ଦୀର୍ଘଦିନ ପ୍ରତୀକ୍ଷାର ଅନ୍ତ : ଲୋଇସିଂହା ପାଇଲା ଏନ୍‌ଏସି ମାନ୍ୟତା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଦୀର୍ଘ ଦେଢ଼ ଦଶନ୍ଧି ଧରି ଲୋଇସିଂହାକୁ ଏନ୍ଏସି ମାନ୍ୟତା ପାଇଁ ଦାବି ହୋଇ ଆସୁଥିଲା । ତେବେ ପ୍ରତୀକ୍ଷାର ଅନ୍ତ ଘଟିବା ସହିତ ରାଜ୍ୟ ସରକାର ବିଧିବଦ୍ଧ ଭାବେ ଲୋଇସିଂହାକୁ ଏନ୍ଏସି ଘୋଷଣା କରିଛନ୍ତି । ଫଳରେ ସ୍ଥାନୀୟ ମହଲରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି । ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଲୋଇସିଂହା ବିଧାୟକ ଡ ମୁକେଶ ମହାଲିଙ୍ଗ “କଥା ଦେଇ କଥା ରଖିଛୁ” ବୋଲି କହିଛନ୍ତି । ସୂଚନା ମତେ, ଗତ ୨୦୧୦-୧୧ରୁ ଲୋଇସିଂହାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ପାଇଁ ଦାବୀ ଆରମ୍ଭ ହୋଇଥିଲା । ତେବେ ୨୦୨୦ ରୁ ୨୦୨୩ ମଧ୍ୟରେ ଏହି ଦାବୀ ଆନ୍ଦୋଳନାତ୍ମକ ରୂପ ନେଇ ସ୍ଥାନୀୟ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଦୀର୍ଘ ୪୨ ଦିନ ପର୍ଯ୍ୟନ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଜିଲ୍ଲା ପ୍ରଶାସନର ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲେ ମଧ୍ୟ ଲୋଇସିଂହା ବାସୀଙ୍କ ଦାବି ପୂରଣ ହୋଇ ନ ଥିଲା । ଚଳିତ ଅଗଷ୍ଟ ୧୫ରେ ମୁଖ୍ୟମନ୍ତ୍ରୀ ୧୨ ଟି ନୂତନ ଏନ୍ଏସି ସମେତ ଆହୁରି ୯ ଟି ଗଠନ କରାଯିବା ନେଇ ସୂଚନା ଦେଇଥିଲେ । ତେବେ ରାଜ୍ୟ ସରକାର ବିଧିବଦ୍ଧ ଭାବେ ୧୬ ଟି ନୂତନ ଏନ୍ଏସି ସମେତ ୭ ଟି ମ୍ୟୁନିସପାଲିଟି ଘୋଷଣା କରିଛନ୍ତି । ଏନେଇ ଲୋଇସିଂହା ବିଧାୟକ ତଥା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ ମୁକେଶ ମହାଲିଙ୍ଗଙ୍କ ଯଥେଷ୍ଟ ଅବଦାନ ରହିଛି ବୋଲି ତାଙ୍କ କର୍ମୀ କହିଛନ୍ତି । ସେହିପରି ଅଞ୍ଚଳବାସୀଙ୍କ ସହଯୋଗରେ ଦୀର୍ଘ ୪୨ ଦିନ ଧରି ଧାରଣାରେ ବସିଥିବା ଲୋଇସିଂହା ଆଞ୍ଚଳିକ ବିକାଶ ପରିଷଦ ଆଜିର ଘୋଷଣାକୁ ସ୍ଵାଗତ କରିଛି । ବିଳମ୍ବ ହେଲେ ମଧ୍ୟ ଏହି ଘୋଷଣା ଲୋଇସିଂହା ବାସୀଙ୍କ ଉତ୍ସାହକୁ ବଢ଼ାଇଛି । ସେହିପରି ଲୋଇସିଂହା ବିଶ୍ୱ କଲ୍ୟାଣ ନାଗରିକ କମିଟି ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ସମସ୍ତ ଶ୍ରେୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ ମହାଲିଙ୍ଗଙ୍କୁ ଦେଇଛନ୍ତି । ଏହି ଅବସରରେ ସ୍ଥାନୀୟ ଥାନା ସମ୍ମୁଖରେ ମନ୍ତ୍ରୀ ଡ ମହାଲିଙ୍ଗଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସମ୍ୱର୍ଦ୍ଧନାର ପ୍ରତ୍ୟୁତ୍ତରରେ “ମୁଁ ୨୦୧୯ ରୁ ୨୪ ପର୍ଯ୍ୟନ୍ତ ବିଧାୟକ ଥିବା ବେଳେ ଅନେକ ଥର ବିଧାନସଭାରେ ଦାବୀ ଉପସ୍ଥାପନ କରିବା ସହିତ ଲୋଇସିଂହାରେ ସଭା ସମିତି ସହ ଆନ୍ଦୋଳନରେ ସାମିଲ ହୋଇଥିଲି” ବୋଲି ଡ ମହାଲିଙ୍ଗ ପ୍ରକାଶ କରିଛନ୍ତି । କିନ୍ତୁ ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଶାସନାଧୀନ ହେବା ପରେ ଏହି ଦୀର୍ଘ ବର୍ଷର ଦାବୀକୁ ସଫଳତା ମିଳିଛି । ତେଣୁ ମୁଁ ଲୋଇସିଂହା ବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ନଗର ଉନ୍ନୟନ ମନ୍ତ୍ରୀ ଡ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି ବୋଲି ସେ କହିଛନ୍ତି । ଏହି ଅବସରରେ ବିଶ୍ୱ କଲ୍ୟାଣ ନାଗରିକ କମିଟି, ସିନିୟର୍ ସିଟିଜେନ୍ ଏସେମ୍ୱଲି ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଲୋଇସିଂହା ଏନ୍ଏସି ଘୋଷଣା ନେଇ ଆଜି ଲୋଇସିଂହା ଉତ୍ସବ ମୁଖର ହୋଇ ଉଠିଥିବା ବେଳେ ସବୁ ମହଲରେ ଉତ୍ସାହ ପରିଲକ୍ଷିତ ହୋଇଛି ।

Leave A Reply

Your email address will not be published.