csstore

ସୋନପୁର କଲେଜରେ ସ୍ୱଚ୍ଛତା ଅଭିଯାନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମଜୟନ୍ତୀ ଅବସରରେ ୧୧ ଓଡ଼ିଶା ବାଟାଲିଅନ ଏନସିସି ବଲାଙ୍ଗିର ଅଧୀନସ୍ଥ ସୋନପୁର କଲେଜ, ସୋନପୁରର ଏନସିସି କ୍ୟାଡେଟମାନଙ୍କ ଏବଂ ସୋନପୁର କଲେଜ ଆଲୁମିନୀ ସଂଘ ପକ୍ଷରୁ ଏକ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମଟି ଏନସିସି ଅଫିସର ଲେଫ୍ଟେନାଣ୍ଟ ଆଶିଷ କୁମାର ଅଗ୍ରୱାଲଙ୍କ ନିର୍ଦ୍ଦେଶନାରେ ଏବଂ ସୋନପୁର କଲେଜର ଅଧ୍ୟକ୍ଷ ରାଧାକାନ୍ତ ନାୟକଙ୍କ ମାର୍ଗଦର୍ଶନରେ ଆୟୋଜିତ ହୋଇଥିଲା ବେଳେ ଆଲୁମିନୀ ସଂଘର ଉପସଭାପତି ଗତିକୃଷ୍ଣ ମିଶ୍ର ସଂପାଦକ ଭାରତ ଭୂଷଣ ଦାଶ, ସୁଧିର ପଣ୍ଡା, ସିତୁନ ମିଶ୍ରଙ୍କ ସହ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ମୋଟ ୪୨ ଜଣ କ୍ୟାଡେଟ ଏହି ସ୍ୱଚ୍ଛତା ଅଭିଯାନରେ ଉତ୍ସାହ ପୂର୍ବକ ଭାଗ ନେଇଥିଲେ । ସେମାନେ କଲେଜ ପରିସର ଏବଂ ଚାରିପାଖ ଅଞ୍ଚଳ ସଫା କରି ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସ୍ୱଚ୍ଛତା ଓ ପରିବେଶ ସଚେତନତାର ସନ୍ଦେଶ ପ୍ରସାର କରିଥିଲେ । ଲେଫ୍ଟେନାଣ୍ଟ ଆଶିଷ କୁମାର ଅଗ୍ରୱାଲ କ୍ୟାଡେଟମାନଙ୍କ ସେବା ସମର୍ପଣ ଓ ଶାନ୍ତି ଶୃଙ୍ଖଳାକୁ ପ୍ରଶଂସା କରିଥିଲେ । ଅତିଥି ଭାବେ ଯୋଗ ଦେଇ ଥିବା ଅଧ୍ୟକ୍ଷ ଶ୍ରୀ ନାୟକ ଏହି ପ୍ରୟାସକୁ ଆଗାମୀ ଦିନରେ ଜାରି ରଖିବାକୁ ଓ ଏକ ସୁସ୍ଥ ସମାଜ ଗଠନ ଦିଗରେ ପ୍ରୟାସ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏହି ଅଭିଯାନ ଟି “ଏକତା ଓ ଶାନ୍ତି ଶୃଙ୍ଖଳା” ମନ୍ତ୍ର ର ବାର୍ତ୍ତା ବହନ କରିଥିବା ବେଳେ ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଆଦର୍ଶକୁ ସ୍ମରଣ କରିଥିଲା ।

jayashree
Leave A Reply

Your email address will not be published.