୨୩ ଦିନ ଧରି କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରୁଛନ୍ତି ପ୍ରାଣୀ ଚିକିତ୍ସକ : ଦାବି ପୂରଣ ନହେଲେ ଖୁବ ଶୀଘ୍ର ଦେବେ କାର୍ଯ୍ୟ ବନ୍ଦ ଡାକରା
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସରକାର ପ୍ରାଣୀ ସମ୍ପଦକୁ ଗୁରୁତ୍ଵ ଦେବା ସହ ଚାଷୀ ତଥା ପଶୁମାନଙ୍କ ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ତାହାର ୧୦ ପ୍ରତିଶତ ବି ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଖର୍ଚ୍ଚ କରୁ ନାହାନ୍ତି । ସେହିଭଳି ଚିକିତ୍ସକଙ୍କ ଅଭାବ ମଧ୍ୟ ରହୁଛି । ପ୍ରାଣୀ ସମ୍ପଦ ନିରୀକ୍ଷକଙ୍କ ମଧ୍ୟ ଅଭାବ ରହିଥିବା ବେଳେ ଦରମା ଅସଙ୍ଗତି ସାଙ୍ଗକୁ ପଦୋନ୍ନତି ଏବଂ ଡିଏସ୍ପିରେ ଆଖି ଦୃଶିଆ କାର୍ଯ୍ୟପନ୍ଥା ଗ୍ରହଣ କରୁନାହାନ୍ତି । ଏନେଇ ଗତ ୨୫ ତାରିଖରୁ ପ୍ରାଣୀ ଚିକିତ୍ସକ ସଂଘ କଳା ବ୍ୟାଚ୍ ପିନ୍ଧି ଚିକିତ୍ସା ସେବା ଯୋଗାଇବା ସହିତ ସରକାରୀ ସ୍ତରରେ ଅଧିକାରୀଙ୍କୁ ଅବଗତ କରିଛନ୍ତି । ଦୀର୍ଘ ୨୩ ଦିନ ବିତି ଯାଇଥିଲେ ହେଁ ସରକାର କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି । ବିଧାନସଭା ଅଧିବେଶନ ପୂର୍ବରୁ ସରକାର ଯଦି କିଛି କାର୍ଯ୍ୟପନ୍ଥା ଗ୍ରହଣ ନ କରିବେ ତେବେ ବ୍ୟକ୍ତିଗତ ଜିନିଷରେ ପ୍ରାଣୀ ଚିକିତ୍ସକ କାର୍ଯ୍ୟ ବନ୍ଦ କରିବେ ବୋଲି ସୂଚନା ମିଳିଛି । ଅନ୍ୟ ପକ୍ଷରେ ବର୍ଷ ବର୍ଷ ଧରି ଏହି ଦାବି ଜଣାଇବା ସତ୍ତ୍ୱେ ସରକାର ଶୁଣୁ ନ ଥିବା ବେଳେ ସଂଘ ଯେକୌଣସି ମୁହୂର୍ତ୍ତରେ କିଛି ବି ପଦକ୍ଷେପ ଗ୍ରହଣ କଲେ ଆମେ ସେଥିରେ ସାମିଲ ହେବୁ ବୋଲି ଟିଟିଲାଗଡ଼ ପ୍ରାଣୀ ଚିକିତ୍ସକ ଡ. ଶୁଭେନ୍ଦୁ ରଞ୍ଜନ ସେଠୀ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି । ପ୍ରାଣୀ ଚିକିତ୍ସକଙ୍କ ସଂଖ୍ୟା କମ ଥିବା ବେଳେ ଦୀର୍ଘ ୨୨/୨୩ ବର୍ଷ ହେବ ସେମାନଙ୍କୁ ଗୋଟିଏ ଦରମା ହାରରେ କାର୍ଯ୍ୟ କରିବାକୁ ପଡୁଛି । ପାଖାପାଖି ୪୦ ପ୍ରତିଶତ ଅଧିସ୍ତନ କର୍ମଚାରୀ ପଦ ମଧ୍ୟ ଖାଲିପଡ଼ିଛି । ଯାହାକି ପ୍ରାଣୀ ଚିକିତ୍ସକଙ୍କୁ ଅଧିକ ଚାପ ଗ୍ରସ୍ତ କରିଛି । ସେଥିପାଇଁ ପ୍ରାଣୀ ପାଳନ ବିଭାଗର ସମ୍ପୂର୍ଣ୍ଣ ରୂପାନ୍ତରଣ ସହ ଆବଶ୍ୟକ କ୍ୟାଡ଼ର ପୁନର୍ଗଠନ ପାଇଁ ସଂଘ ଦାବି କରିଛି ।