ଦିନବେଳା ବେଆଇନ ବାଲି ଚାଲାଣ, ପ୍ରଶାସନ ନିରବଦ୍ରଷ୍ଟା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ସାଧାରଣ ଲୋକ ତଥା ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସକାଳ ୭ ଟାରୁ ରାତି ୯ ଟା ମଧ୍ୟରେ ବାଲି ପରିବହନକୁ ବେଆଇନ ଘୋଷଣା କରାଯାଇଛି । କିନ୍ତୁ ପ୍ରଶାସନକୁ ଖୋଲା ଚାଲେଞ୍ଜ ଦେଇ ଦିନ ଦ୍ୱିପ୍ରହରେ ବେଧଡକ ଭାବେ ବାଲି ମାଫିଆମାନେ ଟିପର ଯୋଗେ ବାଲି ପରିବହନ କରୁଥିବା ଦେଖିବାକୁ ମିଳିଛି । ଏଥିଯୋଗୁଁ ସାଧାରଣ ଲୋକେ କ୍ଷତିଗ୍ରସ୍ତ ହେବା ସହିତ ଛାତ୍ରଛାତ୍ରୀଙ୍କ ସୁରକ୍ଷା ବିପନ୍ନ ହେବାରେ ଲାଗିଛି । ସୂଚନା ମତେ, ଲୋଇସିଂହା ବ୍ଲକର ଛେଲବାହାଲ, ଟେଭାଡୁଙ୍ଗୁରି, ମାଗୁରବେଡା, ବଲାଙ୍ଗିର ବ୍ଲକର କୁଟୁମଡୋଳା, ଆଗଲପୁର ବ୍ଲକର ସାଲେଭଟା, ଫାସଡ ଓ ତେନ୍ତୁଲିଗାଁ ବାଲିଖଣିରୁ ବେଆଇନ ଭାବେ ପ୍ରତିଦିନ ହଜାର ହଜାର ଟ୍ରିପ ବାଲି ଦିନବେଳା ବିପଦ ସଙ୍କୁଳ ଅବସ୍ଥାରେ ପରିବହନ କରାଯାଉଛି । କିଛିଦିନ ତଳେ ଫାସଡ ବାଲିଘାଟଠାରେ ବେଆଇନ ଭାବେ ହଜାର ହଜାର ଟ୍ରିପ୍ ବାଲି ଚୋରା ଚାଲାଣ ସକାଶେ ମହଜୁଦ ରଖାଯାଇଥିଲା । ଖଣି ଅଧିକାରୀ ଉପରୋକ୍ତ ବାଲିଘାଟ ପରିଦର୍ଶନ କରିଥିଲେ ହେଁ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବା ଜଣାଯାଇଛି । ବେଆଇନ ବାଲି ପରିବହନକୁ ରୋକିବା ପାଇଁ ଟାସ୍କଫୋର୍ସ ଗଠିତ ହୋଇଥିଲେ ମଧ୍ୟ ବାଲିମାଫିଆ ଓ ଖଣି ଅଧିକାରୀଙ୍କ ମଧ୍ୟରେ ରହିଥିବା ମିଳିତ ମଧୁଚନ୍ଦ୍ରିକା ଯୋଗୁଁ ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଉଥିବା ଜଣାଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଏଥିପ୍ରତି ସ୍ଵତନ୍ତ୍ର ଭାବେ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବା ସକାଶେ ଦାବି ହେଉଛି ।

Leave A Reply

Your email address will not be published.