ଜରାଇକେଲା ଥାନା ଅଞ୍ଚଳର କୋଲବୋଙ୍ଗାର ସାରଣ୍ଡା ଜଙ୍ଗଲରେ ପୁଣିଥରେ ନକ୍ସଲ ଆତଙ୍କ : ଏୟାରଟେଲ ଟାୱର ଓ ଜେନସେଟକୁ ଜଲାଇଦେଲେ
ରାଉରକଲା, (ସସ୍ମିତା ପ୍ରଧାନ) : ସୂଚନା ଅନୁସାରେ, ଜରାଇକେଲା ଥାନା ଅଧୀନ କୋଲବୋଙ୍ଗା ଗ୍ରାମରେ ଅବସ୍ଥିତ ଏୟାରଟେଲ ଟାୱରକୁ ଶନିବାର ବିଲମ୍ବିତ ରାତିରେ ପ୍ରାୟ ୧୫-୨୦ ଜଣ ଅସ୍ତ୍ରଧାରୀ ନକ୍ସଲ ଆକ୍ରମଣ କରିଥିଲେ । ସେମାନେ ଟାୱର ତଳେ ରହିଥିବା ଜେନସେଟ ଓ ଯନ୍ତ୍ରପାତି ଉପରେ ପେଟ୍ରୋଲ ଢାଲି ନିଆଁ ଲଗାଇ ଦେଇଥିଲେ । ଦେଖୁଦେଖୁ ସମସ୍ତ ଯନ୍ତ୍ରପାତି ନିଆଁରେ ଜଳି ଭସ୍ମ ହୋଇଗଲା । ଏହି ଘଟଣା ପରେ ଅଞ୍ଚଳରେ ଭୟର ପରିବେଶ ସୃଷ୍ଟି ହୋଇଛି । ଟାୱରକୁ ଜଳାଇବା ପରେ ନକ୍ସଲମାନେ ସ୍ଲୋଗାନ ଦେଇଥିଲେ ଓ ଏହା ସନ୍ଦେଶ ଦେବାକୁ ଚେଷ୍ଟା କରିଥିଲେ ଯେ, ସେମାନଙ୍କ ପ୍ରଭାବ ଏହି ଅଞ୍ଚଳରେ ଏପର୍ଯ୍ୟନ୍ତ ଜାରି ଅଛି । ଜଣାପଡ଼ୁଛି ଯେ, ନକ୍ସଲମାନେ ଏହି ଆକ୍ରମଣ ମାଧ୍ୟମରେ ସଂଚାର ବ୍ୟବସ୍ଥାକୁ ନଷ୍ଟ କରିବାକୁ ଚାହୁଁଥିଲେ, ଯେପରି ସୁରକ୍ଷା ବାହିନୀଙ୍କ ଗତିବିଧିର ସୂଚନା ବାହାରକୁ ଯାଇ ନପାରେ । ଗତ କିଛି ଦିନ ଧରି ସାରଣ୍ଡା ଅଞ୍ଚଳରେ ନକ୍ସଲ ମାନଙ୍କ ଚଳାଚଳ ଭୟଙ୍କର ଭାବେ ବଢ଼ି ଯାଇଛି । ନିକଟରେ ମଧ୍ୟ ତିନି ଜାଗାରେ ନକ୍ସଲମାନେ ଆଇ.ଇ.ଡି. ବିସ୍ଫୋରଣ କରି ସୁରକ୍ଷା ବାହିନୀଙ୍କୁ ଲକ୍ଷ୍ୟ କରିଥିଲେ, ଯେଉଁଠାରେ ଜଣେ ଯବାନ ଶହୀଦ ହୋଇଥିଲେ ଓ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସୁରକ୍ଷା ବାହିନୀ ନକ୍ସଲ ବିରୋଧୀ ଅଭିଯାନକୁ ତୀବ୍ର କରିଛନ୍ତି ଓ ଜଙ୍ଗଲ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି । ନକ୍ସଲମାନଙ୍କ ପ୍ରତ୍ୟେକ ଗତିବିଧି ଉପରେ ନଜର ରଖାଯାଉଛି । ନିରନ୍ତର ହେଉଥିବା ଏହିପରି ନକ୍ସଲ ଘଟଣାରୁ ସାରଣ୍ଡା ଓ ତାହାର ଆଖପାଖ ଅଞ୍ଚଳରେ ଭୟ ଓ ଅସୁରକ୍ଷାର ପରିସ୍ଥିତି ସୃଷ୍ଟି ହୋଇଛି ।