ଜୟପାଟଣା, (ଶେଷଦେବ ବେହେରା) : ଭାରତୀୟ ରେଡ଼କ୍ରସ ସୋସାଇଟି ଓଡିଶା ଶାଖା ଆନୁକୂଲ୍ୟରେ ଯୁବ ରେଡ଼କ୍ରସ କଳାହାଣ୍ଡି ତରଫରୁ ଯୁବ ରେଡ଼କ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର, ଜୟପାଟଣା ଇନ୍ଦ୍ରାବତୀ ଡିଗ୍ରୀ ମହାବିଦ୍ୟାଳୟ ଠାରେ ତିନିଦିନ ବ୍ୟାପି ସମାରୋହର ସହ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ବୈଦ୍ୟନାଥ ପାଢ଼ୀଙ୍କ ଆହ୍ୱାନ କ୍ରମେ ଧର୍ମଗଡ ଉପଖଣ୍ଡ ର ୪୨ଗୋଟି ମହାବିଦ୍ୟାଳୟ ମାନଙ୍କରୁ ୧୩୫ ଜଣ ଛାତ୍ରଛାତ୍ରୀଙ୍କ ସହ ଉକ୍ତ ମହାବିଦ୍ୟାଳୟ ମାନଙ୍କର ରେଡ଼କ୍ରସ କନଭେନର, ସ୍ୱେଚ୍ଛାସେବୀ, ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥିମାନେ ଯୋଗ ଦେଇଥିଲେ । ଇନ୍ଦ୍ରାବତୀ ଡିଗ୍ରୀ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ଗଣିତ ଅଧ୍ୟାପକ ବିଧାନ ଚନ୍ଦ୍ର ବେହେରାଙ୍କ ଦ୍ଵାରା ରେଡ଼କ୍ରସ ପତାକା ଉତ୍ତୋଳନ ହେବା ପରେ ଆୟୋଜିତ ଶୁଭ ଉଦ୍ଘାଟନ ଶିବିରର ସଭାପତି ଅଧ୍ୟାପକ ବିଧାନ ଚନ୍ଦ୍ର ବେହେରା, ମୁଖ୍ୟ ଅତିଥି ଭାବେ ରମେଶ ଚନ୍ଦ୍ର ବେହେରା ଭୁବନେଶ୍ୱର, ମୁଖ୍ୟବକ୍ତା ଭାବେ ମାଣିକେଶ୍ୱରୀ ବିଶ୍ୱ ବିଦ୍ୟାଳୟର କୁଳପତି ନିବେଦିତା ନାଥ, ସମ୍ମାନିତ ଅତିଥି ଭାବେ ଜିଲ୍ଲାସଂଯୋଜକ ଶାନ୍ତନୁ କୁମାର ପରିଡା, ଜିଲ୍ଲା ରେଡ଼କ୍ରସ ସମ୍ପାଦକ ସଂଜୀବ କୁମାର ସାହୁ ଯୋଗଦେଇ ରେଡ଼କ୍ରସ ପ୍ରତିଷ୍ଠାତା ହେନେରୀ ଡୁନାଣ୍ଡଙ୍କ ଜନହିତକର ପଦକ୍ଷେପକୁ ସ୍ୱାଗତ କରିଥିଲେ । ଏହି ଅବସରରେ ରେଡ଼କ୍ରସ ଆଜୀବନ ସଦସ୍ୟ, ଯୁବରେଡ଼କ୍ରସ ଓ ବନ୍ଧୁତ୍ୱ ଉପରେ ବିଶେଷ ଭାବେ ଆଲୋକପାତ କରିଥିଲେ । ଶିକ୍ଷା, ପ୍ରଶିକ୍ଷଣ, ସେବା, ସ୍ୱଚ୍ଛତା, ବନ୍ଧୁତ୍ୱକୁ ନେଇ ଏହି କାର୍ଯ୍ୟକ୍ରମ ପାଳିତ ହୋଇଥିଲା । ତିନିଦିନ ଧରି ଡିଗ୍ରୀ ମହାବିଦ୍ୟାଳୟ ତରଫରୁ ରହିବା, ଖାଇବା, ସୁବନ୍ଦୋବସ୍ତ ହୋଇପାରିଥିଲା । କୌଣସି ଛାତ୍ରଛାତ୍ରୀ, ଅତିଥି, ସହଯୋଗୀ ମାନଙ୍କୁ ଯେପରି ଅସୁବିଧା ନ ହୁଏ, ସେଥିପ୍ରତି ବିଶେଷ ଧ୍ୟାନ ଏବଂ ସେବା ଯୋଗେଇ ଦିଆଯାଇଥିଲା । ଦ୍ଵିତୀୟ ଦିବସରେ ଯୁବ ରେଡ଼କ୍ରସ ଦ୍ଵାରା ମୂଖିଗୁଡା ଜଗନ୍ନାଥ ମନ୍ଦିର ପରିସର ଅଞ୍ଚଳକୁ ସଫା ସୁତୁରା କରାଯାଇଥିଲା । ବିଭିନ୍ନ ପ୍ରକାର ପ୍ରତିଯୋଗିତା ସହ, ଶିକ୍ଷା, ଦୀକ୍ଷା, ସହଯୋଗ, ଭାଇଚାରା, ରକ୍ତଦାନ, ଉପରେ ଶିକ୍ଷା ସହ ପ୍ରଶିକ୍ଷଣ ହୋଇଯାଇଥିବାବେଳେ ରେଡ଼କ୍ରସ ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୨୯ ୟୁନିଟ ରକ୍ତ ଦାନ କରିଥିଲେ । ଉଦଯାପନୀ ଉତ୍ସବ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବୈଦ୍ୟନାଥ ପାଢ଼ୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ମୁଖ୍ୟବକ୍ତା ଭାବେ ଅଂଚଳର ବରିଷ୍ଠ ସାମ୍ବାଦିକ ଶେଷ ଦେବ ବେହେରା, ସମ୍ମାନିତ ଅତିଥି ଭାବେ ଆବାହକ ରେଡ଼କ୍ରସ କଳାହାଣ୍ଡି ସଂଜୀବ କୁମାର ସାହୁ, ସମ୍ପାଦକ ଶାନ୍ତନୁ କୁମାର ପରିଡା, ଯୁବ ରେଡ଼କ୍ରସ ପରାମର୍ଶଦାତା ତଥା ଇଂରାଜୀ ଅଧ୍ୟାପକ ମାନସ ରଞ୍ଜନ ପଣ୍ଡା, ଯୋଗଦେଇ, ସାହାଯ୍ୟ, ସେବା, ଏବଂ ବନ୍ଧୁତ୍ୱ ଉପରେ ମର୍ମ ସ୍ପର୍ଶି ବକୃତା ପ୍ରଦାନ କରିଥିଲେ । ବିଚାରକଙ୍କ ମୂଲ୍ୟାଙ୍କନକୁ ଆଧାର କରି କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ, ସହଯୋଗୀ, ସ୍ୱେଚ୍ଛାସେବୀ, ମାନେ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ । ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ମାନଙ୍କ ସକ୍ରିୟ ସହଯୋଗ ପ୍ରତ୍ୟେକ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେଇପାରିଥିବାବେଳେ ପରିଦର୍ଶିତ ମନୋରଞ୍ଜନ କାର୍ଯ୍ୟକ୍ରମ ସମସ୍ତଙ୍କୁ ଆନନ୍ଦ ଯୋଗାଇ ଦେଇଥିଲା । ଇତିହାସ ଅଧ୍ୟାପକ ସାକେତ ବିହାରୀ ବେହେରା ଅତିଥି ପରିଚୟ, ମଞ୍ଚ ପରିଚାଳନା କରିଥିବାବେଳେ, ଇଂରାଜୀ ଅଧ୍ୟାପକ ମାନସରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
Next Post