ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଅଗଷ୍ଟ ୨୧ ତାରିଖକୁ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ରୂପେ ସର୍ବତ୍ର ପାଳନ କରାଯାଇଥାଏ । ଏହି ଅବସରରେ ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳାନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଏହି ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ମଞ୍ଚର ଆଇନ ପରାମର୍ଶ ଦାତା ତଥା ଛତ୍ରପୁରର ବରିଷ୍ଠ ଆଇନଜୀବି ବିଜୟ କୃଷ୍ଣ ପଟ୍ଟନାୟକ ମୁଖ୍ୟଅତିଥି ରୂପେ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ସେମାନଙ୍କୁ ସବୁସ୍ତରରେ ସହଯୋଗ କରାଯିବା ଉପରେ ମତପ୍ରଦାନ କରିଥିଲେ । ସଭାପତି ନରହରି ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ବରିଷ୍ଠ ସାହିତ୍ୟିକ ତଥା କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ମୁଖ୍ୟ ବକ୍ତା ରୂପେ ଯୋଗଦେଇ ବିଭିନ୍ନ ପୌରାଣିକ ଆଖ୍ୟାନ ସହ ବରିଷ୍ଠମାନେ ସବୁ ସମୟରେ ଅଗ୍ରପୂଜ୍ୟ ଏବଂ କୌଣସି ପରିସ୍ଥିତିରେ ସେମାନଙ୍କୁ ଅବହେଳା କରାଯିବା ଠିକ୍ ନୁହେ, ବୋଲି ମତବ୍ୟକ୍ତ କରିଥିଲେ । ଏହି ଅଞ୍ଚଳର ବରିଷ୍ଠ ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଲକ୍ଷ୍ମୀନାରାୟଣ ଶତପଥି ସମ୍ମାନୀତ ଅତିଥି ରୂପେ ଯୋଗଦେଇ ବରିଷ୍ଠମାନଙ୍କ ସମାଜପ୍ରତି ଅବଦାନ ସମ୍ପର୍କରେ ବୁଝାଇ ପୁତ୍ର କନ୍ୟାମାନେ ସେମାନଙ୍କ ଉପଯୁକ୍ତ ଯତ୍ନ ନେବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଅନ୍ୟତମ ଅତିଥି ରୂପେ ଶିକ୍ଷକ ମହାସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ଦଳାଇ, ଗ୍ରାମର ଯୁବ ସମାଜସେବୀ ବିକ୍ରମ କୁମାର ପାଣିଗ୍ରାହୀ ବରିଷ୍ଠମାନଙ୍କ ସେବାରେ ଯୁବବର୍ଗର ଦାୟୀତ୍ୱ ଓ କର୍ତ୍ତବ୍ୟ ଉପରେ ମତ ଉପସ୍ଥାପନ କରିଥିଲେ ।ଏପରିକି ଯୁବ ସମାଜ ବରିଷ୍ଠମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବା ପାଇଁ ଯୁବବର୍ଗଙ୍କୁ ଆହ୍ୱାନ ଦେଇଥିଲେ । ମଞ୍ଚର ସଂଯୋଜକ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କାମରାଜୁ ମହାରଣା ଏହି ଦିବସ ପାଳନର ଉଦ୍ଦେଶ୍ୟ ଓ ମହତ୍ତ୍ଵ ସଂପର୍କରେ ବର୍ଣ୍ଣନା କରିଥିଲେ । ଶ୍ରୀ ମହାରଣା ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଏବଂ ଅନ୍ୟ ସମସ୍ତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ନିମନ୍ତ୍ରିତ ବରିଷ୍ଠ ନାଗରିକ ଶୁକୁରୁ ପ୍ରଧାନ, କୈବଲ୍ୟ ପ୍ରଧାନ, ଗୋଦାବରୀ ପଣ୍ଡା ଓ ଗାଣ୍ଡୁ ଗୌଡଙ୍କୁ ମଞ୍ଚ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ମଞ୍ଚ ସଂଯୋଜନା କରିଥିବା ବେଳେ ସଂପାଦକ ଗଗନ ବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକାରୀ ସଭାପତି ଅଭିମନ୍ୟୁ ସାହୁ, ଈଶ୍ୱର ପ୍ରଧାନ, ସୋମନାଥ ବେହେରା, ବାବୁଲା ପ୍ରଧାନ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.