ଆଗଲପୁର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ସାନଟୀକା ଗ୍ରାମରେ ଗୁରୁ ପୂଜନ ତଥା ପୁରସ୍କାର ବିତରଣ ଉତ୍ସବ ସମାରୋହରେ ଆୟୋଜିତ ହୋଇଯାଇଛି । ସମାଜସେବୀ ପ୍ରସାଦୁ ପଧାନଙ୍କ ଅଧ୍ୟକ୍ଷତା ତଥା ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ରସାନନ୍ଦ ସାହୁ ଓ ସୁବଳ ମିଶ୍ରଙ୍କୁ ଉପଢୌକନ ତଥା ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ “ଶ୍ରୀ ଶ୍ୟାମସୁନ୍ଦର ସ୍ମାରକୀ ପ୍ରତିଯୋଗିତା” ଅନୁଷ୍ଠିତ ହୋଇଥିଲା । ସମ୍ମାନିତ ଅତିଥି ଭାବେ କବି ଶ୍ରୀୟାକାନ୍ତ ଦାସ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଏଥିସହିତ ବଡଟୀକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲୀପ କୁଅଁରଙ୍କୁ କ୍ଲଷ୍ଟର ସ୍ତରୀୟ ଉତ୍ତମ ଶିକ୍ଷକ ଭାବେ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଉମେଶ ଚନ୍ଦ୍ର ଦାସ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ ତଥା କବି ଦିଲୀପ କୁମାର ପଧାନ ମଞ୍ଚ ପରିଚାଳନା କରିଥିଲେ । ପରିଶେଷରେ ଶିଶୁ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।