ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ରହିଥିବା ଜୁନାଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମସ୍ୟା ସମାଧାନ ନ ହେବାରୁ ଶନିବାର ଅଭିଭାବକ ମଧ୍ୟରେ ଦେଖା ଦେଇଛି ଉତ୍ତେଜନା । ବିଦ୍ୟାଳୟ ପରିଦର୍ଶନରେ ଆସିଥିବା ସିଆରସିସି ପ୍ରଫୁଲ୍ଲ କୁମାର ସାହୁଙ୍କୁ ଅଭିଭାବକମାନେ ୪ ଘଣ୍ଟା ଘେରାଉ କରି ଅଟକ ରଖିଥିଲେ । ବ୍ଲକ ଶିକ୍ଷାଧିକାରୀ ମହେଶ୍ୱର ମାଝୀ ସୋମବାର ଦିନ ଜଣେ ଶିକ୍ଷକଙ୍କୁ ପଠାଇବା ପାଇଁ ପ୍ରତିଶୃତି ଦେବାପରେ ଅଭିଭାବକମାନେ ଶାନ୍ତ ପଡ଼ିଥିଲେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜୁନାଗାଁ ବିଦ୍ୟାଳୟରେ । ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୮ଟି ଶ୍ରେଣୀରେ ୯୦ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ମାତ୍ର ୩ ଜଣ ଶିକ୍ଷକ ରହିଛନ୍ତି । ସେଥି ମଧ୍ୟରୁ ପ୍ରଧାନ ଶିକ୍ଷକ ମାର୍କ ଦିଗାଲ ଅଫିସ କାର୍ଯ୍ୟରୁ ଫୁରସତ୍ ନଥିବାରୁ ପିଲାଙ୍କୁ ପାଠ ପଢ଼ାଇ ପାରୁନଥିବା କହିଛନ୍ତି । ସହକାରୀ ଶିକ୍ଷକ ପ୍ରଦୀପ୍ତ ବିଶ୍ଵାଳ ଆଉ ତିନି ମାସ ପରେ ଅବସର ନେବା ବୟସ ଥିବାରୁ ସେ ଛୁଟିରେ ଚାଲିଯାଇଛନ୍ତି । କେବଳ ସନାତନ ଅମାୟତ ଜଣେ ଶିକ୍ଷକ ୮ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢ଼ାଉଛନ୍ତି । ସେଥି ମଧ୍ୟରୁ ଯାହାକୁ ନେଇ ବିଦ୍ୟାଳୟରେ ଠିକ ଭାବେ ପାଠ ପଢାଯାଉ ନାହିଁ । ପିଲା ମାନେ ୫ମ ଶ୍ରେଣୀ ପାଠ ପଢୁଥିବା ବେଳେ ସେମାନଙ୍କୁ ଠିକ ସେ ଲେଖି ପଢ଼ି ଆସୁନଥିବା ଅଭିଭାବକମାନେ ଅଭିଯୋଗ କରି ଆସୁଛନ୍ତି । କିଛି ଦିନ ପୂର୍ବେ ଶିକ୍ଷକ ଅଭାବ ନେଇ ଅଭିଭାବକମାନେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ଅଭିଯୋଗ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଶିକ୍ଷକ ଅଭାବ ଦୂର ହୋଇ ନାହିଁ ଯାହା ଫଳରେ ଅଭିଭାବକମାନେ ଆଜି ଚରମ ନିଷ୍ପତି ନେଇଥିଲେ । ସୂଚନା ଅନୁଯାୟୀ ପୂର୍ବରୁ ଏଠାରେ ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ମଲ୍ଲିକ ଓ ପୁସ୍ପିତା ଦାସଙ୍କୁ ଗଞ୍ଜୁପଡ଼ି ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବାଲିଗୁଡ଼ାକୁ ଡେପୁଟେସନରେ ଯାଇଥିବା ବେଳ ପ୍ରଶାନ୍ତ ବେହେରା ବାଟାଗୁଡା ପଞ୍ଚାୟତର ସିଆର୍ସିସି ଭାବେ କାର୍ଯ୍ୟ କରୁଛନ୍ତି ଯାହା ଫଳରେ ଏଭଳି ଶିକ୍ଷକ ସମସ୍ୟା ଦେଇଛି ।
Prev Post
Next Post