ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଉତ୍କଳ ମାଟିର ଅନନ୍ୟ କଳା, ସଂସ୍କୃତି ଓ ଐତିହ୍ୟର ଗାଥା ବହନ କରୁଥିବା ଖୁଦୁରୁକୁଣୀ ପୂଜା ଇତି ମଧ୍ୟରେ ଶେଷ ହୋଇଛି । କିନ୍ତୁ ରାଜଧାନୀ ଭୁବନେଶ୍ୱରର ଉପକଣ୍ଠରେ ଥିବା ସର୍ବପୁରାତନ ଗ୍ରାମ ସୁନ୍ଦରପଦାରେ ଦେଖିବାକୁ ମିଳିଛି, ଏକ ଅନନ୍ୟ ମହୋତ୍ସବ । ଯାହାକି ଦୀର୍ଘ ୨୧ବର୍ଷ ଧରି ସେବା ପ୍ରତିନିଧିର ମୁଖ୍ୟ ସଂଗଠକ ନୀଳମଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଖୁଦୁରୁକୁଣୀ ମହୋତ୍ସବ ସମାହିତ ହୋଇଯାଇଛି । ପ୍ରକାଶ ଥାଉକି, ସ୍ଥାନୀୟ ସୁନ୍ଦରେଶ୍ଵର ପୋଖରୀ ନିକଟସ୍ଥ ଗୋଖିବାବା ଆଶ୍ରମ, ପତିତପାବନ ଓ ସୁନ୍ଦରେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଆସୁଅଛି । ଏହା ସହ ଦେଖିବାକୁ ମିଳିଛି ୩୦ ରୁ ୩୫ ଗୋଟି ଖୁଦୁରୁକୁଣୀ ବା ମାଆ ମଙ୍ଗଳାଙ୍କ ମୂର୍ତ୍ତି ଯାହାକୁ ପ୍ରତ୍ୟେକ ବର୍ଷ ପ୍ରସ୍ତୁତ କରୁଛନ୍ତି, ଅବିବାହିତ କନ୍ୟା ରତ୍ନ । ଏହି ସବୁ ମଣ୍ଡପର ଆଲୋକମାଳା, ଫୁଲଫଳ ତଥା ବିଭିନ୍ନ ସାଜସଜ୍ଜା ଜନମାନସକୁ ଆକୃଷ୍ଟ କରିଥିଲା । ସୂଚନାଯୋଗ୍ୟ, ସେବା ପ୍ରତିନିଧି ତରଫରୁ ଆୟୋଜିତ ହୋଇଥିବା ଏହି ୨୨ତମ ଖୁଦୁରୁକୁଣୀ ମହୋତ୍ସବକୁ ଉଦ୍ଘାଟନ କରିଥିଲେ ସ୍ଥାନୀୟ ବିଧାୟକ ବାବୁ ସିଂ, ସ୍ଥାନୀୟ କର୍ପୋରେଟର ମଧୁସ୍ମିତା ପ୍ରଧାନ, ବୀଣାପାଣି ରଥ ଓ ପ୍ରଲିପ୍ତ ନନ୍ଦ । ସେହିପରି ସଭା ପରିଚାଳନା କରିଥିଲେ ଵିଷ୍ଣୁ ପ୍ରସାଦ ନନ୍ଦ । ପରେ ସୁନ୍ଦରପଦାର ଅଜିତ କୁମାର ନନ୍ଦଙ୍କ ନିର୍ଦ୍ଦେଶିତ ପୌରାଣିକ ନାଟକ ତଅପୋଇ ମଞ୍ଚସ୍ଥ ହୋଇଥିଲା । ଯେଉଁଥିରେ ସାତ ସାଧବ, ସାତ ସାଧବାଣୀ ସୁନ୍ଦରପଦାର ସୁନ୍ଦରେଶ୍ଵର ପୋଖରୀରେ ବୋଇତ ବନ୍ଦାଣ କରି ସାଧବମାନଙ୍କୁ ବାଣିଜ୍ୟକୁ ପଠାଇଥିଲେ । ପରେ ସାଧବାଣୀମାନେ ତଅପୋଇକୁ ଅନ୍ୟର ପ୍ରରୋଚନାରେ ପଡି ଛେଳି ଜଗାଇ ନାନା ଯାତନା ଦେଇଥିଲେ । କିନ୍ତୁ ତଅପୋଇ ଜଙ୍ଗଲରେ ମାଆ ମଙ୍ଗଳାଙ୍କୁ ପୂଜା କରି ପୁଣି ନିଜ ଭାଇମାନଙ୍କ ସହ ହସଖୁସିର ପରିବାରକୁ ଫେରି ପାଇଥିଲେ । ଏହି ପୂର୍ବ ପ୍ରଥାକୁ ଉଜ୍ଜିବୀତ କରି ରଖିବା ପାଇଁ ଖୁଦୁରୁକୁଣୀ ମହୋତ୍ସବ ଦୀର୍ଘ ୨୩ ବର୍ଷ ଧରି ସୁନ୍ଦରପଦା ଗ୍ରାମରେ ଚାଲିଆସୁଛି । ସେହିପରି ଖୁଦୁରୁକୁଣୀ ମହୋତ୍ସବର ଦ୍ଵିତୀୟ ଦିବସରେ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ଵରୀୟ ବିଦ୍ୟାଳୟର ରଞ୍ଜୁ ଦିଦି, ସୁକାନ୍ତ ଭାଈ, ସ୍ଵର୍ଣ୍ଣାଞ୍ଜଳୀ ଦିଦି ପରମାତ୍ମାଙ୍କ ଦିବ୍ୟ ପରିଚୟ ପ୍ରଦାନ କରିଥିଲେ । ପରେ ବିଭିନ୍ନ ସ୍ଥାନରୁ ଆସିଥିବା ୫୦ ଜଣ ପ୍ରତିଭା ସମ୍ପନ୍ନ ସାହିତ୍ୟିକ ସେମାନଙ୍କ ସ୍ୱରଚିତ କବିତା ଆବୃତ୍ତି କରି ସମସ୍ତଙ୍କ ମନ ଜିଣିଥିଲେ । ଏହି ସଭାରେ ସଭାପତିତ୍ୱ କରିଥିଲେ ଖୁଦୁରୁକୁଣୀ ମହୋତ୍ସବ ତଥା ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ର । ସାହିତ୍ୟ ଏକାଡେମୀର ସଚିବ ସଞ୍ଜୟ ଛୁଆଳସିଂ, ବିଷ୍ଣୁ ପ୍ରସାଦ ନନ୍ଦ ଓ କାକଟପୁରର ବ୍ୟଙ୍ଗ କବି ସମ୍ପଦ ରଥ ମଞ୍ଚାସୀନ ଥିବା ବେଳେ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ ମମତା ଦେବୀ । ପରେ ଯାଦୁକର ଅରୁଣ ତାଙ୍କ ଯାଦୁ ପ୍ରଦର୍ଶିତ କରି ସମସ୍ତଙ୍କୁ ଆକୃଷ୍ଟ କରିଥିଲେ । ପରିଶେଷରେ କୁନି କଳାକାର ଓ ସାହିତ୍ୟିକମାନଙ୍କୁ ମାନପତ୍ର ସହିତ ଟ୍ରଫି ପ୍ରଦାନ କରାଯାଇଥିଲା । ମହୋତ୍ସବର ସଫଳ ଆୟୋଜନ ପାଇଁ ଶ୍ରୀ ନନ୍ଦ ପରିଶେଷରେ ସମସ୍ତଙ୍କୁ ତଥା ଗ୍ରାମବାସୀଙ୍କୁ ବିଶେଷ ଭାବେ ଧନ୍ୟବାଦ ଜଣାଇଥିଲେ ।