ରାଉରକେଲା, (ସସ୍ମିତା ପ୍ରଧାନ) : ସିପିଆଇଏମ୍ର ପୂର୍ବତନ ସାଧାରଣ ସମ୍ପାଦକ କମ୍ରେଡ୍ ସୀତାରାମ ୟେଚୁରୀଙ୍କ ପ୍ରଥମ ମୃତ୍ୟୁବାର୍ଷିକୀରେ, ତାଙ୍କର ତ୍ୟାଗ ଏବଂ ସଙ୍ଘର୍ଷପୂର୍ଣ୍ଣ ଜୀବନର ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଆଜି ତାଙ୍କର ପ୍ରଥମ ମୃତ୍ୟୁ ବାର୍ଷିକୀ ଅବସରରେ ସ୍ଥାନୀୟ ଶକ୍ତିନଗର ସ୍ଥିତ ସିପିଆଇଏମ୍ ଜିଲ୍ଲା କାର୍ଯ୍ୟାଳୟ ଏ.କେ.ଜି ଭବନ ଠାରେ ପାର୍ଟିର ରାଉରକେଲା ଆଂଚଳିକ କମିଟି ପକ୍ଷରୁ ସଂପାଦକ ରାଜକିଶୋର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପାର୍ଟିର ବହୁ ସଦସ୍ୟ କମ୍ରେଡ୍ ସୀତାରାମଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ବକ୍ତବ୍ୟ ରଖି କହିଥିଲେ ଯେ, କମ୍ରେଡ ସୀତାରାମ ୟେଚୁରୀ କେବଳ ଜଣେ ନେତା ନଥିଲେ ସେ ଥିଲେ ବିଚାରର ଦୃଢ଼ ସ୍ୱର, ଗଣତନ୍ତ୍ର, ଧର୍ମନିରପେକ୍ଷତା ଓ ସମାଜବାଦର ନିର୍ଭୀକ ପ୍ରଚାରକ ଏବଂ ଶ୍ରମଜୀବୀ ଲୋକଙ୍କ ଅଧିକାର ପାଇଁ ଜୀବନ ବ୍ୟାପୀ ସଂଗ୍ରାମ କରିଛନ୍ତି । ତାଙ୍କ କଥା ପ୍ରେରଣା ଦେଉଥିଲା, ତାଙ୍କ ବୁଦ୍ଧି ଆମ ସଂଘର୍ଷକୁ ତୀକ୍ଷ୍ଣ କରୁଥିଲା, ଏବଂ ପୀଡ଼ିତଙ୍କ ପ୍ରତି ତାଙ୍କର ଅଟଳ ପ୍ରତିବଦ୍ଧତା ପିଢ଼ିପିଢ଼ିକୁ ଶକ୍ତି ଦେଉଥିଲା । ଯଦିଓ ସେ ଶରୀରରେ ଆମ ସହ ନାହାଁନ୍ତି, ତାଙ୍କ ଆଦର୍ଶଗତ ବିଚାର, ସଂଘର୍ଷ ଓ ନ୍ୟାୟପୂର୍ଣ୍ଣ ସମାଜ ପ୍ରତିଷ୍ଠା ପାଇଁ ମାନବୀୟ ଦୃଷ୍ଟିକୋଣ ର ଅମର ସ୍ମୃତି ଆମ ସହ ଚାଲିଛି । ତାଙ୍କୁ ସର୍ବୋତ୍ତମ ଶ୍ରଦ୍ଧାଞ୍ଜଳି ହେଉଛି ତାଙ୍କର ଅସମ୍ପୂର୍ଣ୍ଣ ଲଢେଇଗୁଡ଼ିକୁ ଆଗେଇ ନେବା ସାମ୍ପ୍ରଦାୟିକତା ବିରୋଧରେ, ଶୋଷଣ ବିରୋଧରେ, ଅସମାନତା ବିରୋଧରେ ଏବଂ ସମାଜବାଦ ପ୍ରତିଷ୍ଠା ଲକ୍ଷ୍ୟରେ ଆଗେଇ ନେବା, ଯାହା ପାଇଁ ସେ ଜୀବନବ୍ୟାପୀ ଅବଦାନ ଦେଇଥିଲେ ଓ ସଙ୍ଘର୍ଷ କରିଥିଲେ । କମ୍ରେଡ ୟେଚୁରୀ ଲୋକଙ୍କ ସଂଘର୍ଷରେ ଅମର, ତାଙ୍କ ଜୀବନ ଆମର ସଂଗ୍ରାମର ଅସ୍ତ୍ର ବୋଲି ମତ ପ୍ରକାଶ କରିବା ସହିତ ତାଙ୍କର ପାର୍ଟି ପ୍ରତି ଅବଦାନ ତାଙ୍କୁ ସର୍ବଦା ଚିର ସ୍ମରଣୀୟ କରି ରଖିବ ବୋଲି କହିଥିଲେ ।
Next Post