ମହାରାଷ୍ଟ୍ର ପୁନେରେ ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀଙ୍କ ‘ନୂଆଁଖାଇ ଭେଟ୍‌ଘାଟ୍‌’

ପୁନେ : “ନୂଆଁଖାଇ” ପଶ୍ଚିମ ଓଡିଶାର ମହାନ ଗଣପର୍ବ । ଚଳିତ ମାସ ତା.୨୧.୦୯.୨୦୨୫ ପୁନେ ଠାରେ ଭେଟ୍-ଘାଟ୍ କଲ୍ଚରାଲ୍ ଆସୋସିଏସନ୍ ଦ୍ୱାରା ମହା ଆଡମ୍ବରରେ “ନୂଆଁଖାଇ” ଭେଟ୍-ଘାଟ ଆୟୋଜନ କରାଯାଇଥିଲା । ଏହି ନୂଆଁଖାଇ ଭେଟ୍‌ଘାଟ୍ କାର୍ଯ୍ୟକ୍ରମରେ ୬୦୦ରୁ ଅଧିକ ଲୋକ ଯୋଗ ଦେଇଥିଲେ । ଏଇ ବର୍ଷ ନୂଆଁଖାଇ ଭେଟ୍‌-ଘାଟ୍ ମହାରାଷ୍ଟ୍ରର ପୁନେ ସ୍ତିତ ଅଂକୁଶରାଓ ଲାଂଡ଼ଗେ ନାଟ୍ୟଗୃହ, ଭୋଶରୀ ଠାରେ ଅନୁଷ୍ଠିତ ହୋଇଥିଲା । ମହାରାଷ୍ଟ୍ର ପୁନେର ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀଙ୍କ ଦ୍ଵାରା ପଞ୍ଜୀକୃତ “ଭେଟଘାଟ କଲ୍ଚରାଲ ଏସୋସିଏସନ୍” ୨୦୦୫ରୁ ପ୍ରତ୍ୟେକ ବର୍ଷ ଏହା ପାଳନ କରି ଆସୁଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରପ୍ତ ଆଇପିଏସ୍‌ ଅଧିକାରୀ ସଂଜୀବ ପାଟ୍ଟଯୋଶୀ ଯୋଗ ଦେଇଥିଲେ । ଏହି ବର୍ଷ କିନ୍ତୁ ନୂଆଁଖାଇ ଭେଟ୍‌ଘାଟ୍ କାର୍ଯ୍ୟକ୍ରମ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା । ସତରେ କହିବାକୁ ଗଲେ ନୂଆଁଖାଇର ଅର୍ଥ ହେଲା ନୂତନ (ନୂଆଁ) ଖାଦ୍ୟ (ଖାଇ) । ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି, ଅର୍ଥାତ୍ ଶ୍ରୀଗଣେଶ ଚତୁର୍ଥୀର ପରଦିନ ହିଁ ଏହି ଉତ୍ସବ ପଶ୍ଚିମ ଓଡିଶାର ଘରେ ଘରେ ପାଳିତ ହୋଇଥାଏ । ନୂଆଁ ଧାନର ଚାଉଳ, ଶସ୍ୟକୁ ନିଜ ନିଜର ଆରାଧ୍ୟ ଦେବୀ ଦେବତାଙ୍କ ଠାରେ ଅର୍ପଣ ଲଗାଯାଇଥାଏ । ଏହି ବର୍ଷ ଅତ୍ୟନ୍ତ ଆକର୍ଷଣୀୟ ସହକାରେ ପାଳନ କରିଥିଲା ଭେଟ୍‌ଘାଟ୍ କଲ୍ଚରାଲ୍ ଆସୋସିଏସନ୍, ପୁନେ । ଏହି ଅବସରରେ ସମସ୍ତେ, ପଶ୍ଚିମ ଓଡିଶାର ପ୍ରସିଦ୍ଧ ସମ୍ବଲପୁରୀ ବସ୍ତ୍ର ପରିଧାନ କରିଥିଲେ । ଏହି ଉତ୍ସବ ସକାଳ ୧୦ଟା ବେଳେ ଆରମ୍ଭ ହୋଇଥିଲା । ପ୍ରଥମେ ମା’ ସମଲେଇଙ୍କ ପୂଜା ଅର୍ଚ୍ଚନା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏ ବର୍ଷ ଓଡିଶାର ପ୍ରସିଦ୍ଧ ଲୋକନୃତ୍ୟ ଦଳ ଦୂଲଫୂଲ କଳାପରିଷଦ, ଭୂତିଆବାହାଲ; ବରଗଡକୁ ଆମନ୍ତ୍ରଣ କରାଯାଇଥିଲା । ଗୀତ ବାଦ୍ୟରେ ଖୁବ୍ ଝୁମିଥିଲେ ଦର୍ଶକ । କଳା ଓ ସଂସ୍କୃତିକୁ ପ୍ରଚାର୍ ପ୍ରସାର କରିଥିବା ସମ୍ବଲପୁରୀ ଭୁୁଖା ଫିଲ୍ମ ସଂଗୀତ ନିର୍ଦ୍ଦେଶକ ରମେଶ ମହାନନ୍ଦଙ୍କୁ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସକାଳର ଚା’ପାନ ଠୁ ଆରମ୍ଭ କରି ପଶ୍ଚିମ ଓଡିଶାର ସ୍ୱାଦିଷ୍ଟ ଖାଦ୍ୟ ଭାତ, ଡାଲି, କରଡି ଆମ୍ବିଲ, ଘାଣ୍ଟ ତରକାରୀ, କ୍ଷୀରି, ଆରିସାପିଠା ଇତ୍ୟାଦି ଅନେକ ସୁସ୍ୱାଦୁ ଖାଦ୍ୟର ଆନନ୍ଦିତ ହୋଇଥିଲେ । ପ୍ରତ୍ୟେକ ବର୍ଷ ଠାରୁ ଏହି ବର୍ଷ କିନ୍ତୁ ଭିନ୍ନ ଏକ ଆକର୍ଷଣ ଥିଲା ମଞ୍ଚ, ସୁନ୍ଦର ଭାବରେ ସୁସଜ୍ଜିତ ହୋଇ ଦର୍ଶକମାନଙ୍କ ମନକୁ ଛୁଇଁ ଯାଇଥିଲା । ଏହି ଅବସରରେ ଭେଟ୍‌ଘାଟ୍ କଲ୍ଚରାଲ୍ ଆସୋସିଏସନ୍‌ର ସଭାପତି ହେମସାଗର ସାହୁ ଭବିଷ୍ୟତରେ ଏହି ଭେଟ୍‌ଘାଟ୍ ମହୋତ୍ସବକୁ କିପରି ଭାବରେ ଆଗକୁ ନିଆରା ଢଙ୍ଗରେ ପାଳିତ ହୋଇପାରିବ, ସେଥିପାଇଁ ସେ ଆସୋସିଏସନ୍‌ର ସମସ୍ତ ସଦସ୍ୟ ମାନଙ୍କୁ ଆହ୍ୱାନ ଓ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ବର୍ଷ ବି ଆସୋସିଏସନ୍ ତରଫରୁ ଭେଟ୍‌ଘାଟ୍ ବାର୍ଷିକ-ପତ୍ରିକା ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ପିଙ୍କି ଶର୍ମା ମଞ୍ଚ ପରିଚାଳନାରେ ଥିବାବେଳେ ସଙ୍ଘର ସଞ୍ଜୟ ମହାନ୍ତି, ଦିବ୍ୟକିଶୋର୍ ବକ୍ସି, ଅନୁପ ମିଶ୍ର ଓ ସମସ୍ତ ପୁୁରୁୁଷ ଏବଂ ମହିଳା ସଦସ୍ୟ ଦାୟିତ୍ଵ ତୁଲାଇଥିଲେ । ଶେଷରେ ସଭାପତି ହେମସାଗର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.