କୁଟାସିଂହା ୩୩/୧୧ କେଭି ବିଦ୍ୟୁତ ଗ୍ରୀକ୍ ସବଷ୍ଟେସନ କାର୍ଯ୍ୟକ୍ଷମ ହେବ କେବେ ?

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଂହା (କଣ୍ଟାପାଲି) ୩୩/୧୧ କେଭି ଗ୍ରୀଡ ସବଷ୍ଟେସନ ଉଦଘାଟନ ହେବା ଦୀର୍ଘ ସାତମାସ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେଉନାହିଁ । ତେଣୁ ଅଞ୍ଚଳରେ ତୀଵ୍ର‌ଅସନ୍ତୋଷ ଦେଖାଯାଉଛି । ପ୍ରକାଶ ଯୋଗ୍ୟ ଯେ, ଉକ୍ତ ଗ୍ରୀଡ ସବଷ୍ଟେସନ ଗତ ୨୦୨୨ ମସିହାରେ ନିର୍ମାଣ କାମ ଆରମ୍ଭ ହୋଇ ୨୦୨୫ ମସିହାରେ ସମ୍ପୂର୍ଣ୍ଣ ହୋଇଥିଲା । ଗତ ୭-୪-୨୦୨୫ରେ ଉପମୁଖ୍ୟ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉଦଘାଟନ କରିଥିଲେ । କିନ୍ତୁ ପରିତାପର ବିଷୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେଉନାହିଁ । ସୂଚନା ଅନୁସାରେ ସାଲେଭଟା ଗ୍ରୀଡରୁ ଲୁପୁରସିହା ବେଶୀ ଦୂର ହେଉଥିବାରୁ ଅଧିକାଂଶ ସମୟରେ ଅଞ୍ଚଳରେ ବିଦ୍ୟୁତ ସମସ୍ୟା ଦେଖାଦେଇଥାଏ । ସେହି ସମସ୍ୟା ସମାଧାନ ସକାଶେ ସାଲେଭଟା ଓ ଲଛିପୁର ମଝିରେ କୁଟାସିଂହା କଣ୍ଟାପାଲି ଠାରେ ଏହି ଗ୍ରୀଡ ନିର୍ମାଣ କରାଯାଇଛି । ଫଳରେ ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲା ସାତଟି ପଂଚାୟତର ୩୫୦୦ରୁ ଅଧିକ ଉପଭୋକ୍ତା ଓ ୫୦୦ ଉଠାଜଳସେଚନ ପଏଣ୍ଟ ସଠିକ ଭାବେ ବିଦ୍ୟୁତ ସେବା ପାଇବା ସଙ୍ଗେ ସଙ୍ଗେ ବହୁ ଚାଷୀ ଉପକୃତ ହୁଅନ୍ତେ । ଉକ୍ତ ବିଷୟକୁ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରକାଶ କରନ୍ତି କିଛି ଜଙ୍ଗଲ, ଜମି ସମସ୍ୟା ଦେଖାଦେବାରୁ ଲୁପୁରସିହା ଓ ଛକୋରମାଲ ଫିଡରର ଲାଇନ କାମରେ ବାଧା ଦେଖାଦେଉଛି । କୁଟା ସିଂହା ଫିଡରରେ କିଛି ସମସ୍ୟା ନାହିଁ ତେଣୁ ଚଳିତ ନଭେମ୍ବର ମାସ ଶେଷ ସୁଦ୍ଧା ଵିଦ୍ୟୁତ ସଂଯୋଗ କରାଯାଇ ଅନ୍ୟ ଦୁଇଟି ଫିଡରରେ ମଧ୍ୟ ବିଦ୍ୟୁତ ସଂଯୋଗ ଦେବାପାଇଁ ଚେଷ୍ଟା କରାଯିବ । ଅତି ଶୀଘ୍ର ଗ୍ରୀଡକୁ କାର୍ଯ୍ୟକ୍ଷମ କରିବାକୁ ଅଞ୍ଚଳରେ ଦାବୀ ହେଉଛି ।

Leave A Reply

Your email address will not be published.