ଲାଇବ୍ରେରୀ ବଣ୍ଟନ ସକାଶେ ବୈଠକ

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ନଅଗାଁ (ଖ) ପ୍ରାଥମିକ ବିଦ୍ୟାଳୟଠାରେ ନଅଗାଁ କ୍ଲଷ୍ଟରର ସମସ୍ତ ଶିକ୍ଷକ ଓ ପଲ୍ଲୀ ଆଲୋକ ପାଠାଗାରର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପଲ୍ଲୀ ଆଲୋକ ପାଠାଗାର ପକ୍ଷରୁ ଲାଇବ୍ରେରୀ ବଣ୍ଟନ ବ୍ୟବସ୍ଥା ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କ୍ଲଷ୍ଟର ସଂଯୋଜକ ହୃଷିକେଶ ପଧାନଙ୍କ ସମେତ କ୍ଲଷ୍ଟର ଅଧିନ ସମସ୍ତ ଶିକ୍ଷକ ଉପସ୍ଥିତ ରହି ପାଠାଗାର ତରଫରୁ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକୁ ଲାଇବ୍ରେରୀ ପୁସ୍ତକ ବଣ୍ଟନ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ଠାରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୋଗୀ ବହି ମନୋନୀତ କରିବା ପାଇଁ ଉପସ୍ଥିତ ଶିକ୍ଷକଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା । ନଭେମ୍ବର ୩ ତାରିଖ ସୁଦ୍ଧା ଉକ୍ତ ବହିକୁ ମନୋନୀତ କରି ପଲ୍ଲୀ ଆଲୋକ ପାଠାଗାରଠାରେ ତାର ବିବରଣୀ ଦେବାକୁ ବୈଠକରେ ସହମତି ପ୍ରକାଶ ପାଇଥିଲା । ସୂଚନାଯୋଗ୍ୟ ଯେ ଉକ୍ତ ଲାଇବ୍ରେରୀ ବଲାଙ୍ଗିର ଜ଼ିଲ୍ଲାର ପୁଇଁତଲା, ଲୋଇସିଂହା, ତଥା ଆଗଲପୁର ବ୍ଲକର ୧୬୫ ଟି ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକୁ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଅନୁଷ୍ଠାନର ସମ୍ପାଦକ ପ୍ରଶାନ୍ତ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.