ଜୟପାଟଣା, (ଶେଷଦେବ ବେହେରା) : ଦାରିଦ୍ର୍ୟତାର କଷାଘାତ ମଧ୍ୟରେ ଯେଉଁମାନେ ନିଜର ଶକ୍ତ ମାନସିକତା ବଳରେ ସମସ୍ତ ଘାତ ପ୍ରତିଘାତକୁ ଅତିକ୍ରମ କରି ନିର୍ଦ୍ଧିଷ୍ଟ ଲକ୍ଷ୍ୟରେ ପହଞ୍ଚି ପାରନ୍ତି ସେହିମାନେ ହିଁ ବାସ୍ତବ ସାଧକ । ସେପରି ଏକ ଯନ୍ତ୍ରଣା ଦାୟକ ଜୀବନ ପ୍ରବାହ ମଧ୍ୟରେ ଗ୍ରାମ୍ୟ ଚପଳତା ସାଙ୍ଗକୁ ଦାରିଦ୍ର୍ୟତା ମଧ୍ୟରେ ବଢ଼ି ଆସିଥିବା ଆଦିବାସୀ ଝିଅ ବିଦୁ ଦାରିଦ୍ର୍ୟତାକୁ ପଛରେ ପକାଇ ଏବେ ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହିତ ବ୍ରହ୍ମପୁର ସ୍ଥିତ ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରୀ ଭାବରେ ନାମ ଲେଖାଇ ସମଗ୍ର ଅଞ୍ଚଳ ପାଇଁ ଉଦାହରଣ ପାଲଟିଛନ୍ତି । ଫଳରେ ଅନେକ ଶୁଭେଚ୍ଛୁ, ସାମାଜିକ କର୍ମୀ, ଉଚ୍ଚ ଅଧିକାରୀ, ସାମାଜିକ ସଂଗଠନ ଏବେ ସେହି ପଲ୍ଲୀ ମେଧା ବିଦୁକୁ ଶୁଭେଚ୍ଛା ଜଣାଇବା ପାଇଁ ଗାଁକୁ ଛୁଟୁ ଥିବାର ଦେଖିବାକୁ ମିଳୁଛି । ସୂଚନାରୁ ପ୍ରକାଶ ଯେ, ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼ କର୍ଲାକୋଟ ପଞ୍ଚାୟତ ନୂଆପଡ଼ାର ବିଦୁ ନାଏକ ବାଲ୍ୟ ଶିକ୍ଷା ଗାଁର ନୂତନ ପ୍ରାଥମିକ ବିଦ୍ୟାଳୟରେ ସମ୍ପନ୍ନ କଲା ପରେ ହାଇସ୍କୁଲ ଶିକ୍ଷା ଦୁଲ୍କିବନ୍ଧ ସ୍ଥିତ କନ୍ୟାଶ୍ରମରେ ସମ୍ପନ୍ନ କରିଥିଲେ । ପରବତ୍ର୍ତ୍ତୀ ସମୟରେ +୨ଲାଞ୍ଜିଗଡ ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନ କରି ସର୍ବଶ୍ରେଷ୍ଠ ତାଲିକାରେ ନିଜକୁ ରଖି ଉତ୍ତୀର୍ଣ୍ଣ ହୋଇଥିଲେ । କିନ୍ତୁ ପରବର୍ତ୍ତୀ ଉଚ୍ଚ ଶିକ୍ଷା ପାଇଁ ଅନିଶ୍ଚିତତା ମଧ୍ୟରେ ରହିଯାଇଥିାଲ ବିଦୁ । ଗାଁକୁ ଚାଲି ଆସି ପିଲାଙ୍କୁ ଟିଉସନ୍ କଲେ ଓ ଅଧିକ ସମୟ ବାହାର କରି ନିଜକୁ କୃଷି ମଜୁରିଆ ଭାବରେ ଅକ୍ଲାନ୍ତ ପରିଶ୍ରମ କଲେ । ଏହି ସମସ୍ତ ଉଦ୍ୟମ କେବଳ ଉଚ୍ଚ ଶିକ୍ଷା ପାଇଁ ସମର୍ପିତ ଥିଲା । ଶେଷରେ ସାଧନାର ସିଦ୍ଧି ପାଇଁ ରାସ୍ତା ଉନ୍ମୁକ୍ତ ହେବାରେ ଲାଗିଲା । ତାଙ୍କ ଡାକ୍ତରୀ ପଢ଼ିବାର ଲକ୍ଷ୍ୟକୁ ନେଇ ଜଣେ ସମ୍ପର୍କୀୟ ବଡ଼ ଭାଇ ଲାବଣ୍ୟ ପୁଝାରୀ ଆର୍ଥିକ ସହଯୋଗର ହାତ ବଢାଇଲେ । ସାହାସ ଭରିଲା । ବିଦୁ ଭୁବନେଶ୍ୱର ଯାଇ ନିଟ ପରୀକ୍ଷା ଦେବା ପାଇଁ ନିଜକୁ ପ୍ରସ୍ତୁତ କଲେ । ଏକବର୍ଷର କଠିନ ପରିଶ୍ରମ କରି ଶେଷରେ ଗତ ଜୁନ ମାସରେ ସେ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେଲେ । ଏବେ ବ୍ରହ୍ମପୁର ମେଡିକାଲ୍ କଲେଜରେ ନାମ ଲେଖା ସାରି ଗାଁକୁ ଫେରିଥିବାର ଖବର ଗାଁ ଓ ଅଞ୍ଚଳ ପାଇଁ ଖୁସିର ଲହରୀ ଆଣି ଦେଇଛି । ଦୁଃଖକଷ୍ଟର ଅଗ୍ନି ଦାହ ମଧ୍ୟରେ ନିଜର ଶିକ୍ଷା ପ୍ରତି ଥିବା ନିଷ୍ଠା ଓ ସଂକଳ୍ପକୁ ପ୍ରମାଣିତ କରିଥିବା ୨୧ ବର୍ଷର ବିଦୁ ନିଜର ଏକ ନିଷ୍ଠ ସାଧନା ଓ ଭାଇ ଲାବଣ୍ୟର ସହଯୋଗକୁ ଶ୍ରେୟ ଦେବା ସହିତ ବାପା ନରେନ୍ଦ୍ର ଓ ମାଆ ପ୍ରେମଶିଳାଙ୍କ ପ୍ରଚ୍ଛଦପଟର ସମର୍ଥନ ପାଇଁ ସବୁ ସମ୍ଭବ ହୋଇ ପାରିଛି ବୋଲି ପ୍ରକାଶ କରିବା ସହିତ ମୋର ଏବେ ସମସ୍ତ ପ୍ରକାରର କଷ୍ଟ ଲାଘବ ହୋଇଯିବ ବୋଲି ଆତ୍ମପ୍ରତ୍ୟୟ ହୋଇ ସାରିଥିବା ପ୍ରକାଶ କରିଥିଲେ । ଶୁଭେଛା ଜଣାଇବା ପାଇଁ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲର ଅଧିକ୍ଷଣ ଯନ୍ତ୍ରୀ ତୃପପାତ୍ର, କୈଳାଶ ଚନ୍ଦ୍ର ମାଝୀ, ଅବସର ପ୍ରାପ୍ତ ଭାରତୀୟ ରାଜସ୍ୱ ସେବା ଅଧିକାରୀ ଗଙ୍ଗାଧର ମାଝୀ, ଆଦିବାସୀ ନେତା ମନୋଜ ପାତ୍ର, ସମାଜସେବୀ ଶେଷଦେବ ବେହେରା ପ୍ରମୁଖ ବିଦୁଙ୍କ ପରିବାରକୁ ସାକ୍ଷାତ୍ କରି ତାଙ୍କ ନୀରବଛିନ୍ନ ସାଧନାକୁ ପ୍ରଶଂସା କରି ଫେରିଥିବାର ସୂଚନା ମିଳିଛି ।
Next Post