ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଲି କ୍ଲଷ୍ଟରର ସିଆର୍ସିସି ଦିବସ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଗୁଡ଼ିକର ସଫଳ ରୂପାୟନ ହୋଇପାରୁଛି । ଏହି କ୍ରମରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟ ବାହାରେ ଥିବା ଅଧାରୁ ପାଠ ଛାଡିଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ “ଆସ ସ୍କୁଲ ଯିବା’ ଅଭିଯାନ ମାଧ୍ୟମରେ ପ୍ରତିଦିନ ଛାତ୍ରଛାତ୍ରୀମାନେ ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି । ତୁମୁରିପାଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତିନିଜଣ ଛାତ୍ର କୌଣସି କାରଣ ବଶତଃ ଅଷ୍ଟମ ଶ୍ରେଣୀ ପରେ ପାଠପଢା ଛାଡ଼ି ଦେଇଥିଲେ । ସେମାନେ କିଭଳି ପୁଣିଥରେ ପାଠ ପଢିପାରିବେ ସେନେଇ ଶ୍ରୀ ସାହୁ ତୁମୁରିପାଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀକାନ୍ତ ରଣାଙ୍କ ସହ ଆଲୋଚନା କରିଥିଲେ । ତାଙ୍କ ସହ ପିଲାମାନଙ୍କ ଘରକୁ ଯାଇ ତାଙ୍କର ଅଭିଭାବକମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ଶ୍ରୀ ସାହୁ ପିଲାମାନଙ୍କୁ ବୁଝାଇବା ପରେ ଓଡିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ ଶାଖା ଝାରବନ୍ଧରେ ନାମ ଲେଖାଇବା ପାଇଁ ରାଜି ହୋଇଥିଲେ । ଏହାପରେ ଶ୍ରୀ ସାହୁ ଏବଂ ଲକ୍ଷ୍ମୀକାନ୍ତ ରଣା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଝାରବନ୍ଧକୁ ଯାଇ ପିଲାମାନଙ୍କ ନାମ ଲେଖାଇଥିଲେ । ଏହି ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୟାନିଧି ସାହୁ ପିଲାମାନଙ୍କ ନାମ ଲେଖାଇଥିଲେ । ସିଆର୍ସିସି ଶ୍ରୀ ସାହୁଙ୍କ ଉଦ୍ୟମକୁ ଝାରବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶୁଭମ କୁମାର ପତି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦୟାନିଧି କୈବର୍ତ୍ତ ଏବଂ ବିଶିକେଶନ ଶତପଥୀ ପ୍ରଶଂସା କରିଥିଲେ । ତିନି ଛାତ୍ର ଅନିଶ ରାଉତ, ପରମେଶ ନିଆଲ ଏବଂ ଶିଶୁପାଳ ଧିଣ୍ଡା ପୁଣିଥରେ ପାଠ ପଢ଼ାର ସୁବିଧା ସୁଯୋଗ ପାଇଥିବାରୁ ଖୁସିବ୍ୟକ୍ତ କରିବା ସହ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post