ମୁରିବାହାଲ ବ୍ଲକସ୍ତରୀୟ ଜିପିଏଲଏଫ୍ ମିଶନ ଶକ୍ତି- ଓଏଲଏମ କର୍ମୀ ସଂଘ ପକ୍ଷରୁ ୬ଦଫା ଦାବୀ ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ଜିପିଏଲଏଫ ମିଶନ ଶକ୍ତି- ଓଏଲଏମ କର୍ମୀ ସଂଘ ପକ୍ଷରୁ ୬ଦଫା ଦାବୀ ନେଇ ବିଡ଼ିଓଙ୍କୁ ଦାବୀପତ୍ର ଦେବା ସହ ଅଫିସ୍ ବନ୍ଦ କରି ସମ୍ମୁଖରେ ଗଣଧାରଣା ଦେଉଛନ୍ତି । ବିଡ଼ିଓଙ୍କୁ ଦିଆଯାଇଥିବା ଦାବୀପତ୍ର ମୁତାବକ ବ୍ଲକ ଅନ୍ତର୍ଗତ ୨୨ଟି ଗ୍ରାମପଞ୍ଚାୟତ ମହାସଂଘ ସ୍ତରରେ କାର୍ଯ୍ୟ କରୁଥିବା ୬ଗୋଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଏମବିକେ, ବ୍ୟାଙ୍କ୍ ମିତ୍ର, ସିଆରପି, କୃଷିମିତ୍ର ଓ ପ୍ରାଣୀମିତ୍ରମାନେ ଦୀର୍ଘ ୧୦ବର୍ଷ ଧରି ନିରବଚ୍ଛିନ୍ନ ଭାବେ ସରକାରଙ୍କ ସମସ୍ତ ଯୋଜନାକୁ ତୃଣମୂଳ ସ୍ତରରୁ ରୂପାୟିତ କରି ଆସୁଛନ୍ତି । ସେମାନେ ତାଙ୍କର ପାରିଶ୍ରମିକ ବାବଦରେ ପୂର୍ବରୁ ସ୍ଥାୟୀ ଦରମା ଆକାରରେ ପାଉଥିଲେ କିନ୍ତୁ ୨୦୨୫-୨୬ ଆର୍ଥିକ ବର୍ଷରୁ କାର୍ଯ୍ୟଦକ୍ଷତା ଆଧାରରେ ବୋନସ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟ ଦାବୀଗୁଡ଼ିକ ମଧ୍ୟରେ ପୂର୍ବ ପରି ସ୍ଥାୟୀ ଦରମା ପ୍ରଦାନ, ସ୍ଥାୟୀ ନିଯୁକ୍ତି, ଆକାଉଣ୍ଟ ପେ ପ୍ରଦାନ, କାର୍ଯ୍ୟଦକ୍ଷତା ବୋନସ ପ୍ରୋତ୍ସାହନ ପ୍ରଦାନ ବନ୍ଦ କରିବା, ୬ମାସର ବକେୟା ରାଶି ପ୍ରଦାନ ତଥା କାର୍ଯ୍ୟ ଅନୁଯାୟୀ ବର୍ଦ୍ଧିତ ପାରିଶ୍ରମିକ ଦାବୀ ଆଦି ରହିଥିବା ଜଣାପଡିଛି । ବିଡ଼ିଓଙ୍କ ଅନୁପସ୍ଥିତିରେ ବ୍ଲକ ସେକ୍ସନ ଅଫିସର ରାଜେନ୍ଦ୍ର ନାଏକ ଦାବୀପତ୍ର ଗ୍ରହଣ କରିଥିଲେ । ଏହି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ୟ୍ୟବନ୍ଦ ଓ ଓଏଲଏମ ଅଫିସ, ବ୍ଲକ ଅଫିସ ସମ୍ମୁଖରେ ଗଣଧାରଣା ସୋମବାର ଠାରୁ ଦାବୀ ପୂରଣ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି । ଅଫିସ୍ ବନ୍ଦ କରି ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଯୋଗୁଁ ଅଫିସ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଓଏଲଏମ ବିପିଏମ ଡ ଗୋପାଳକୃଷ୍ଣ ଦୀପ ସ୍ୱୀକାର କରିଛନ୍ତି । ବ୍ଲକ ମିଶନ ଶକ୍ତି ସଂଘ ସଭାନେତ୍ରୀ ରୋଜି ସାହୁ, ସମ୍ପାଦିକା ଅଞ୍ଜଳି ସାହୁ, ମଥାମଣି ହରପାଲ, ଯୋଗେଶ୍ୱରୀ ବାଗ, ରଶ୍ମିତା ଲୁହା, ଥବୀର ସା, ସରୋଜ ସାହୁ ଓ ଭ୍ରମର ପଧାନଙ୍କ ସହ ମୋଟ ୨୧୩ଜଣ ଷ୍ଟାଫ୍ ଗଣଧାରଣା ଦେଉଥିବା ଜଣାପଡିଛି ।

Leave A Reply

Your email address will not be published.