ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶିଶୁ ଭିତରେ ଅନେକ ମହନୀୟ ଗୁଣ ଭରି ରହିଛି, ଶିଶୁର ସେହି ଅର୍ନ୍ତନିହିତ ଗୁଣ ଗୁଡିକୁ ବାହାର କରିବା ଓ ରାଷ୍ଟ୍ରର ବିକାଶରେ ତାଙ୍କର ଯୋଗଦାନ ପାଇଁ ସୁଯୋଗ ସୃଷ୍ଟି କରିବା, ତାଙ୍କ ଭିତରେ ମାନବୀୟ ମୁଲ୍ୟବୋଧ ଭରିଦେବା ସ୍ୱେଚ୍ଛାସେବୀ ସଂଗଠନମାନଙ୍କର ତଥା ସମାଜର ସଚେତନ ଜନସାଧାରଣଙ୍କ ଗୁରୁ ଦାୟିତ୍ୱ ରହିଛି ବୋଲି ଶିଶୁ ବିକାଶ କେନ୍ଦ୍ରର ମାଣିକ୍ୟ ଜୟନ୍ତୀର ଉଦ୍ଯାପନୀ କାର୍ଯ୍ୟକ୍ରମରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ପାର୍ବଣରେ ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି ମୁଖ୍ୟ ଅତିଥି, ଶିଶୁ ଲେଖିକା ଡ. ସଂଗୀତା ରଥ ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବେ ଡା. ଜ୍ୟୋସ୍ନାମୟୀ ମହାପାତ୍ର ଓ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଯୋଗଦାନ କରିଥିଲେ । ସଭାପତି ମଦନ ମୋହନ ରଥଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମରେ ମା’ ଦୁର୍ଗାଙ୍କ ପୂଜା ପରେ ପ୍ରୟାସ ମହାରଣା ଓ ରୁଦ୍ରାଂଶୁ ବ୍ରହ୍ମା ବେଦ ପଠନ ଓ ପ୍ରିୟାଂସ ସାହୁ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । କସ୍ତୁରୀ ରଥ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସଂପାଦକ ମଧୁ ସାହୁ ବାର୍ଷିକ ବିବରଣୀ ପଠନ କରିଥିଲେ । ଅନୁଷ୍ଠାନର ପତ୍ରିକା ଉନ୍ମେଷ ଓ ତରୁଣ ପରିଚ୍ଛାଙ୍କ ଷଷ୍ଠ ଭାଗବତ ଗାଥାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି ଉତ୍ସବରେ ସାମ୍ବାଦିକ ଗୌରବ ଶିବ ପ୍ରସାଦ ପାଣ୍ଡିଆ, ପୂର୍ବତନ ଓଡିଶା ଅଲମ୍ପିକ ଏସୋସିଏସନ ସଭାପତି ବିଭୁ ପ୍ରସାଦ ସରକାର ଏବଂ କବି ଓ ସ୍ତମ୍ଭକାର ଗୋରାଚାନ୍ଦ ମହାନ୍ତିଙ୍କୁ ମରଣୋତ୍ତର ସମ୍ମାନରେ ସମ୍ମାନିତ କରାଯାଇଥିଲା । ବର୍ତ୍ତମାନରେ ଉପଦେଷ୍ଟା ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଡା. ଜ୍ୟୋସ୍ନାମୟୀ ମହାପାତ୍ର, ବିଶିଷ୍ଟ ଶିକ୍ଷାବିତ୍ ସତ୍ୟବନ୍ତ ବେଦବାକ, ଆଇନଜୀବୀ ଜୟରାମ ମିଶ୍ର ଓ ଶିକ୍ଷାବିତ୍ ଗିରିଜା ଶଙ୍କର ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ଛଡା ଆଦର୍ଶ ଶିକ୍ଷକ ଭାବେ କେଶବ ମିଶ୍ର ଶରୀର ଦାନ କରିଥିବାରୁ ତାଙ୍କୁ ଦଧିଚି ସମ୍ମାନ ଓ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ସୁରଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ଅଧିବେଶନ ସତ ବିନିମୟ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଡ. ଅନିତା ମିଶ୍ର, ଧର୍ମବ୍ରତ ରଥ, ଚୁଡେନ୍ଦ୍ର ବେହେରା ଓ ଡ. ପ୍ରେମଚାନ୍ଦ ମହାନ୍ତି ଯୋଗଦେଇଥିଲେ । ଚାଳିଶ ବର୍ଷର ଅଭିଜ୍ଞତାକୁ ସଭ୍ୟମାନେ ବକ୍ତବ୍ୟ ମଧ୍ୟମରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଦୁର୍ଗା ସାହୁ, ପ୍ରଶାନ୍ତ ଷଡଙ୍ଗୀ, ସୁନାଧର ବନଛୋର, ଧିରେନ୍ଦ୍ର ନାରାୟଣ ସିଂହଦେଓ, ସୀତାଂଶୁ ନାୟକ, କେଶବ ମିଶ୍ର, ଡ. ଅଶୋକ ସେଠୀ, ପ୍ରଦୀପ ପଶାୟତ, ମାଳତି ଉଦ୍ଗାତା, ନିହାରିକା ମିଶ୍ର, ଆରତି ମିଶ୍ର, ଅରୁଣ ଖୁଆସ, ମାନସ ବାଗ, କୁମୋଦିନୀ ପୃଷ୍ଠି, ଶୁଭେନ୍ଦ୍ର ନେପାକ ପ୍ରମୁଖ ସହଯୋଗ କରିଥିଲେ ।