ରାଜ୍ୟ ବିଜେପି ସଭାପତିଙ୍କ କଳାହାଣ୍ଡି ଗସ୍ତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବିଜେପି ରାଜ୍ୟ ସଭାପତି ମନମୋହଲ ସାମଲ ଆଜି ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଆସିଛନ୍ତି । ରାଜ୍ୟ ସଭାପତି ଶ୍ରୀ ସାମଲଙ୍କୁ କଳାହାଣ୍ଡିର ପ୍ରବେଶ ପଥ ଅମାଠ ଛକ ଠାରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପରେ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ଭବାନୀପାଟଣା ଠାରେ ପହଂଚିବା ପରେ କଲେଜ ଛକ ଠାରେ ମହିଳା ମୋର୍ଚ୍ଚା ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ଏହା ପରେ ସେ ଭବାନୀପାଟଣା ଟାଉନ ହଲ ଠାରେ ଜିଲ୍ଲା ଭାଜପା ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ଓ ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ନିର୍ବାଚନରେ ବିଜେପି ଦେଇଥିବା ୨୨ଟି ପ୍ରତିଶୃତିରୁ ୧୧ଟି ପୁରଣ କରିଛି । ସରକାରଙ୍କ ଯୋଜନା ତୃଣମୂଳ ସ୍ତରରେ ପହଂଚିବାର ଆବଶ୍ୟକତା ରହିଛି । ବିକଶିତ ଗାଁ ବିକଶିତ ଓଡ଼ିଶାର ଗାଁର ବିକାଶ, ନାରୀ ଶକ୍ତିର ବିକାଶ, କୃଷକର ବିକାଶ ହେଲେ ଓଡ଼ିଶା ବିକଶିତ ହେବ ବୋଲି ମତ ପ୍ରକାଶ କରିଥିଲେ । ଜିଲ୍ଲାକୁ ସମୃଦ୍ଧ ଜିଲ୍ଲା କରିବାର ଆବଶ୍ୟକତା ରହିଛି । ଆଗାମୀ ନିର୍ବାଚନରେ ସମସ୍ତ ଆସନ ବିଜେପି ହାସଲ କରିବାର ଅଛି । ରାଜନୀତିର ପ୍ରେରଣାର କେନ୍ଦ୍ରବିନ୍ଦୁ କଳାହାଣ୍ଡି ଜିଲ୍ଲା । ତ୍ୟାଗ, କଠିନ ପରିଶ୍ରମ, ସାଧନାର ଫଳ ଆଜି ବିଜେପିକୁ ମିଳିଛି । ବିଜେପି ବର୍ଷକ ହିସାବ ଦେଇଛି । କଂଗ୍ରେସ ଦିବା ସପ୍ନ ଦେଖୁଛି । ଲୋକଙ୍କୁ ଭୁଆଁ ବୁଲାଉଛି ବୋଲି କହିଥିଲେ । ତ୍ରିସ୍ତରୀୟ ଓ ମୁନିସିପାଲଟି ନିର୍ବାଚନରେ ସମସ୍ତ ଆସନ ଜିତିବା ପାଇଁ ଦଳୀୟ କର୍ମକର୍ତ୍ତା ଓ କର୍ମୀ ମାନଙ୍କ ଦାୟିତ୍ୱ ରହିଛି । ସମସ୍ତେ ଜଣେ ଜଣେ ମୁଖ୍ୟମନ୍ତ୍ରୀ, ବିଧାୟକ ଭାବିକି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ଉପସ୍ଥିତ ଦଳୀୟ କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ,ବିଜେପି ରାଜ୍ୟ ସଭାପତି ମନମୋହଲ ସାମଲ । ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ ତଥା ପୂର୍ବତନ ଜିଲ୍ଲା ସଭାପତିମାନେ ମଞ୍ଚାସୀନ ଥିଲେ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ବହୁ ସଂଖ୍ୟାରେ ନୂତନ ସଦସ୍ୟମାନେ ଦଳରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.