ଜିଲ୍ଲା ବନଖଣ୍ଡ ବିଭାଗ ପକ୍ଷରୁ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ -୨ର ସମୀକ୍ଷା ବୈଠକ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ଜିଲ୍ଲା ବନଖଣ୍ଡ ବିଭାଗ ପକ୍ଷରୁ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ -୨ର ସମୀକ୍ଷା ବୈଠକ ୨୦୨୪-୨୫ ବନଖଣ୍ଡ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲର ସୁରକ୍ଷା ଓ ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର ଲକ୍ଷ୍ୟ ନେଇ ଖଣ୍ଡିୟ ପରିଚାଳନା ଏକକ ଦ୍ୱାରା ଆୟୋଜିତ ଏହି ସମୀକ୍ଷା ବୈଠକରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଯୋଗ ଦେଇଥିଲେ । ସେ ପ୍ରଥମେ ନିଜ ଗାଁ ଠୁ ପରିବର୍ତ୍ତନର କଥା ମୁଁ ଚିନ୍ତା କରେ ବୋଲି ଅନେକ ଉଦାହରଣ ଦେଇ ପରସ୍ପର ଭାଗିଦାରୀରେ ହିଁ ଜଙ୍ଗଲ ସୁରକ୍ଷା ସମ୍ଭବ ବୋଲି ଏବଂ ଆପଣ ଯଦି ଜୀବନଟିଏ ଚାହୁଁଛନ୍ତି, ସ୍ୱାବଲମ୍ବୀ ହେବାକୁ ଚାହୁଁଛନ୍ତି, ଶାନ୍ତି ଚାହୁଁଛନ୍ତି ତା ହେଲେ ଗଛଟିଏ ଲଗାଇବାକୁ କହିଥିଲେ ମୁଖ୍ୟ ଅତିଥି ଜିଲ୍ଲାପାଳ ଡ. ସାହୁ କହିଥିଲେ । ଜିଲ୍ଲାରେ ୧ ଲକ୍ଷ ୪୦ ହଜାର ହିତାଧିକାରୀ ଲାଭ ଉଠାଇ ଥିବା ବିଷୟ ପ୍ରକାଶ କରି ବିଭାଗକୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବରେ ଜିଲ୍ଲା ବନଖଣ୍ଡ ଅଧିକାରୀ ମଦନ ଲାଲ୍ ଶର୍ମା ଯୋଗଦେଇ ସୁବର୍ଣ୍ଣପୁର ଜିଲ୍ଲାରେ ପାଞ୍ଚ ଗୋଟି ବ୍ଲକର ୮୪ ଗୋଟି ବନ ସୁରକ୍ଷା ସମିତିକୁ ବିଭାଗର ବିଭିନ୍ନ ପ୍ରକଳ୍ପରେ ସାମିଲ୍ କରାଯାଇଛି ବୋଲି ମତ ରଖି ଜଙ୍ଗଲର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଲୋକଙ୍କ ଜୀବନ ଜୀବିକା ବୃଦ୍ଧି ପାଇଁ ଆୟ ବହିର୍ଭୁତ କାର୍ଯ୍ୟ ପାଇଁ ୧ କୋଟି ୨୦ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି ବୋଲି ମତ ଦେଇଥିଲେ । ସୋନପୁର ବ୍ଲକର ମାଝୀମୁଣ୍ଡା, ଝାଙ୍କରପାଲି ଓ ବିନିକା ବ୍ଳକର ସାହାଜବାହାଲ, ନକଟାମୁଣ୍ଡା ଓ ଉଲୁଣ୍ଡା ବ୍ଳକର ବାଘପାଲି, ରଡ଼ିଆପାଲି ବନ ସୁରକ୍ଷା ସମିତି ଉତ୍ସର୍ଗୀକୃତ କାର୍ଯ୍ୟ କରୁଥିବା ବିଷୟ ଉଦାହରଣ ଦେଇ ଉପସ୍ଥିତ ସମସ୍ତ ବନ ସୁରକ୍ଷା ସମିତି ସଦସ୍ୟ ଓ ବିଭାଗୀୟ କର୍ମଚାରୀଙ୍କୁ ଶ୍ରୀ ଶର୍ମା ପ୍ରେରଣା ଦେଇଥିଲେ । ୨୦୧୮ ମସିହାରେ ଜିଲ୍ଲାରେ ଜଙ୍ଗଲର ସ୍ଥିତି କଣ ଥିଲା ଓ ୨୦୨୪-୨୫ ରେ କେମିତି ଉନ୍ନତ ସ୍ଥିତି ରହିଛି ସେ ସବୁ ଏଲଇଡି ମାଧ୍ୟମରେ ଆଜି ଭିଡ଼ିଓ ପ୍ରଦର୍ଶନ କରାଯାଇଥିଲା । ଅନ୍ୟତମ ଅତିଥି ଭାବେ ସିଡିଇଓ ଜିଲ୍ଲା ପରିଷଦ ଅଶ୍ଵିନୀ କୁମାର ମେହେର, ସୋନପୁର ଏସିଏଫ୍ ଗିରିଧର ନାଗ, ସମାଜସେବୀ ଗୋବିନ୍ଦ ମହାରଣା ଯୋଗ ଦେଇ ଜଙ୍ଗଲ ସୁରକ୍ଷା ବ୍ୟବସ୍ଥା ଉପରେ ବିଭିନ୍ନ ମତ ରଖି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏସ୍‌ଏମ୍‌ଏସ୍‌ ପ୍ରକାଶ କୁମାର ସାହୁ ଅତିଥି ସ୍ଵାଗତ କରିଥିବା ବେଳେ ଏସ୍‌ଏମ୍‌ଏସ୍‌ ସୌଭାଗ୍ୟ ରଞ୍ଜନ ସ୍ୱାଇଁ ୨୦୨୪-୨୫ର ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା ବିବରଣୀ ପ୍ରଦାନ କରିଥିଲେ । ବନ ସୁରକ୍ଷା ସମିତିର ଜଣେ ସଫଳ ହିତାଧିକାରୀ ବିନିକା ସିଆଳିର ନାରାୟଣ ଭୋଇ ଜଙ୍ଗଲ ସୁରକ୍ଷା ସେବା ଉପରେ ନିଜର ଅନୁଭୁତି ପ୍ରକାଶ କରିଥିଲେ । ବିନିକା ରେଞ୍ଜର ଡମ୍ବରୁ ଧର ପଧାନ, ସୁବଳୟା ରେଞ୍ଜର ଅବିନାଶ ବରିହା, ଉଲୁଣ୍ଡା ରେଞ୍ଜର ଦେବରାଜ ଛତ୍ରିଆ, ସୋନପୁର ଫରେଷ୍ଟର ଭକ୍ତବନ୍ଧୁ ମିଶ୍ର, ଦିନେଶ ପ୍ରସାଦ ମାଝୀଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ସୋନପୁର ରେଞ୍ଜର ସୁବାଷ ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.