ୍ମାରକପତ୍ର ଦାଖଲ ଏବଂ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତି ପାଇଁ ଆଇ.ଆଇ.ଟି. ଚେନ୍ନାଇର ବିଶେଷଜ୍ଞ ଦଳଙ୍କ ସହ ପରାମର୍ଶ କରିବା ପ୍ରକ୍ରିୟା ସମ୍ଵନ୍ଧରେ ବିଶଦ ଆଲୋଚନା ହୋଇଥିଲା । ଚିଲିକାରେ ପଙ୍କ, ଦଳ, ଲଟା ଆଦି ବୃଦ୍ଧି ପାଉଛି, ଫଳରେ ପୋତି ହୋଇ ଆସିଥିବା ଚିଲିକା ହ୍ରଦର ମୂଳ କ୍ଷେତ୍ରଫଳ ପ୍ରାୟ ୩୦ % ପର୍ଯ୍ୟନ୍ତ କମିବାରେ ଲାଗିଛି । ହ୍ରଦର ପ୍ରାକୃତିକ ଜଳଗତି ରକ୍ଷା ପାଇଁ ସମୁଦ୍ର ମୁହଁ ଖୋଲା ରଖିବା ଏବଂ ପର୍ଯ୍ୟାୟକ୍ରମେ ଡ୍ରେଜିଂ କାର୍ଯ୍ୟ ଜାରି ରହିବ ତତ୍ ସହିତ ଆଧୁନିକ ଗୋଦାମ, କୋଲ୍ଡ ଷ୍ଟୋରେଜ୍, କୋଲ୍ଡ ଚେନ୍ ଯାନବାହନ ବ୍ୟବସ୍ଥା ସହିତ ଫିସ୍-ଲ୍ୟାଣ୍ଡିଂ ସେଣ୍ଟର ବିକାଶକୁ ସମନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ମାଛ ଧରାଳି ପରିବାର ମାନଙ୍କ ପାଇଁ କୌଶଳ କେନ୍ଦ୍ର, ମାଛ ଧରାଳିଙ୍କ ଆୟ ବୃଦ୍ଧି ପ୍ରସ୍ତାବ, ମୂଲ୍ୟ ବୃଦ୍ଧି ପାଇଁ ପ୍ରଶିକ୍ଷଣ ମଡେଲ ଗଠନ ସମ୍ପର୍କରେ ତଥା ସମନ୍ୱିତ ବିକାଶ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ପର୍ଯ୍ୟଟନ ଓ ସଂଯୋଗ ନିମନ୍ତେ ପରିବେଶ-ମିତ୍ର କ୍ରୁଜ୍, କାଳିଜାଈ ପୀଠରେ ସୌର ଆଲୋକ ବ୍ୟବସ୍ଥା, ସାତପଡା ସହ ରାସ୍ତା ସଂଯୋଗ ଏବଂ ଇକୋ-ଫ୍ରେଣ୍ଡଲି ହାଉସବୋଟ୍, ସି-ପ୍ଲେନ୍ ପ୍ରଚଳନ ପ୍ରସ୍ତାବ ନିମନ୍ତେ ବିଶଦ ଆଲୋଚନା କରାଗଲା । ଆଗାମୀ ତିନି ଦିନ ମଧ୍ୟରେ ବନ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀଙ୍କ ସହ ଆଲୋଚନା କରି, ଆଇ.ଆଇ.ଟି. ଚେନ୍ନାଇର ବିଶେଷଜ୍ଞ ଦଳଙ୍କ ସହ ପ୍ରାରମ୍ଭିକ ପ୍ରକଳ୍ପ ପ୍ରସ୍ତାବର ରୂପରେଖ ଉପରେ ଆଲୋଚନା କରିବାକୁ ନିଷ୍ପତ୍ତି ଗ୍ରହଣ ନିଆଯାଇଛି । ଏହି ବୈଠକରେ ପୁରୀ ଲୋକସଭା ସାଂସଦ ଡ଼ଃ. ସମ୍ବିତ ପାତ୍ର, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଜଙ୍ଗଲ, ପରିବେଶ ଏବଂ ବନ୍ୟପ୍ରାଣୀର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ପ୍ରେମ କୁମାର ଝା, ଚ଼ିଲିକା ଉନ୍ନୟନ କର୍ତ୍ତୃପକ୍ଷ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏମ୍.ଯୋଗଜୟାନନ୍ଦ, ଚିଲିକା ବନ୍ୟପ୍ରାଣୀ ବନଖଣ୍ଡର ଡ଼ିଏଫଓ ଅମ୍ଳାନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।