ଝାରବନ୍ଧ ବ୍ଲକ ସ୍ତରୀୟ କ୍ରୀଡ଼ାରେ ଚମକିଲେ ବୈତାଲି କ୍ଲଷ୍ଟରର ଛାତ୍ରଛାତ୍ରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ପୁଣିଥରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ବୈତାଲି କ୍ଲଷ୍ଟରର ଛାତ୍ରଛାତ୍ରୀ । ବିଗତ ଦୁଇ-ତିନିବର୍ଷ ମାନଙ୍କରେ ଯେଭଳି ଭାବେ ବୈତାଲି କ୍ଲଷ୍ଟରରେ ସିଆର୍‌ସିସି ଦିବସ କୁମାର ସାହୁଙ୍କ ନେତୃତ୍ୱରେ କ୍ରୀଡ଼ା ଏବଂ କ୍ରୀଡ଼ାବିତଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଆସୁଛି ତାହାର ପ୍ରତିଫଳନ ବ୍ଲକରୁ ଆରମ୍ଭ କରି ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ଦେଖିବାକୁ ମିଳୁଛି । ଚଳିତ ବର୍ଷ ଗୌଡ଼ମାଲ ଅଞ୍ଚଳ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଝାରବନ୍ଧ ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଚଳିତ ବର୍ଷ ୧୪ ବର୍ଷରୁ କମ ବାଳିକା ବିଭାଗ ଯୋଗାସନ ପ୍ରତିଯୋଗିତାରେ ପୁଟୁକିଡୁଙ୍ଗୁରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ସ୍ନେହା ନାଏକ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ତଥା କ୍ଲଷ୍ଟରର ଗୌରବ ବୃଦ୍ଧି କରିଛନ୍ତି । ସେହିଭଳି ଭାବରେ ୧୪ ବର୍ଷରୁ କମ ବାଳିକା ବିଭାଗ ଖୋ-ଖୋ ପ୍ରତିଯୋଗିତାରେ ଡୁଙ୍ଗୁରିଚଢା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୁଇଜଣ ଛାତ୍ରୀ ଜୟସ୍ମିତା ଅମରି ଏବଂ ଆଦ୍ୟାଶା ହାତୀ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ ହୋଇଥିବା ବେଳେ ସଂକ୍ରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୁଇଜଣ ଛାତ୍ରୀ ସ୍ନେହା ଭୁଏ ଏବଂ ଅଞ୍ଜନା ଭୋଇ ଜିଲ୍ଲାସ୍ତରକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ଅନୁରୂପ ଭାବେ ୧୪ ବର୍ଷରୁ କମ ବାଳକ ବିଭାଗ ଖୋ-ଖୋ ପ୍ରତିଯୋଗିତାରେ ଡୁଙ୍ଗୁରିଚଢା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଜୁ ଅମରି ଏବଂ ମନୋଜ ପଟେଲ ଜିଲ୍ଲାସ୍ତର ପାଇଁ ଚୟନ ହୋଇଥିବା ବେଳେ ସନଦାଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଟେକରାଜ ବାଗ ମଧ୍ୟ ଜିଲ୍ଲାସ୍ତର ପାଇଁ ଚୟନ ହୋଇ ଉଭୟ ବିଦ୍ୟାଳୟ ଏବଂ କ୍ଲଷ୍ଟର ପାଇଁ ଗୌରବ ଆଣିଛନ୍ତି । ଏହା ପରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ବୈତାଲି କ୍ଲଷ୍ଟର ଅନ୍ତର୍ଗତ ଅମଠି ଉଚ୍ଚ ବିଦ୍ୟାଳୟର ୩ ଜଣ ଛାତ୍ରୀ ଜିଲ୍ଲାସ୍ତରରେ ନିଜର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଚୟନ ହୋଇଛନ୍ତି । ଏଥି ମଧ୍ୟରୁ ଦୁଇଜଣ ଛାତ୍ରୀ ମାନିନୀ ପଟେଲ ଏବଂ ପୁନମ ନାଏକ ୧୭ ବର୍ଷରୁ କମ ବାଳିକା ବିଭାଗରେ ଖୋ-ଖୋ ପ୍ରତିଯୋଗିତାରେ ଚୟନ ହୋଇଥିବା ବେଳେ ଗୁଞ୍ଜନ ପଟେଲ ୧୭ ବର୍ଷରୁ କମ ବାଳିକା ବିଭାଗର ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଚମ୍ପିୟାନ ହୋଇ ଜିଲ୍ଲାସ୍ତରରେ ଖେଳିବା ପାଇଁ ଚୟନ ହୋଇଛନ୍ତି । ଏହା ବ୍ୟତୀତ ସଂକ୍ରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ପିୟୂଷ ଦୂତକଅଁରିଆ ଏବଂ ଡୁଙ୍ଗୁରିଚଢା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ମନୋଜ ପଟେଲ ୧୭ ବର୍ଷରୁ କମ ହକି ପ୍ରତିଯୋଗିତା ପାଇଁ ଚୟନ ହୋଇଛନ୍ତି ଏବଂ ଡୁଙ୍ଗୁରିଚଢା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ରାଜକୁମାର କେଉଁଟ ୧୪ ବର୍ଷରୁ କମ ବାଳକ ବିଭାଗ ଚେସ ପ୍ରତିଯୋଗିତାରେ ବ୍ଲକର ଚମ୍ପିୟାନ ହୋଇଛନ୍ତି । ଛାତ୍ରଛାତ୍ରୀଙ୍କ ଏହି ସଫଳତା ପଛରେ କ୍ଲଷ୍ଟରର ବିଭିନ୍ନ ବିଦ୍ୟାଲୟର ଶିକ୍ଷକ ସନାତନ ବରିହା, ରାଜେଶ ପ୍ରଧାନ, ସୋନୁ ରୋହିଦାସ, ସବିତ ମହାଲିଙ୍ଗ, ଅମିତା ନାୟକ ତଥା ଯୋଗୀନ୍ଦ୍ର ପ୍ରଧାନଙ୍କ ଅତୁଳନୀୟ ଅବଦାନ ରହିଛି ବୋଲି ସିଆର୍‌ସିସି ଶ୍ରୀ ସାହୁ କହିଛନ୍ତି ।

Leave A Reply

Your email address will not be published.