ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସମ୍ପାଦକ ବୈଷ୍ଣବ ଚରଣ ମହାପ୍ରଭୁଙ୍କ ଅଧ୍ୟକ୍ଷତାରେ ମହର୍ଷି ବାଲ୍ମୀକି ରାମାୟଣର ଉପାଦେୟତା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ବ୍ରଜେନ୍ଦ୍ର ଦାଶ ମୁଖ୍ୟ ଅତିଥି, ପ୍ରାକ୍ତନ ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନ ସମ୍ମାନିତ ଅତିଥି, ସଙ୍କୁଳ ପ୍ରମୁଖ ଗୋଦାବରୀଶ ଶତପଥୀ ଓ ସମ୍ପାଦକ ଶ୍ରୀ ମହାପାତ୍ର ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ। ପ୍ରଧାନ ଆଚାର୍ୟ୍ୟ ସୂର୍ୟ୍ୟନାରାୟଣ ଦାସ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ମା’ ସରସ୍ୱତୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ମୁଖ୍ୟଅତିଥି ଶ୍ରୀ ଦାଶ ତାଙ୍କ ବକ୍ତବ୍ୟରେ ରାମାୟଣର ସୃଷ୍ଟି ଓ ବିଭିନ୍ନ ବର୍ଣ୍ଣିତ ରୋଚକ କାହାଣୀ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ସମ୍ମାନିତ ଅତିଥି ପ୍ରାଧ୍ୟାପିକା ଶ୍ରୀମତୀ ପ୍ରଧାନ ସାମ୍ପ୍ରତିକ ପରିସ୍ଥିତିରେ ରାମାୟଣର ଉପାଦେୟତା ସମ୍ପର୍କରେ ବିଶଦ ବିବରଣୀ ପ୍ରଦାନ କରିଥିଲେ । ସଙ୍କୁଳ ପ୍ରମୁଖ ଶ୍ରୀ ଶତପଥୀ ପ୍ରାକ୍ କଥନରେ ରାମାୟଣରେ ବର୍ଣ୍ଣିତ ପତି ଭକ୍ତି, ପିତୃସ୍ନେହ, ଭାତୃପ୍ରୀତି, ପ୍ରଭୁଭକ୍ତି, ସତ୍ୟରକ୍ଷା ବିଷୟରେ ଆଲୋଚନା କରିଥିଲା ବେଳେ ସମ୍ପାଦକ ଶ୍ରୀ ମହାପାତ୍ର ରାମାୟଣର ମହନୀୟତା ସମ୍ପର୍କରେ ଆଲୋଚନା କରିଥିଲେ । ଅଧ୍ୟାପିକା ଧରିତ୍ରୀ ପାଇକରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା କଲେଜର ଛାତ୍ରୀ ସୁଶ୍ରୀ ପୂଜା ତିର୍କି ରାମାୟଣର ଭିତ୍ତି ପ୍ରବନ୍ଧ ପାଠ କରିଥିଲେ । ଆଚାର୍ଯ୍ୟ କାଶୀନାଥ ପାଢ଼ୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାମନ୍ଦିରର ୮୦୦ରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଅନୁଷ୍ଠାନର ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପ୍ରାରମ୍ଭରେ ସମସ୍ତ ଅତିଥି ମାନଙ୍କୁ ନାରିକେଲ ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା ।