ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବିପିୟୁଟି ହାକାଥନ ୨୦୨୫ର ଗ୍ରାଣ୍ଡ ଫାଇନାଲ ସଫଳତାର ସହିତ ପରିସମାପ୍ତି ଘଟିଛି । ଏଥିରେ ଓଡ଼ିଶା ରାଜ୍ୟର ପ୍ରାୟ ୨୫୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ୫୦୫ଟି ପଞ୍ଜିକୃତ ଦଳ ମଧ୍ୟରୁ, ଶ୍ରେଷ୍ଠ ୫୦ଟି ଦଳ (ମୋଟ ୨୪୮ ଜଣ ଛାତ୍ରଛାତ୍ରୀ) ଗ୍ରାଣ୍ଡ ଫାଇନାଲରେ ଅଂଶଗ୍ରହଣ କରିବା ପାଇଁ ଚୟନିତ ହୋଇଥିଲେ । ସେଥିମଧ୍ୟରେ ରିମସ ରାଉରକେଲା, ଏସ୍ଏଏମ୍ଟି ଭୁବନେଶ୍ୱର, ଗୀତମ ଭୁବନେଶ୍ୱର, ଗିଫ୍ଟ ଭୁବନେଶ୍ୱର, ଜିଆଇଇଟି ଗଙ୍ଗପାଟଣା, ଜିଆଇଇଟି ବଣେଇଟାଙ୍ଗୀ, ଭିଆଇଟି ଭୁବନେଶ୍ୱର, ଗୀତା ଭୁବନେଶ୍ୱର, ଜିଇସି ଭୁବନେଶ୍ୱର, ୟୁଏସ୍ବିଏମ୍ ଭୁବନେଶ୍ୱର, ଟିଏଟି ଭୁବନେଶ୍ୱର ସହ ବିପିୟୁଟି ରାଉରକେଲା କ୍ୟାମ୍ପସରେ ମଧ୍ୟବର୍ତ୍ତୀ ମୂଲ୍ୟାଙ୍କନ ଦ୍ୱାରା ଏହି ଦଳଗୁଡ଼ିକଙ୍କର ଚୟନ କରାଯାଇଥିଲା । ସେମାନେ ଏସ୍ଟିପିଆଇ ଭୁବନେଶ୍ୱର, ରୁମାନ ଟେକ୍ନୋଲୋଜିସ୍ ବାଙ୍ଗାଲୋର, ଓକେସିଏଲ୍ ଭୁବନେଶ୍ୱର, ଓକାକ୍ ଭୁବନେଶ୍ୱର, ଏମ୍ଇଆଇଏଲ୍ ହାଇଦ୍ରାବାଦ ଏବଂ ଡିଏଡିବି ଜର୍ମାନୀ ଭଳି ପ୍ରତିଷ୍ଠିତ ଶିଳ୍ପ ସହଯୋଗୀମାନଙ୍କ ଦ୍ୱାରା ଚିହ୍ନଟ ଦଶଟି ବାସ୍ତବ-ଜୀବନ ସମସ୍ୟାର ସମାଧାନ ଉପରେ କାର୍ଯ୍ୟ କରାଯାଇଥିଲା । ନବସୃଜନ, ସମ୍ଭାବ୍ୟତା ଏବଂ ସାମାଜିକ ପ୍ରଭାବ ଉପରେ ଧ୍ୟାନ ଦେଇ ଦଳମାନଙ୍କର ମୂଲ୍ୟାଙ୍କନ କରାଯାଇଥିଲା । ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଶିଳ୍ପ ସହଯୋଗୀ, ବିଶିଷ୍ଟ ଶିକ୍ଷାବିତ୍, ଜୁରି ସଦସ୍ୟ, ବିପିୟୁଟିର ସଂଲଗ୍ନ ଏବଂ ଅନୁବନ୍ଧିତ କଲେଜର ଅଧିକାରୀଙ୍କ ସମେତ ରାଉରକେଲା ଏବଂ ଆଖପାଖ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ବିଜେତା ଦଳଗୁଡ଼ିକ ମଧ୍ୟରେ ମୋଟ ୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ବଣ୍ଟନ କରାଯାଇଥିଲା । ଏଥିସହିତ ମହିଳା ସଶକ୍ତିକରଣ ସହ ଅନ୍ତର୍ଭୁକ୍ତିମୂଳକ ନବସୃଜନ ପ୍ରତି ବିପିୟୁଟିର ପ୍ରତିବଦ୍ଧତାକୁ ପୁନଃସ୍ଥାପନ କରି ଶ୍ରେଷ୍ଠ ମହିଳା ନେତୃତ୍ୱାଧୀନ ଦଳକୁ ଏକ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ବିଦାୟୀ ସମାରୋହ ସନ୍ଧ୍ୟାରେ ବିପିୟୁଟି କ୍ୟାମ୍ପସର ନେତାଜୀ ସୁଭାଷ ଅଡିଟୋରିୟମରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିପିୟୁଟିର କୁଳପତି ପ୍ରଫେସର ଅମୀୟ କୁମାର ରଥ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରଫେସର ରଥ ତାଙ୍କ ଭାଷଣରେ ଅଂଶଗ୍ରହଣକାରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଗୁରୁତ୍ୱାରୋପ କରି କହିଥିଲେ ଯେ ଏପରି କାର୍ଯ୍ୟକ୍ରମ ମନୋବଳକୁ ବୃଦ୍ଧି କରେ, ଉଦ୍ୟୋଗୀ ଉତ୍ସାହକୁ ପ୍ରୋତ୍ସାହିତ କରେ ଏବଂ ଯୁବ ଉଦ୍ଭାବକଙ୍କ କ୍ଷମତା ନିର୍ମାଣ କରେ । ବିପିୟୁଟିର କୁଳସଚିବ ନିଶି ପୁନମ ମିଞ୍ଜ୍ ସମଗ୍ର ଓଡ଼ିଶାରେ ନବସୃଜନକୁ ପ୍ରୋତ୍ସାହିତ କରିବାରେ ଏହି ହାକାଥନ୍ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ବର୍ଣ୍ଣନା କରିଥିଲେ । ବିପିୟୁଟିର ଅର୍ଥ ଅଧିକାରୀ ସେବତୀ ଦାନସେନା ଏହି ହାକାଥନ୍ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଚାକିରି ଖୋଜିବା ଅପେକ୍ଷା ନିଜକୁ ଉଦ୍ୟୋଗୀରେ ପରିଣତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ଡି. ଚନ୍ଦ୍ରଶେଖର ରାଓଙ୍କ ଅଭିଭାଷଣ ସହିତ ହକାଥନ୍ ୨୦୨୫ର ବିଦାୟୀ ସମାରୋହ ଆରମ୍ଭ ହୋଇଥିଲା ଏବଂ ଉପ କୁଳସଚିବ ଡକ୍ଟର ଏସ. କେ. ରଥଙ୍କ ଧନ୍ୟବାଦ ପ୍ରସ୍ତାବ ସହିତ ଶେଷ ହୋଇଥିଲା । ଏହି କାର୍ଯ୍ୟକ୍ରମର ସଫଳତା ବିପିୟୁଟିର ସମସ୍ତ ଅଧ୍ୟାପକ, ନିର୍ଦ୍ଦେଶକ, ଅଧିକାରୀ ଏବଂ କର୍ମଚାରୀଙ୍କ ଅକ୍ଳାନ୍ତ ପ୍ରୟାସ ଯୋଗୁଁ ସମ୍ଭବ ହୋଇପାରିଛି । ବିପିୟୁଟି ହାକାଥନ୍ ୨୦୨୫ର ସଫଳ ଆୟୋଜନ ପୁଣିଥରେ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କର ସାମଗ୍ରିକ ବିକାଶ ପାଇଁ ସୃଜନଶୀଳତା, ପ୍ରଯୁକ୍ତିବିଦ୍ୟା ଆଧାରିତ ଶିକ୍ଷା ଏବଂ ଶିଳ୍ପ-ଶିକ୍ଷା ସହଯୋଗକୁ ପ୍ରୋତ୍ସାହିତ କରିବା ପ୍ରତି ଦୃଢ଼ ପ୍ରତିବଦ୍ଧତାକୁ ସ୍ପଷ୍ଟ କରିପାରିଛି ।
Prev Post