ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଥାନା ବଡଟିକା ପଞ୍ଚାୟତ ଅଧୀନ ସାହାଜଛାପର ଗ୍ରାମରୁ ଗତକାଲି ରାତିରେ ଏକ ଟ୍ରାକ୍ଟର ଇଞ୍ଜିନ ଚୋରୀ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ବଲାଙ୍ଗିର ସଦର ଥାନା ହରିପାଲି ନିବାସୀ ଜମିଦାର ପଧାନ ତାଙ୍କ ଜନ ଡିଅର୍ ଟ୍ରାକ୍ଟର (ଓଡ଼ି ୦୩ ଏବି ୯୬୪୦)କୁ ଚାଷକାମ ପାଇଁ ବଡଟିକା ପଂଚାୟତର ସାହାଜଛାପରଠାରେ ସମ୍ପର୍କୀୟ ଭାଇ ଚୁଡାମଣି ବେହେରାଙ୍କ ଘର ସମ୍ମୁଖରେ ରଖିଥିଲେ । ସବୁଦିନ ଭଳି ଗତକାଲି ସନ୍ଧ୍ୟାରେ ସେ ଟ୍ରାକ୍ଟର ରଖି ଶୋଇବାକୁ ଯାଇଥିଲେ । ତେବେ ସକାଳେ ଟ୍ରାକ୍ଟର ନ ଥିବା ନେଇ ଗ୍ରାମର ତହସିଲଦାର ପଧାନ ଜମିଦାରଙ୍କୁ ଜଣାଇଥିଲେ । ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ ଟ୍ରାକ୍ଟରର କୌଣସି ସନ୍ଧାନ ମିଳି ନଥିବାବେଳେ ତାହା ଚୋରୀ ହୋଇଥିବା ନେଇ ଜମିଦାର ଲୋଇସିଂହା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାଯାଇଛି ।