- ୧୩ ବର୍ଷରୁ କମ୍ ବର୍ଗରେ ଅୟଙ୍କ ସାହୁଙ୍କୁ ତ୍ରିମୁକୁଟ
- ଲଷ୍ମୀପ୍ରିୟାଙ୍କୁ ଦ୍ୱିମୁକୁଟ
- ୧୧ବର୍ଷରୁ କମ ବାଳକ ବର୍ଗରେ,ସମର ମହାନ୍ତିଙ୍କୁ ଦ୍ୱିମୁକୁଟ,
- ବାଳିକାରେ ଆରନି ବେହେରା ଚମ୍ପିୟାନ
ଭୁବନେଶ୍ୱର : ଓଡିଶା ରାଜ୍ୟ ବେଡ଼ମିଣ୍ଟନ ସଂଘ ଦ୍ୱାରା ଆୟୋଜିତ ୧୧ ଓ ୧୩ରୁ କମ୍ ବୟସ ବର୍ଗ ରାଜ୍ୟ ବେଡମିଣ୍ଟନ ଚାମ୍ପିୟନସିପ ଆଜି ଉଦ୍ଯାପିତ ହୋଇଯାଇଅଛି । ତିନି ଦିନ ବ୍ୟାପି ପୋଖରୀପୁଟ ସ୍ଥିତ ବିଜୁପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡ଼ିଅମଠାରେ ଅନୁଷ୍ଠିତ ହୋଇଥିବା ଏହି ରାଜ୍ୟ ଚମ୍ପିୟାନସିପର ୧୩ ବର୍ଷରୁ କମ ବୟସ ବର୍ଗରେ ସମ୍ବଲପୁରର ଅୟଙ୍କ ସାହୁ ତ୍ରିମୁକୁଟ ଲାଭ କରିଛନ୍ତି । ଅୟଙ୍କ ସିଙ୍ଗଲ ଫାଇନାଲରେ ଖୋର୍ଦ୍ଧାର ପଂସୁଲ ସେଠିଙ୍କୁ ସିଧାସଳଖ ୨୧/୧୮, ୨୧/୯ ହରାଇ ଚମ୍ପିୟାନ ହୋଇଛନ୍ତି । ଡବଲସରେ ବାଲେଶ୍ୱରର ଅର୍ଣ୍ଣବ ଦାସଙ୍କୁ ସାଥୀକରି ରାୟଗଡା ଖୋର୍ଦ୍ଧା ଯୋଡି ଅନୁରୂପ ସାହୁ ଓ ପଂସୁଲ ସେଠିଙ୍କୁ ୨୧/୧୬,୨୧/୧୪ ପଏଣ୍ଟରେ ପରାସ୍ତ କରିଛନ୍ତି । ଠିକ୍ ସେହିପରି ମିକ୍ସ ଡବଲସରେ ଅୟଙ୍କ ଏଲିନା ରାଜଙ୍କୁ ସାଥି କରି ସୁନ୍ଦରଗଡ ଓ କଟକ ଯୋଡି ଋତୁରାଜ ପୁଟେଲ ଓ ରିସିକା ଦାସଙ୍କୁ ସିଧାସଳଖ ୨୧/୧୮, ୨୧/୧୭ ପଏଣ୍ଟରେ ହରାଇ ଚମ୍ପିୟାନ ହେବା ସହ ତ୍ରିମୁକୁଟ ଲାଭ କରିଛନ୍ତି । ଠିକ୍ ସେହିପରି ୧୩ ବର୍ଷରୁ କମ୍ ବାଳିକା ବିଭାଗରେ ଜଗତସିଂହପୁରର ଲଷ୍ମୀପ୍ରିୟା ଗୋଛାୟତ ପ୍ରତିଯୋଗିତାରେ ଦ୍ୱିମୁକୁଟ ଲାଭ କରିଛନ୍ତି । ସିଙ୍ଗଲରେ ଲଷ୍ମୀପ୍ରିୟା ଖୋର୍ଦ୍ଧାର ଆଦ୍ୟସା ଲେଙ୍କାଙ୍କୁ ୨୧/୧୨, ୨୧/୧୧ ପଏଣ୍ଟରେ ହରାଇ ଚମ୍ପିୟାନ ହୋଇଛନ୍ତି । ଡବଲସରେ ଖୋର୍ଦ୍ଧାର ସାନଭି ସାହୁଙ୍କୁ ସାଥି କରି ଖୋର୍ଦ୍ଧା ଯୋଡି ଦର୍ଶ୍ୱନା ଜଗଦେବ ଓ ସରୟକ୍ଷ ପିନିଟିଙ୍କୁ ହରାଇ ଚାମ୍ପିୟନ ହୋଇଛନ୍ତି । ୧୧ ରୁ କମ୍ ବୟସ ବର୍ଗର ଖୋର୍ଦ୍ଧାର ସମର ମହାନ୍ତି ପ୍ରତିଯୋଗୀତାରେ ଦ୍ୱିମୁକୁଟ ଲାଭ କରିଛନ୍ତି । ସିଙ୍ଗଲରେ ସମର ନିଜ ଜିଲ୍ଲାର ସାଇ ଆଶିଷଙ୍କୁ ୨୧/୧୪, ୨୧/୧୩ ପଏଣ୍ଟରେ ହରାଇ ଟାଇଟଲ ହାସଲ କରିଥିବାବେଳେ ଡବଲସରେ ମାଷ୍ଟର ଇଭାନଙ୍କୁ ସାଥି କରି ନିଜ ଜିଲ୍ଲାର ସାଇ ଆଶିଷ ଓ ବିହାନ ସାମନ୍ତ ରାୟଙ୍କୁ ୨୧/୧୭, ୨୧/୧୧ ପଏଣ୍ଟରେ ହରାଇ ଚମ୍ପିୟାନ ହୋଇଛନ୍ତି । ବାଳିକା ବିଭାଗରେ ସମ୍ବଲପୁରର ଆରନି ବେହେରା ଖୋର୍ଦ୍ଧା ଖେଳାଳୀ ସାଇପ୍ରିୟା ସୁବୁଦ୍ଧିଙ୍କୁ ୨୭/୨୫, ୨୨/୨୦ ପଏଣ୍ଟରେ ହରାଇ ଚମ୍ପିୟାନ ହୋଇଛନ୍ତି । ବାଳିକା ଡବଲସରେ ଖୋର୍ଦ୍ଧା, କଟକ ଯୋଡି ସାଇପ୍ରିୟା ଓ ବଂଶୀକା ମଲ୍ଲିକ ଖୋର୍ଦ୍ଧା ଯୋଡି ଅନାୟା ସାମନ୍ତରାୟ ଓ ବୁଦ୍ଧନା ସୋନମ ଯୋଡିଙ୍କୁ ହରାଇ ଚମ୍ପିୟାନ ଆଖ୍ୟା ଲାଭ କରିଛନ୍ତି । ଆୟୋଜନ କମିଟୀ ସମ୍ପାଦକ ଅଜିତ ମହାନ୍ତି ଓ ଦୀପକ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ହେଇଥିବା ଉଦ୍ଯାପନୀ ସଭାରେ ଓସବା ଯୁଗ୍ମ ସମ୍ପାଦକ ଶୈଳେନ୍ଦ୍ର ଚୌଧୁରୀ ଓ ମୁଖ୍ୟ ରେଫରୀ ବିଜୟ ବାଗ କୃତି ଖେଳାଳୀଙ୍କୁ ମାନପତ୍ର, ଟ୍ରଫି ଓ ପୁରସ୍କାର ଅର୍ଥ ଚେକ ଆକାରରେ ପ୍ରଦାନ କରିଥିଲେ । ପ୍ରତିଯୋଗିତାର ସୁପରିଚାଳନା ପାଇଁ ଅଫିସିଏଲ ପର୍ଯ୍ୟବେକ୍ଷକ ଲକ୍ଷପତି ନନ୍ଦ ଓ ସୁବାସ ଚନ୍ଦ୍ର ସାହୁ ଟୁର୍ଣ୍ଣାମେଣ୍ଟ ସଂଯୋଜକ ଭାବେ ତାରାକାନ୍ତ ଦାସ, ଅବଦୁଲ ହାକିମ ଓ ଜୟ ପ୍ରକାଶ ଜେନା, ପ୍ରତ୍ୟୁଷ ସାମନ୍ତରାୟ ପ୍ରତିଯୋଗିତାର ପର୍ଯ୍ୟବେକ୍ଷକ ଭାବେ ଓସବା ଉପସଭାପତି ପ୍ରଦୀପ ପଟ୍ଟନାୟକ ନିଯୁକ୍ତ ହୋଇଥିଲେ ।