ଖପ୍ରାଖୋଲରେ ସାଇବର ସଚେତନତା ଝଡ଼ : ଠକେଇ ବିରୋଧରେ ଜାଗୃତ ହେଲା ଯୁବପିଢ଼ି ଓ ଜନମନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସଙ୍କ ଅଭିନବ ପଦକ୍ଷେପ । ଡିଜିଟାଲ ଯୁଗରେ ସଚେତନ ସମାଜ ଗଠନ ପାଇଁ “ସାଇବର ସୁରକ୍ଷା ଅଭିଯାନ ୨୦୨୫” ଶନିବାର ଖପ୍ରାଖୋଲ ନୋଡାଲ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମର ପୌରୋହିତ୍ୟ କରିଥିଲେ ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତର । ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ପାଟଣାଗଡ଼ ଏସ୍‌ଡିପିଓ ସଦାନନ୍ଦ ପୁଝାରୀ । ସମ୍ମାନିତ ଅତିଥି ଭାବେ ଖପ୍ରାଖୋଲ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ଜିଲ୍ଲା ସାଇବର ସେଲ୍ ଅଧିକାରିଣୀ ଭାରତୀ ନାଏକ, ଏସିଏଫ ଅରବିନ୍ଦ ନାଏକ, ବିଧାୟକ ପ୍ରତିନିଧି ପଦ୍ମନ ସିଂ ବରିହା ଏବଂ ସ୍ଥାନୀୟ ସରପଞ୍ଚ ବେଟିଖାଇ ସେନ୍ଦରିଆ ମଞ୍‌ଞ୍ଚାସୀନ ଥିଲେ । ସମସ୍ତ ଅତିଥିମାନେ ସାଇବର ଠକେଇ, ଫିସିଂ, ଓଟିପି ଠକେଇ, ନକଲି ବ୍ୟାଙ୍କ ଏପ୍ ଓ ସୋସିଆଲ ମିଡିଆ ଠକେଇ ବିଷୟରେ ଉଦାହରଣ ସହ ଅତ୍ୟନ୍ତ ସଚେତନ କରିଥିଲେ । ସଭାରେ ଅତିଥିମାନେ ସମସ୍ତଙ୍କୁ ସାଇବର ଠକେଇରୁ ସୁରକ୍ଷିତ ରହିବା ପାଇଁ ସାମୁହିକ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ, ଅଙ୍ଗନବାଡ଼ି କର୍ମୀ, ଶିକ୍ଷକ ଓ ଜନସାଧାରଣ ଯୋଗଦେଇଥିଲେ । ସମସ୍ତେ ସାଇବର ସୁରକ୍ଷା ବିଷୟରେ ଅତିଥିମାନଙ୍କ ଉପସ୍ଥାପନା ଠାରୁ ଶିଖିଥିଲେ କିପରି ସେମାନେ ଠକେଇ ଠାରୁ ନିଜକୁ ସୁରକ୍ଷିତ ରଖିପାରିବେ । ସାଇବର ସୁରକ୍ଷା ସନ୍ଦେଶ ପହଞ୍ଚାଇବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଚମତ୍କାର ପରିବେଷଣ କରିଥିଲେ । ଖପ୍ରାଖୋଲ ପୋଲିସଙ୍କ ଏହି ପ୍ରୟାସ ଜନସାଧାରଣ ମଧ୍ୟରେ ସାଇବର ସଚେତନତାର ଆଲୋକ ପ୍ରଜ୍ୱଳିତ କରିଛି । ସଚେତନ ନାଗରିକ ହେବାର ଏହି ଅଭିଯାନ ଡିଜିଟାଲ ଭାରତ ଗଠନର ଦିଗରେ ଗୋଟିଏ ପ୍ରେରଣାଦାୟକ ପଦକ୍ଷେପ ।

Leave A Reply

Your email address will not be published.