ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଧାନମନ୍ତ୍ରୀ ଉଷା ଯୋଜନା ଅନ୍ତର୍ଗତ ମାନବିକତା ଆଗାମୀ ଦିନର ଲକ୍ଷ୍ୟ ଓ ଚାଲେଞ୍ଜ ଉପରେ ଏକ ତ୍ରିଦିବସୀୟ ଜାତୀୟ ଆଲୋଚନାଚକ୍ର ମ୍ୟୁନିସିପାଲ ମହାବିଦ୍ୟାଳୟ ଠାରେ ଆରମ୍ଭ ହୋଇଛି । ଅଧ୍ୟକ୍ଷ ପ୍ରଫେସର ହରିହର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି, ପ୍ରାକ୍ତନ ଅଧ୍ୟକ୍ଷ ଡ. ସନାତନ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାନବିକତାର ଆଭିମୁଖ୍ୟ, ଲକ୍ଷ୍ୟ ଓ ଆଗାମୀ ଦିନ ପାଇଁ ଏହା କିପରି ବଜାୟ ରହିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ିଆ, ଇଂରାଜୀ, ହିନ୍ଦୀ ଓ ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ କହିଲେ ଯେ ଏହି କାର୍ଯ୍ୟକ୍ରମ ମାନବିକତାର ବାର୍ତ୍ତା ବହନ କରିବ, ତେଣୁ ଏହାକୁ ଆମ ଭିତରେ ସୀମିତ ନରଖି ଚତୁଃପାର୍ଶ୍ଵରେ ବାଣ୍ଟିବାକୁ ହେବ ଓ ଏଥିପାଇଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନେତୃତ୍ୱର ବିକାଶ ହେବା ଦରକାର । ସମ୍ମାନିତ ଅତିଥି ଡ. ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଲେ ଯେ ସମାଜ ପ୍ରତି କୃତଜ୍ଞତା ହେଉଛି ମାନବିକ ଧର୍ମ । ବିଶ୍ୱ, ସମସ୍ତ ପ୍ରାଣୀ ଆମର ଉଦାର ହେବା ହିଁ ମାନବିକତା । ଏକ ସୁସ୍ଥ ସମାଜ ଗଠନ କରିବା, ବିଶ୍ୱ ଶାନ୍ତି ପାଇଁ ପ୍ରଥମେ ମୁଁ ପାଖରୁ ଆରମ୍ଭ କରିବାକୁ ହେବ । ଉପଯୁକ୍ତ ଶିକ୍ଷା ବ୍ୟବସ୍ଥା, ଭାବନାତ୍ମକ ଦୃଷ୍ଟିରୁ ଆମେ ସମସ୍ତେ ଏକ ଭାବ ତିଆରି କରିପାରିଲେ ଆଗାମୀ ଦିନରେ ଆହ୍ୱାନକୁ ଗ୍ରହଣ କରିପାରିବା । ଅଧ୍ୟାପିକା ଚନ୍ଦ୍ରଲେଖା ପଣ୍ଡା ମଞ୍ଚ ସଂଯୋଜନା କରିଥିବା ବେଳେ ବରିଷ୍ଠ ଅଧ୍ୟାପିକା ବିଜୟଲକ୍ଷ୍ମୀ ଦେଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ ।