ଭୁବନେଶ୍ୱରଠାରେ ବେସାମରିକ ବିମାନ ଚଳାଚଳ ଉପରେ ପୂର୍ବାଞ୍ଚଳ ମନ୍ତ୍ରୀମାନଙ୍କ ସମ୍ମିଳନୀ ଅନୁଷ୍ଠିତ

● କ୍ୟାଡେଟ୍ ପାଇଲଟ୍ ପ୍ରୋଗ୍ରାମରେ ଓଡ଼ିଆ ଆଦିବାସୀ ଝିଅମାନଙ୍କୁ ଦିଆଯିବ ସ୍ୱତନ୍ତ୍ର ପାଇଲଟ୍ ଟ୍ରେନିଂ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
● ଗତ ୧୧ ବର୍ଷ ମଧ୍ୟରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ହୋଇଛି ବ୍ୟାପକ ରୂପାନ୍ତରଣ; ପ୍ରତି ୪୫ ଦିନରେ ଗୋଟିଏ ବିମାନ ବନ୍ଦର ହେଉଛି କାର୍ଯ୍ୟକ୍ଷମ : ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ
● ଉଡ଼ାନ ଯୋଜନାରେ ଦେଶର ୯୨ଟି ବିମାନ ବନ୍ଦରକୁ ସାମିଲ କରାଯିବା ସହ ୬୩୨ଟି ବିମାନ ଚଳାଚଳ ମାର୍ଗକୁ କାର୍ଯ୍ୟକ୍ଷମ କରାଯାଇଛି : ଶ୍ରୀ ରାମ ମୋହନ ନାଇଡ଼ୁ କିଞ୍ଜରପୁ

ଭୁବନେଶ୍ୱର, (ପିଆଇବି) : ଭୁବନେଶ୍ୱରରେ ଆଜି ବେସାମରିକ ବିମାନ ଚଳାଚଳ ଉପରେ ପୂର୍ବାଞ୍ଚଳ ପରିବହନ ମନ୍ତ୍ରୀମାନଙ୍କର ସମ୍ମିଳନୀ ଅନୁଷ୍ଠିତ ହୋଇଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ରାମ ମୋହନ ନାଇଡ଼ୁ କିଞ୍ଜରପୁଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ଅବସରରେ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ସେ କହିଛନ୍ତି, ରାଜ୍ୟ ସରକାରଙ୍କ ପ୍ରମୁଖ ପ୍ରୟାସ ବି-ମାନ୍ (ବିଲ୍ଡିଂ ଆଣ୍ଡ ମ୍ୟାନେଜମେଣ୍ଟ ଅଫ୍ ଏଭିଏସନ ଆସେଟ୍ସ ଆଣ୍ଡ ନେଟୱର୍କ) ଅଧୀନରେ, କ୍ୟାଡେଟ୍ ପାଇଲଟ୍ ପ୍ରୋଗ୍ରାମ୍ ଆରମ୍ଭ ହେବାକୁ ଯାଉଛି । ଏଥିରେ ଆଦିବାସୀ ଝିଅମାନଙ୍କୁ ପାଇଲଟ ହେବା ପାଇଁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯିବ । ଏହି ଅବସରରେ ରାଜ୍ୟ ସରକାର ଆଜି ଦେଶର ପ୍ରମୁଖ ବିମାନ ଏମଆରଓ (ରକ୍ଷଣାବେକ୍ଷଣ, ମରାମତି ଏବଂ ନବୀକରଣ) ସେବାଦାତା ଏୟାରୱାର୍କସ୍ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଆଧୁନିକ ଏମଆରଓ ସୁବିଧା ପ୍ରତିଷ୍ଠା କରାଯିବ । ଏଥିସହିତ, ରାଜ୍ୟର ଯୁବବର୍ଗଙ୍କ ପାଇଁ ଦକ୍ଷତା ବିକାଶ, ପ୍ରଶିକ୍ଷଣ ଓ ଚାକିରି ସୁଯୋଗ ସୃଷ୍ଟି କରିବା ନିମନ୍ତେ, ରାଜ୍ୟ ସରକାର ଏୟାରୱାର୍କସ୍ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ପୁରୀରେ ବିଶ୍ୱସ୍ତରୀୟ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ହେବାକୁ ଯାଉଛି ଏବଂ ଏହି ବିମାନବନ୍ଦର, ସାରା ବିଶ୍ୱର କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଦ୍ୱାରପଥ ହେବ । ଏଥିସହିତ ଝାରସୁଗୁଡା ବିମାନବନ୍ଦରର ବିସ୍ତାର ପାଇଁ ଜମି ବ୍ୟବସ୍ଥା କରାଯାଇଛି । ନୂଆ ସରକାର ଗଠନର ୧୪ ମାସ ମଧ୍ୟରେ, ଓଡିଶାର ବିମାନବନ୍ଦର ଗୁଡ଼ିକୁ, ୧୫ଟି ନୂଆ ଗନ୍ତବ୍ୟ ସହିତ ଯୋଡ଼ାଯାଇଛି । ଢେଙ୍କାନାଳ ଜିଲ୍ଲାର ବିରାଶୋଳ ଠାରେ ଏକ ବିଶ୍ୱସ୍ତରୀୟ ବିମାନ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ହେବାକୁ ଯାଉଛି । ସେ ଆହୁରି କହିଛନ୍ତି, ରାଜ୍ୟର ବିମାନ ବନ୍ଦର ଭିତରେ ଫ୍ଲାଇଂ ପ୍ରଶିକ୍ଷଣ, ୟୁଏଭି ପ୍ରଶିକ୍ଷଣ, ଓ ବିମାନ କ୍ରୀଡ଼ା କାକଳାପ ସମ୍ଭବ ହେବ । ରାଜ୍ୟରେ ଯେତେ ସବୁ ଅବ୍ୟବହୃତ ବିମାନ ପଥ ‘ଏୟାରଷ୍ଟ୍ରିପ୍’ ଅଛି, ସେଗୁଡ଼ିକୁ ସରକାର ବିମାନବନ୍ଦର ରୂପେ ବିକଶିତ କରୁଛନ୍ତି । ଏଭଳି ୧୪ଟି ବିମାନବନ୍ଦର ହେବ ଏବଂ ଯେଉଁ ଜିଲ୍ଲାରେ ବିମାନବନ୍ଦର ନାହିଁ, ସେଠାରେ ସମୁଦାୟ ୧୫ଟି ହେଲିପୋର୍ଟ ସ୍ଥାପନ ପାଇଁ ସରକାର କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କର ଅବିରତ ପ୍ରୟାସ, ୨୦୪୭ ମଧ୍ୟରେ ଏକ ବିକଶିତ ଭାରତ ଗଢ଼ିବା ପାଇଁ, ଆମକୁ ସଦା ଉତ୍ସାହିତ କରୁଛି । ଆମେ ସମସ୍ତେ ମିଶି, ଓଡିଶାର ଯୋଗାଯୋଗ ଓ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଲୋକଙ୍କର ଆକାଂକ୍ଷାକୁ ସାକାର କରିବା ଦିଗରେ ନିରନ୍ତର କାମ କରୁଛୁ । ଏହି କାର୍ଯ୍ୟକ୍ରମରେ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ, ରାମ ମୋହନ ନାଇଡୁ କିଞ୍ଜରପୁ କହିଥିଲେ ଯେ, ଚପଲ ପିନ୍ଧିଥିବା ଲୋକଙ୍କୁ ବିମାନ ଯାତ୍ରାର ସୁଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନକୁ ସମ୍ପୂର୍ଣ୍ଣ ରୂପରେ କାର୍ଯ୍ୟକାରୀ କରିବାକୁ ସମସ୍ତ ପ୍ରୟାସ କାର୍ଯ୍ୟକାରୀ କରାଯିବ । ଓଡ଼ିଶାର ବିମାନ ଚଳାଚଳ ଭିତ୍ତିଭୂମି ପାଇଁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଶ୍ରୀ କିଞ୍ଜରପୁ ପ୍ରତିଶ୍ରୁତି ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି, ଗତ ୧୧ ବର୍ଷ ମଧ୍ୟରେ ଦେଶର ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ବହୁ ଗୁଣା ଅଭିବୃଦ୍ଧି ଏବଂ ବ୍ୟାପକ ରୂପାନ୍ତରଣ ଦେଖିବାକୁ ମିଳିଛି । ବିମାନ ଚଳାଚଳ ଭିତ୍ତିଭୂମି ଦୁଇଗୁଣିତ ହୋଇଛି ।୨୦୧୪ରେ ଦେଶରେ ମାତ୍ର ୭୪ଟି ବିମାନ ବନ୍ଦର ଥିବା ବେଳେ ବର୍ତ୍ତମାନ ଏଗୁଡ଼ିକର ସଂଖ୍ୟା ୧୬୨ରେ ପହଞ୍ଚିଛି । ଗତ ଏକ ଦଶନ୍ଧି ମଧ୍ୟରେ ଦେଶରେ ୮୮ଟି ବିମାନ ବନ୍ଦର ପ୍ରତିଷ୍ଠା କରାଯାଇଛି ଅର୍ଥାତ୍ ପ୍ରତି ୪୫ ଦିନରେ ହାରାହାରୀ ଗୋଟିଏ ନୂଆ ବିମାନ ବନ୍ଦର କାର୍ଯ୍ୟକ୍ଷମ ହୋଇଛି । ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଅନ୍ୟ କୌଣସି ଦେଶରେ ଏପରି ଦ୍ରୁତ ରୂପାନ୍ତରଣ ଦେଖିବାକୁ ମିଳିନାହିଁ । କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି, ୨୦୨୪ରେ ଦେଶରେ ୨୪ କୋଟି ଯାତ୍ରୀ ବିମାନ ଯାତ୍ରା କରିଥିଲେ । ଏହା ବିଗତ ୬୫ ବର୍ଷ ଧରି ବିମାନ ଯାତ୍ରା କରିଥିବା ଘରୋଇ ଯାତ୍ରୀଙ୍କ ସଂଖ୍ୟା ଠାରୁ ଅଧିକ। ୨୦୩୦ରେ ଦେଶର ବାର୍ଷିକ ବିମାନଯାତ୍ରୀଙ୍କ ସଂଖ୍ୟା ୫୦ କୋଟିକୁ ଟପିବା ନେଇ ଆକଳନ କରାଯାଇଥିବା ସେ କହିଛନ୍ତି । କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ୨୦୧୪ରେ ଦେଶରେ ବିମାନଗୁଡ଼ିକର ସଂଖ୍ୟା ୪୦୦ ଥିବା ବେଳେ ବର୍ତ୍ତମାନ ଏଗୁଡ଼ିକର ସଂଖ୍ୟା ୮୦୦ରୁ ଅଧିକରେ ପହଞ୍ଚିଛି । ଉଡ଼ାନ ଯୋଜନାରେ ବହୁ ଅପହଞ୍ଚ ସ୍ଥାନକୁ ବିମାନ ଯୋଗାଯୋଗ ସୁବିଧା କରାଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ଦେଶର ୯୨ଟି ବିମାନ ବନ୍ଦରକୁ ସାମିଲ କରାଯିବା ସହ ୬୩୨ଟି ବିମାନ ଚଳାଚଳ ମାର୍ଗକୁ କାର୍ଯ୍ୟକ୍ଷମ କରାଯାଇଛି । କାର୍ଯ୍ୟକ୍ରମରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମୂରଲୀଧର ମୋହଲ, ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସମେତ ଓଡ଼ିଶା, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆଣ୍ଡାମାନ ନିକୋବର ଦ୍ୱୀପସମୂହର ପରିବହନ ମନ୍ତ୍ରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀ ଏବଂ ବିମାନ ଚଳାଚଳ କ୍ଷେତ୍ରର ଅନ୍ୟ ଅଂଶୀଦାରମାନେ ଉପସ୍ଥିତ ଥିଲେ । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ ସମୀର ସିହ୍ନା ଏବଂ ଓଡ଼ିଶାର ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ । ପୂର୍ବ ଭାରତରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରକୁ ବିକଶିତ କରିବା ଲାଗି କେନ୍ଦ୍ର-ରାଜ୍ୟ ଏବଂ ସରକାରୀ-ଶିଳ୍ପ ଭାଗିଦାରୀକୁ ମଜବୁତ କରିବା ଲାଗି ଏହି ସମ୍ମିଳନୀ ଏକ ଦୃଢ଼ ମଞ୍ଚ ଯୋଗାଇ ଦେଇଛି । ଆଞ୍ଚଳିକ ବିମାନ ଚଳାଚଳ କ୍ଷେତ୍ରକୁ ଆଗକୁ ନେବା ଲାଗି ସମ୍ମିଳନୀରେ ସହଭାଗୀ ନୀତି ପ୍ରଣୟନ, ସଂସ୍ଥାଗତ ସଂସ୍କାର ଏବଂ ନବସୃଜନ ଉପରେ ବିଚାରବିମର୍ଶ କରାଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଏବଂ ରାଷ୍ଟ୍ର ମନ୍ତ୍ରୀ ମୂରଲଧର ମୋହଲ ଭୁବନେଶ୍ୱର ବିମାନବନ୍ଦର ପରିସରରେ ଦେଶର ପଞ୍ଚମ ଉଡ଼ାନ ଯାତ୍ରୀ କାଫେ ଏବଂ ଶିଶୁଙ୍କ ଖେଳିବା ସ୍ଥାନକୁ ମଧ୍ୟ ଉଦଘାଟନ କରିଛନ୍ତି ।

jittmm
Leave A Reply

Your email address will not be published.