ପଦ୍ମପୁର, (ନୀରୋଜ କୁମାର ପାଣୀ) : ସ୍ଥାନୀୟ ରାଜ ବୋଡ଼ାସମ୍ବର ଖେଳ ପଡିଆଠାରେ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ କବାଡି ପ୍ରତିଯୋଗିତା ୨୦୨୫ ଉଦଯାପିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ କୁମାର ପୁରୋହିତ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ । ଏହି ସଭାରେ ରାଜବୋଡ଼ାସମ୍ବର ବ୍ଲକ ଶିକ୍ଷାଅଧିକାରୀ ଲୋକନାଥ ଭୋଇ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରାଲମ୍ବ ପ୍ରସାଦ ପଟେଲ, ସରକାରୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପହଣ୍ଡି ବିଜୟ ମେହେର, ପାଇକମାଲ ବ୍ଲକ ଶିକ୍ଷା ଅଧିକାରୀ ଅଦନ ସୁନା, ଜିଲ୍ଲା ଶାରୀରିକ ଶିକ୍ଷାଅଧିକାରୀ ଜ୍ୟୋତିଷ ଚନ୍ଦ୍ର ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ । ପ୍ରଥମେ ଶ୍ରୀ ଗଣେଶ ଓ ମା ସରସ୍ଵତୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ମୁଖ୍ୟ ଅତିଥିଙ୍କ ଦ୍ଵାରା ଦ୍ଵୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଆସନ୍ତା ଶିକ୍ଷା ବର୍ଷରୁ ଲାଗୁ ହେବାକୁ ଥିବା ନୂତନ ଶିକ୍ଷା ନୀତି ୨୦୨୦ ଅନୁସାରେ ଖେଳ ଓ ଶାରୀରିକ ଶିକ୍ଷା ବିଦ୍ୟାଳୟ ସ୍ତରରେ କିପରି ଉପଯୋଗୀ ତାହା ଜିଲ୍ଲା ଶିକ୍ଷା ଅଧିକାରୀ ତାଙ୍କର ଅଭିଭାଷଣରେ କହିଥିଲେ । ସାଂସଦ ଖେଳ ଶିକ୍ଷାର ଗୁରୁତ୍ଵ ଉପରେ ତାଙ୍କର ଅଭିମତ ରଖିବା ସହ ସମସ୍ତ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବ୍ୟାଣ୍ଡ, ବରିକେଲ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରାଦୁଲ୍ ଦୁଲି ବାଜା ଓ ଲୋକନୃତ୍ୟ ସହ ସମସ୍ତ ଅତିଥିମାନଙ୍କୁ ଭବ୍ୟ ସ୍ଵାଗତ କରିଥିଲେ । ପରେ ମୁଖ୍ୟଅତିଥିଙ୍କ ଦ୍ଵାରା ଜିଲ୍ଲା କ୍ରୀଡ଼ା ପତାକା ଅବତରଣ କରାଯାଇଥିଲା । ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରମାନଙ୍କ ଦ୍ୱାରା ପରିବେଷିତ ଘୋଷ ବାଦ୍ୟର ତାଳେ ତାଳେ ସମସ୍ତ ବ୍ଲକରୁ ଆସିଥିବା ଖେଳାଳୀମାନେ ଜମ୍ବୁଲ ମାର୍ଚ ପାଷ୍ଟ କରିଥିଲେ । ଏହାକୁ ବ୍ଲକ କ୍ରୀଡା ସମ୍ପାଦକ ହରେକୃଷ୍ଣ ମେହେର ଓ ଟାଉନ ହାଇସ୍କୁଲ ପଦ୍ମପୁରର ଖେଳ ଶିକ୍ଷକ ଚନ୍ଦ୍ରମଣି ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମ୍ପାଦିତ ହୋଇଥିଲା । ସମସ୍ତ ସଭାକାର୍ଯ୍ୟକୁ ସଂଯୋଜନା କରିଥିଲେ ରାଜେଶ ଖମାରୀ ଓ ଅଭିଳାଷ ସାହୁ । ଚଉଦ ବର୍ଷ ବାଳକ ବର୍ଗରେ ପାଇକମାଲ ବ୍ଲକ ଚାମ୍ପିଅନ ଓ ସୋହେଲା ବ୍ଲକ ରନର୍ସଅପ୍ ଏବଂ ସତର ବର୍ଷ ବାଳକ ବର୍ଗରେ ଝାରବନ୍ଧ ବ୍ଲକ ଚାମ୍ପିଅନ ଓ ପଦମପୁର ବ୍ଲକ ରନର୍ସଅପ୍ ହୋଇ ମୁଖ୍ୟ ଅତିଥିଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିଲେ । ଏହି ଅବସରରେ ରାଜ୍ୟ ସ୍ତରୀୟ ସୁରଭି ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ପ୍ରତ୍ୟୁଷ ମିଶ୍ରଙ୍କୁ ସମ୍ମାନୀତ କରାଯାଇଥିଲା । ତିନି ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବ୍ଲକର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସମସ୍ତ ଖେଳ ଶିକ୍ଷକ ସହଯୋଗ କରିଥିଲେ ।