‘ଡାଲି ଆତ୍ମନିର୍ଭରଶୀଳତା ମିଶନ’ ଓ ‘ଧନ-ଧାନ୍ୟ କୃଷି ଯୋଜନା’ର ଶୀଘ୍ର କାର୍ଯ୍ୟାନ୍ୱୟନ ପାଇଁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ନିର୍ଦ୍ଦେଶ
- ‘ପିଏମ୍-ଡିଡିକେୱାଇ’ର ଶୀଘ୍ର କାର୍ଯ୍ୟାନ୍ୱୟନ ପାଇଁ ୧୧ ମନ୍ତ୍ରଣାଳୟର ମନ୍ତ୍ରୀମାନଙ୍କ ସହ ବୈଠକ କରିବେ କୃଷିମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ “ଡାଲି ଆତ୍ମନିର୍ଭରଶୀଳତା ମିଶନ” ଏବଂ “ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା” ସମ୍ପର୍କରେ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ବୈଠକ ସମୟରେ ଶ୍ରୀ ଚୌହାନ ଏହି ଯୋଜନାଗୁଡ଼ିକର ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ‘ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା’ର କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ପାଇଁ ସେ ଖୁବ୍ ଶୀଘ୍ର ୧୧ଟି ମନ୍ତ୍ରଣାଳୟର ମନ୍ତ୍ରୀମାନଙ୍କ ସହିତ ଏକ ବୈଠକ କରିବେ । ବୈଠକରେ ଜିଲ୍ଲାସ୍ତରରେ କ୍ଲଷ୍ଟର ଗଠନ କରି ‘ଡାଲି ଆତ୍ମନିର୍ଭରଶୀଳତା ମିଶନ’କୁ ଗତିଶୀଳ କରିବା ନିଷ୍ପତ୍ତି ନିଆଯାଇ, ରାଜ୍ୟଗୁଡ଼ିକର ସହଯୋଗ ଲୋଡାଯାଉଛି । ଏହା ବ୍ୟତୀତ, ତୃଣମୂଳ ସ୍ତରରେ ‘ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା’ର ଉତ୍ତମ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବାକୁ ଶ୍ରୀ ଚୌହାନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେ କହିଥିଲେ ଯେ, ଧାର୍ଯ୍ୟ ସମୟରେ ‘ଡାଲି ଆତ୍ମନିର୍ଭରଶୀଳତା ମିଶନ’ ଏବଂ ‘ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା’ର କାର୍ଯ୍ୟାନ୍ୱୟନ ଚାଷୀମାନଙ୍କୁ ପ୍ରତ୍ୟକ୍ଷଭାବେ ଉପକୃତ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା’ର ଲକ୍ଷ୍ୟ ହେଉଛି, ଦେଶର ୧୦୦ଟି ଆକାଂକ୍ଷୀ ଜିଲ୍ଲାରେ କୃଷି ବିକାଶ ପାଇଁ ଉଦ୍ଦିଷ୍ଟ ୧୧ଟି ମନ୍ତ୍ରଣାଳୟର ୩୬ଟି ଉପ-ଯୋଜନାକୁ ସମନ୍ୱିତ କରିବା । ଏହି ପରିପ୍ରେକ୍ଷୀରେ ଶ୍ରୀ ଚୌହାନ ଦେଶର ଚାଷୀମାନେ ‘ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା’ର ସର୍ବାଧିକ ଲାଭ ପାଇପାରିବେ ତାହା ନିଶ୍ଚିତ କରିବା ପାଇଁ ୧୧ଟି ମନ୍ତ୍ରଣାଳୟର ମନ୍ତ୍ରୀ ଓ ସଚିବ ଏବଂ ନୀତି ଆୟୋଗର ଅଧିକାରୀମାନଙ୍କ ସହିତ ଶୀଘ୍ର ଏକ ବୈଠକ ଡାକିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । କେନ୍ଦ୍ର କୃଷିମନ୍ତ୍ରୀ ଡାଲି ଆତ୍ମନିର୍ଭରଶୀଳତା ମିଶନ ସହିତ ଜଡିତ ରାଜ୍ୟଗୁଡ଼ିକର ଶୀର୍ଷ ଅଧିକାରୀମାନଙ୍କ ସହିତ ଏକ ବୈଠକ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ, ଯାହା ଦ୍ୱାରା ଠିକ ସମୟରେ ଏହାର କାର୍ଯ୍ୟାନ୍ୱୟନ ସୁନିଶ୍ଚିତ ହୋଇପାରିବ। ଅକ୍ଟୋବର ୧୧ ତାରିଖରେ ପ୍ରଧାନମନ୍ତ୍ରୀ ଦିଲ୍ଲୀର ପୁସାରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ‘ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା’ ଏବଂ ‘ଡାଲି ଆତ୍ମନିର୍ଭରଶୀଳତା ମିଶନ’ର ଶୁଭାରମ୍ଭ କରିଥିଲେ । ଏହା ପୂର୍ବରୁ ଗତ ଜୁଲାଇ ୧୬, ୨୦୨୫ରେ କେନ୍ଦ୍ର କ୍ୟାବିନେଟ ‘ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା’କୁ ଅନୁମୋଦନ କରିଥିଲେ । ଏହି ଯୋଜନାଗୁଡ଼ିକ ୨୦୨୫-୨୬ ଆର୍ଥିକ ବର୍ଷରୁ ଆରମ୍ଭ କରି ଛଅ ବର୍ଷ ପାଇଁ କାର୍ୟ୍ୟକାରୀ ହେବ, ଯାହାର ବାର୍ଷିକ ବ୍ୟୟ ବରାଦ ୨୪,୦୦୦ କୋଟି ଟଙ୍କା ରଖାଯାଇଛି । ସେହିପରି ‘ଡାଲି ଆତ୍ମନିର୍ଭରଶୀଳତା ମିଶନ’ ୬ ବର୍ଷରେ କାର୍ଯ୍ୟକାରୀ ହେବ ଓ ଏଥିପାଇଁ ୧୧,୪୪୦ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି । ଏହି ମିଶନ ମାଧ୍ୟମରେ ୨୦୩୦-୩୧ ସୁଦ୍ଧା ଡାଲି ଚାଷ କ୍ଷେତ୍ରକୁ ୨୭୫ ଲକ୍ଷ ହେକ୍ଟରରୁ ୩୧୦ ଲକ୍ଷ ହେକ୍ଟରକୁ ବୃଦ୍ଧି କରିବା, ଉତ୍ପାଦନ ୨୪.୨ ନିୟୁତ ଟନରୁ ୩୫ ନିୟୁତ ଟନକୁ ବୃଦ୍ଧି କରିବା ଏବଂ ଉତ୍ପାଦକତା ହେକ୍ଟର ପିଛା ୧୧୩୦ କିଲୋଗ୍ରାମକୁ ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଛି । ଉତ୍ପାଦନ ବୃଦ୍ଧି ସହିତ ଏହି ମିଶନ ଦ୍ୱାରା ବିପୁଳ ସଂଖ୍ୟକ ନିଯୁକ୍ତି ସୃଷ୍ଟି ହେବ ।