ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ସରକାରୀ ହାଇସ୍କୁଲ ନୂତନ ପେନସନଭୁକ୍ତ ଶିକ୍ଷକ ସଂଘ ବଲାଙ୍ଗିର ଜିଲ୍ଲା ବଲାଙ୍ଗିରର ସଭାପତି ରାଜକୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଆଗାମୀ ୨୨ ସେପ୍ଟେମ୍ବର ହେବାକୁ ଥିବା ରାଜ୍ୟସ୍ତରୀୟ ଆନ୍ଦୋଳନ ତଥା ୧୩ ସେପ୍ଟେମ୍ବରରେ ଜିଲ୍ଲା ସ୍ତରରେ ହେବାକୁ ଥିବା ପ୍ରତିବାଦ ସଭାର ପ୍ରାକ୍ ପ୍ରସ୍ତୁତି ପାଇଁ ଏକ ଅଭାସୀ ବୈଠକ ଗୁଗୁଲ ମିଟ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ଜିଲ୍ଲାର ସମସ୍ତ ବ୍ଲକରୁ ସଂଘର ଶତାଧିକ ସକ୍ରିୟ ସଦସ୍ୟମାନେ ଯୋଗ ଦେଇଥିଲେ । ୨୦୦୪ରୁ ୨୦୧୩ ମଧ୍ୟରେ ଠିକା ଶିକ୍ଷକ ଭାବରେ ନିଯୁକ୍ତି ପାଇଥିବା ଏବଂ ୨୦୨୨ ରିପିଲ ଦ୍ୱାରା ଉପେକ୍ଷିତ ହୋଇଥିବା ଶିକ୍ଷକମାନେ, ଓଡିଶା ସରକାରଙ୍କ ଆର୍ଥିକ ଦୂରବସ୍ଥା ସମୟରେ ମାତ୍ର ୨୫୦୦ଟଙ୍କା ଓ ୧୫୦୦ ଟଙ୍କା ମାସିକ ଦରମାରେ ଶିକ୍ଷାଦାନ କରିଥିଲେ । ସରକାର ୨୦୦୩ ମସିହାରେ ଓ ୨୦୦୫ ମସିହାରେ ଠିକା ଶିକ୍ଷକ ନିଯୁକ୍ତି ବିଜ୍ଞାପନରେ ସେତେବେଳେ ଆର୍ଥିକ ସଙ୍କଟ ତଥା ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକଙ୍କ ଘୋର ଅଭାବ ଯୋଗୁଁ ଠିକା ନିଯୁକ୍ତି ଦିଆଯାଇଥିବା ସ୍ପଷ୍ଟ ଭାବରେ ପ୍ରକାଶ କରିଥିଲେ । ସେହି ଆର୍ଥିକ ଦୂରବସ୍ଥା ସମୟରେ ଏହି ଶିକ୍ଷକମାନେ ଭୁଶୁଡି ଯାଉଥିବା ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷାର ଉନ୍ନତି ଆଣିଥିଲେ । ସେ ସମୟରେ ମାଟ୍ରିକ ପରୀକ୍ଷା ଫଳ ୫୦ରୁ ୬୦ ପ୍ରତିଶତ ହେଉଥିଲା ଓ ଅନେକ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ଫଳ ଶୂନ ହେଉଥିଲା । ଠିକା ନିଯୁକ୍ତି ଦେଇ ତତ୍କାଳୀନ ସରକାର ରାଜସ୍ୱ ଭରଣା କଲେ ଓ ଧୀରେ ଧୀରେ ରାଜ୍ୟର ଆର୍ଥିକ ସ୍ଥିତିରେ ସୁଧାର ଆସିଲା । ଆର୍ଥିକ ସ୍ଥିତିରେ ସୁଧାର ଆସିବା ପରେ ସରକାର ୨୦୨୨ କଣ୍ଟ୍ରାକ୍ଟଚୁଏଲ ରିପିଲ ଏଣ୍ଡ ସ୍ପେସିଆଲ ପ୍ରଭିିଜନ ରୁଲ ୨୦୨୨ ରିପିଲ ରୁଲ ଆଣି ଏବଂ ୨୦୧୪ କଣ୍ଟ୍ରାକ୍ଟଚୁଏଲ ନିଯୁକ୍ତି ରୁଲ ପର ଠାରୁ ଠିକାରେ କାମ କରୁଥିବା କର୍ମଚାରୀଙ୍କୁ ୬ଟି ନୋସନାଲ ଇଂକ୍ରିମେଣ୍ଟ ଦେଇ ନିୟମିତ କର୍ମଚାରୀର ମାନ୍ୟତା ଦେଲେ । ୨୦୨୨ ଅଗଷ୍ଟ ମାସରେ ନିଯୁକ୍ତ ହୋଇଥିବା ଠିକା ଶିକ୍ଷକ ବା ଇନିଟିଆଲ ପଏଣ୍ଟିମାନେ ମଧ୍ୟ ସେମାନେ ଚାକିରିରେ ଯୋଗ ଦେଇଥିବା ଦିନ ଠାରୁ ନିୟମିତ ଶିକ୍ଷକର ମାନ୍ୟତା ପାଇଲେ । ପରେ ପୁଣି ୨୦୨୩ ମସିହାରେ ଏସ୍ଓପି ଆଣି ୨୦୧୦ରୁ ୨୦୧୫ ମଧ୍ୟରେ ନିଯୁକ୍ତ ସମସ୍ତ ଶିକ୍ଷକ ପିଛିଲା ଭାବେ ୦୪.୦୪.୧୬ରୁ ନିୟମିତ ଶିକ୍ଷକ ଭାବରେ ଗଣନା କଲେ । ୨୦୧୬ ମସିହାରେ ନିଯୁକ୍ତ ଶିକ୍ଷକମାଙ୍କୁ ୦୫.୦୪.୨୦୧୬ରୁ ନିୟମିତ ଶିକ୍ଷକ ଭାବରେ ଗଣନା କରାଗଲା । ଏବେ ୨୦୧୦ରୁ ୨୦୧୬ ମଧ୍ୟରେ ନିଯୁକ୍ତ ସମସ୍ତ ଶିକ୍ଷକଙ୍କ ଦରମା ସମାନ । ୨୦୧୦ରେ ନିଯୁକ୍ତ ଠିକା ଶିକ୍ଷକଙ୍କ ୪ମାସ, ୨୦୧୧ରେ ନିଯୁକ୍ତ ଶିକ୍ଷକଙ୍କ ୧ ବର୍ଷ, ୨୦୧୩ରେ ନିଯୁକ୍ତ ଶିକ୍ଷକଙ୍କ ୩ ବର୍ଷ ଠିକା ଚାକିରି କାଳରୁ ମୂଳ ଚାକିରି ନିୟମିତି ଚାକିରି କାଳରେ ଗଣନା କରାଗଲା । ମାତ୍ର ୨୦୦୪ରୁ ୨୦୦୯ ମଧ୍ୟରେ ନିଯୁକ୍ତ ଶିକ୍ଷକଙ୍କ ଠିକା ଚାକିରି କାଳରୁ କିଛି ନିୟମିତି ଚାକିରିରେ ମିଶିଲା ନାହିଁ ବା ନୋସନାଲ ଇନକ୍ରିମେଣ୍ଟ ବାବଦକୁ ଦରମାରେ ଟଙ୍କାଟିଏ ମଧ୍ୟ ବୃଦ୍ଧି ହେଲା ନାହିଁ । ନୋସନାଲ ଇନକ୍ରିମେଣ୍ଟ ଦେଇ ୨୦୧୦ରୁ ୨୦୧୬ ମଧ୍ୟରେ ନିଯୁକ୍ତ ସମସ୍ତ ଶିକ୍ଷକଙ୍କ ମୂଳ ଚାକିରି ୦୪.୦୪.୨୦୧୬ରୁ ଗଣନା ହେବା ଯୋଗୁଁ ଶିକ୍ଷକଙ୍କ ବରିଷ୍ଠତା ତାଲିକା ପ୍ରକାଶ କଲାବେଳେ ଅନେକ ଅସଙ୍ଗତି ରହୁଛି । ଠିକା ଶିକ୍ଷକ ଥିବା ସମୟରେ ବର୍ଷ ବର୍ଷ ବିନା ଦରମାରେ ଛୁଟିରେ ରହିଥିବା ଶିକ୍ଷକ ଏବେ ବରିଷ୍ଠତା ତାଲିକାରେ ଆଗରେ ଅଛନ୍ତି । ସରକାର ରାଜ୍ୟରେ ଖାଲିପଡିଥିବା ପ୍ରାୟ ୨୪୦୦ ପ୍ରଧାନ ଶିକ୍ଷକ ପଦ ଏହି ଶିକ୍ଷକମାନଙ୍କୁ ପ୍ରମୋସନ ଦେଇ ପୁରଣ କରିପାରୁନାହାନ୍ତି । ଏହି ସମସ୍ତ ସମସ୍ୟା ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତ ଠିକା ଶିକ୍ଷକମାନଙ୍କୁ ବ୍ୟଥିତ କରୁଛି । ସରକାରଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ସମାଧାନ ପନ୍ଥା ନ ବାହାର କରି କେବଳ ଆଶ୍ୱାସନା ଦେଇଚାଲିଛନ୍ତି । ୨୦୨୨ ରିପିଲ ରୁଲକୁ ତିନି ବର୍ଷ ପୁରିବାକୁ ବସିଲାଣି, ତଥାପି ବରିଷ୍ଠ ଶିକ୍ଷକଙ୍କ ପାଇଁ ସରକାର ଦରଦ ନାହିଁ । ତେଣୁ ଆଗାମୀ ୧୩ ତାରିଖ ମଧ୍ୟରେ ଓଡଶାର ସମସ୍ତ ବିଧାୟକ ଓ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଶିକ୍ଷା ସଚିବ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଗଲା । ଯୁକ୍ତିଯୁକ୍ତ ଦାବି ଉପରେ ସରକାର ଶୀଘ୍ର ସମାଧାନ ନ ହେଲେ ଆଗାମୀ ୨୨ ସେପ୍ଟେମ୍ବର ରାଜ୍ୟ ସଂଘର ଡାକରାରେ ସାମିଲ ହୋଇ ଦୁର୍ବାର ଆନ୍ଦୋଳନ କରିବାକୁ ଏହି ସଭାରେ ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ଆଇଚ, ରାଜ୍ୟ ଆବାହକ ସରୋଜ କୁମାର ସାହୁ, ରାଜ୍ୟ ସଂଯୋଜକ ଶାଶୃତ ମହାପାତ୍ର, ବରଗଡ ଜିଲ୍ଲାରୁ ଭବାନୀ ଶଙ୍କର ଭୋଇ, ବଲାଙ୍ଗିର ଜିଲ୍ଲା ସଂଘ ତରଫରୁ ନରେଶ ଦ୍ୱାରୀ, ଦ୍ୱିତିରଞ୍ଜନ ମହଲିଙ୍ଗ, ସମ୍ପାଦକ ବୀରକିଶୋର ସୁନା, ଅଜୟ ଦର୍ଜୀ, ରାମକୃଷ୍ଣ ଷଡଙ୍ଗୀ, ହିମାଂଶୁ ଭୂଷଣ ସେନାପତି, ପାର୍ଥ ସାରଥି ପଣ୍ଡା, ଅଶୋକ କୁମାର ତରିଆ, ଡୋଳାମଣିି ସାହୁ ପ୍ରଭୃତି ଆହ୍ୱାନ ଦେଲେ । ଓଡିଶା ସରକାରୀ ହାଇସ୍କୁଲ ନୂତନ ପେନସନଭୁକ୍ତ ଶିକ୍ଷକ ସଂଘର କର୍ମକର୍ତ୍ତା ମାନେ ଟିଟିଲାଗଡ ବିଧାୟକ ନବୀନ ଜୈନ ଓ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
Next Post