ତୁରେକେଲା ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫ ଅନୁଷ୍ଠିତ

-ସଫଳ ମତ୍ସ୍ୟ ଓ ପ୍ରାଣୀ ଚାଷୀଙ୍କୁ ସମ୍ବର୍ଦ୍ଧିତ
-ଚାଷୀ ସଶକ୍ତ ହେଲେ ହିଁ ଭାରତର ବିକାଶ ସମ୍ଭବ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫ ତୁରେକେଲା ସରକାରୀ ହାଇସ୍କୁଲ ଖେଳ ପଡିଆରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟକ୍ରମର ପ୍ରଦର୍ଶନୀ, ଚାଷୀ ବିଶେଷଜ୍ଞ ଆଲୋଚନା, ସଚେତନତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ମେଳାରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥୀଭାବେ ଯୋଗ ଦେଇ ମେଳାକୁ ଉଦ୍ଘାଟନ କରିଥିଲେ । ଉଦ୍ଘାଟନ ପରେ ପ୍ରଦର୍ଶନୀରେ ଥିବା ଗୋରୁ ମାତାଙ୍କୁ ପୂଜା ଅର୍ଚ୍ଚନା କରି ପରେ ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ସଭାରେ ମୁଖ୍ୟ ଅତିଥୀ ଶ୍ରୀ ବାଗ ପ୍ରାଣୀ ପାଳକ, ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହୋଇ ସ୍ୱାବଲମ୍ବି ହୋଇପାରିବେ ବୋଲି ଉତ୍ସାହିତ କରିଥିଲେ । ତୁରେକେଲା ବ୍ଲକର ସଫଳ ବିଭିନ୍ନ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଚାଷୀଙ୍କୁ ମାନପତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । କନ୍ଦବାହାଲ ଗ୍ରାମର ଗୋପାଳନ ପାଇଁ ମିନାକ୍ଷୀ ଦଣ୍ଡସେନା, ରାଉତମୁଣ୍ଡାର ଶ୍ରେଷ୍ଠ ଛେଳି ପାଳକ ଭାବେ ସୁଶାନ୍ତ କୁମାର ଭୋଇ, କୁକୁଡା ପାଳନ ପାଇଁ ମହୁଲବାହାଲିର ହେମାବତୀ ମେହେର, ଘାସ ଚାଷ ପାଇଁ ଟିକ୍ରାପଡାର ବିହାରିଲାଲ ପୁଟେଲ, ଜୈବ ପୁଞ୍ଜ ପାଇଁ ବଡବାଙ୍କିର ଗଫୁର ଧରୁଆ, ମତ୍ସ୍ୟ ପୋଖରୀ ପାଇଁ କମେଇମୁଣ୍ଡାର ଭୂମିସୂତା ମାଝି, ମାଛ ଯାଆଁଳା ପାଇଁ ମହୁଲବାହାଲିର ମମତା ମେହେର, ମାଛ ଚାଷ ପାଇଁ ଝରଣିର ମାଁ ପାଟଣେଶ୍ୱରୀ ସ୍ୱଂୟ ସହାୟକ ଦଳକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ମେଳାରେ ଅନ୍ୟ ଅତିଥୀମାନଙ୍କ ମଧ୍ୟରେ ତୁରେକେଲା ବ୍ଲକ ଉପାଧ୍ୟକ୍ଷା ଧନମତୀ ଖୁରା, ସରପଂଚ ସଂଘ ସଭାପତି ତଥା ସରପଂଚ ଜଳନ୍ଧର ମହାକୁଡ, ଜିଲ୍ଲା ପରିଷଦ ଯୋନ ସଭ୍ୟ କୌଶିକ ମେହେର, ସାଂସଦ ପ୍ରତିନିଧି ଅକ୍ଷୟ ମେହେର, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଟିଟିଲାଗଡ ଡ. ସୁବେନ୍ଧୁ ସୁଧା ଷଡଙ୍ଗୀ, ତୁରେକେଲା ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ପ୍ରତାପ କୁମାର ପ୍ରଧାନ ମଂଚାସୀନ ଥିଲେ । ସଭାକୁ ତୁରେକେଲା ବିଭିଓ ଶ୍ରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଡ. ମୌସମୀ ବର୍ଷା ବନାନି ମାଝି ପରିଚାଳନା କରିଥିଲେ । ଏହି ମେଳାକୁ ସମସ୍ତ କର୍ମଚାରୀ ଓ ଚାଷୀ ସହଯୋଗ କରିଥିବାବେଳେ ସଭାକୁ ତୁରେକେଲା ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ଓମ ରଣା ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ ।

Leave A Reply

Your email address will not be published.