ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ତୀର୍ଥକ୍ଷେତ୍ର ନୃସିଂହନାଥ ସ୍ଥିତ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜ ଧର୍ମଶାଳା ଠାରେ ପାଇକମାଲ ବ୍ଲକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ସଭାପତି ଅନୀଲ କୁମାର କାଳିଆଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି । ସଭାପତିଙ୍କ ସ୍ଵାଗତ ଭାଷଣ ପରେ ବରିଷ୍ଠ ସଦସ୍ୟ ଗିରିଶ ଚନ୍ଦ୍ର ନାୟକ ସଙ୍ଘର ଲକ୍ଷ୍ୟ ଉଦ୍ଦେଶ୍ୟ ଏବଂ ନିୟମାବଳୀ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ନୂତନ ସଭ୍ୟମାନେ ନିଜ ନିଜର ପରିଚୟ ପ୍ରଦାନ କରିବା ପରେ ସେମାନଙ୍କୁ ଚନ୍ଦନ-ସିନ୍ଦୂର ତିଳକ ଲଗାଇ ସ୍ଵାଗତ କରିବା ସହ ସଙ୍ଘ ଅନ୍ତର୍ଭୁକ୍ତ କରାଯାଇଥିଲା । ଏହି ଅବସରପ୍ରାପ୍ତ କର୍ମଚାରୀ ସଙ୍ଘକୁ ପାଇକମାଲ, ମାଣ୍ଡୋସିଲ ଓ ଟେମରୀ ହିସାବରେ ତିନୋଟି ଅଞ୍ଚଳରେ ବିଭକ୍ତ କରାଯାଇଛି । ତିନୋଟି ଯାକ ଜୋନର କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ପୁରି ଯାଉଥିବାରୁ ଏବଂ ସମ୍ପାଦକ ପ୍ରଫୁଲ୍ଲ କୁମାର ପାଣିଗ୍ରାହୀଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ଥିବାରୁ ପ୍ରତ୍ୟେକ ଜୋନରୁ ସାତଜଣ ଲେଖାଏଁ ନୂତନ କର୍ମକର୍ତ୍ତା ଚୟନ କରାଗଲା । ମାଣ୍ଡୋସିଲ ଜୋନ ଗୋକୁଳାନନ୍ଦ ଦଣ୍ଣ୍ଡସେନା, ଭୋଜରାଜ ବୁଡେକ, ରାଧେଶ୍ୟାମ ପଟେଲ, ଲୋଦୋରୋ ଗଇଁତା, ଦୈତାରୀ ମାଝୀ, ସଦାନନ୍ଦ ସାହୁ, ଅମରସିଂହ ଧରୁଆ, ଟେମରୀ ଜୋନରୁ ନୃପରାଜ ପ୍ରଧାନ, ଗୌରୀଶଙ୍କର ବାରିକ, ପୀତାମ୍ବର ସାହୁ, ବିଶ୍ଵନାଥ ସାହୁ, ଶଂକର୍ଷଣ ବ୍ରହ୍ମଚାରୀ, ରାଧାକୃଷ୍ଣ ଶାହା, ଫକୀର ମୋହନ ରଣା, ପାଇକମାଲ ଜୋନରୁ ଅନିଲ କୁମାର କାଳିଆ, ଡୋଳାମଣି ମାହାର, ନନ୍ଦଲାଳ ନାୟକ, ହୃଦାନନ୍ଦ ଭୋଇ, ଉପେନ୍ଦ୍ର ଠାକୁର, ଗିରୀଶ ଚନ୍ଦ୍ର ନାୟକ ଏବଂ କର୍ମୁ ବିଶ୍ୱାଳଙ୍କୁ ଚୟନ କରାଗଲା । ଡୋଳାମଣି ମାହାରଙ୍କୁ ନୂତନ ସମ୍ପାଦକ ଭାବରେ ମନୋନୀତ କରାଗଲା । ନୂତନ ସଦସ୍ୟଙ୍କ ମଧ୍ୟରୁ ଅନେକ ସଦସ୍ୟ ବ୍ଲକ ଗ୍ରାଣ୍ଟ ଅନ୍ତର୍ଭୁକ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଅବସର ନେଇଛନ୍ତି ଏବଂ ସେମାନେ ସରକାରଙ୍କ ନିୟମ ଅନୁସାରେ ପେନସନ, ଗ୍ରାଚୁଇଟି ଆଦି କୌଣସି ଅବସର କାଳୀନ ଆର୍ଥିକ ସହାୟତା ପାଉନାହାନ୍ତି । ସେ ସମ୍ପର୍କରେ ସଙ୍ଘ ତରଫରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ଥିର କରାଗଲା । ପୁନର୍ଗଠିତ ନୂତନ କର୍ମକର୍ତ୍ତା ସଙ୍ଘର ଆଭିମୁଖ୍ୟକୁ ସୁଦୃଢ କରିବା ସହିତ ବିଭିନ୍ନ ଉନ୍ନତିମୂଳକ ଯୋଜନାକୁ ଗୁରୁତ୍ଵ ଦିଆଯିବ ବୋଲି ଦୃଢ ମତପ୍ରକାଶ କରିଥିଲେ । ଶେଷରେ ଡୋଳାମଣି ମାହାର ଧନ୍ୟବାଦ ଅର୍ପଣ କରିଥିଲେ ।