ଜୟପାଟଣାକୁ ଏନ୍‌ଏସି ଘୋଷଣା ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ସବୁଜ ସଂକେତ

ଜୟପାଟଣା, (ଶେଷ ଦେବ ବେହେରା) : ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ତତକାଳୀନ ବିଜେଡି ସରକାର ୫୬ଟି ସହରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ପାଇଁ ଘୋଷଣା କରିଥିଲେ । ନିର୍ବାଚନ ଫଳାଫଳ ସେମାନଙ୍କ ପାଇଁ ପ୍ରତିକୂଳ ଫଳ ଦେବା ପରେ ନବ ଗଠିତ ବିଜେପି ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୧୨ଟି ପରିଷଦର ନାମ ଘୋଷଣା କରିଥିଲେ । ଏହି ଘୋଷଣା ନାମାରେ କଳାହାଣ୍ଡି ଜିଲ୍ଲାର ଜୟପାଟଣା, ନର୍ଲା ଓ ମଦନପୁର ରାପୁର ବାଦ୍ ପଡ଼ିଥିଲା । ଫଳରେ ସଂପୃକ୍ତ ଅଞ୍ଚଳମାନଙ୍କରେ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଇତି ମଧ୍ୟରେ କଳାହାଣ୍ଡି ଜିଲ୍ଲା ସଂପୃକ୍ତ ଅଞ୍ଚଳମାନଙ୍କର କିଛି ପ୍ରତିନିଧି ମୁଖ୍ୟମନ୍ତ୍ରୀ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଭେଟିବା ପରେ ପରବର୍ତ୍ତୀ ପରିଷଦ ଘୋଷଣା ଖୁବ ଶୀଘ୍ର କରାଯିବ ବୋଲି ସବୁଜ ସଂକେତ ଦେଇଥିବାର ସୂଚନା ମିଳିଛି । ଗତ ସୋମବାର ଦିନ ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ପ୍ରତିନିଧିତ୍ଵରେ ପୂର୍ବତନ ବିଜେପି ଜିଲ୍ଲା ସଭାପତି ଶେଷ ଦେବ ବେହେରା, ଦକ୍ଷିଣ ଓଡ଼ିଶା ଆଦିବାସୀ ସମାଜ ସଭାପତି ଗଙ୍ଗାଧର ମାଝୀ କଳାହାଣ୍ଡି ଜିଲ୍ଲାର ତିନୋଟି ସହର କୁ ପରିଷଦ ଘୋଷଣା ପାଇଁ ଆଲୋଚନା ପରେ ମୁଖ୍ୟ ମନ୍ତ୍ରୀ ସବୁଜ ସଂକେତ ଦେଇଥିବା ସୂଚନା ମିଳିଛି । ପରବର୍ତ୍ତୀ ସମୟରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ମଧ୍ୟ କଳାହାଣ୍ଡି ଜିଲ୍ଲାର ତିନି ଗୋଟି ପରିଷଦ ପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ପ୍ରକାଶ କରିଥିଲେ । ସୂଚନା ମୁତାବକ ସ୍ଵାଧୀନତା ବହୁ ପୂର୍ବରୁ ରାଜତନ୍ତ୍ରର ପରିଧି ମଧ୍ୟରେ ଜାମ ଗୁଡାରୁ ଜୟପାଟଣା ନାମରେ ପରିବର୍ତ୍ତିତ ହୋଇଥିବା ମହୁଲ ପାଟ ଜମିଦାରୀର ପ୍ରାଣ କେନ୍ଦ୍ର ରାଜତନ୍ତ୍ର ସମୟରୁ ହିଁ ନିଜ ଅଞ୍ଚଳରେ ଅନେକ ବିକାଶ ସାଙ୍ଗରେ ପରିଚୟ ରଖିଥିଲା । ସ୍ଵାଧୀନତାର ବହୁ ପୂର୍ବରୁ ଶିକ୍ଷା, ସ୍ୱାସ୍ଥ୍ୟ, ସାର୍ବଜନୀନ କ୍ଲବ, ବିଜୁଳି, ରାଜସ୍ୱ, ପୋଲିସ, ଜଙ୍ଗଲ ବିଭାଗ ଭଳି ଅନେକ ସମ୍ବେଦନଶୀଳ ବିଭାଗ ସାଙ୍ଗରେ ପରିଚୟ ରଖିଥିଲା । ସ୍ଵାଧୀନତାର ପରବର୍ତ୍ତୀ ସମୟରେ ୧୯୫୨ମସିହାରୁ ପଞ୍ଚାୟତ, ବ୍ଲକ, ତହସିଲ ଓ ଅନ୍ୟାନ୍ୟ ବିଭାଗ କାର୍ଯ୍ୟକ୍ଷମ ହେବାରେ ଲାଗିଲା ପରେ ପରେ ଇନ୍ଦ୍ରାବତୀ ବହୁମୁଖି ପ୍ରକଳ୍ପ ସଂପୃକ୍ତ ଅଞ୍ଚଳର ପରିଚୟ ବୃଦ୍ଧି କଲା । ସୂଚନା ଅନୁସାରେ ୨୦୦୧ମସିହାରେ ଜୟପାଟଣା ପଞ୍ଚାୟତ ପରିଷଦ ଘୋଷଣାର ମାନ୍ୟତା ରଖିଥିଲେ ମଧ୍ୟ କୌଣସି କାରଣ ବସତ ବଞ୍ଚିତ କରି ୨୦୦୨ମସିହାରେ ସଂପୃକ୍ତ ପଞ୍ଚାୟତକୁ ବିଭାଜିତ କରାଯାଇଥିଲା । ପୁନଶ୍ଚ ୨୦୧୧ମସିହାରେ ଜନ ସଂଖ୍ୟା ୧୩, ୨୨୬ରେ ରହିଥିବା ସତ୍ତ୍ବେସେହି ସମୟରେ ମଧ୍ୟ ଘୋଷଣା ନାମାରୁ ବଞ୍ଚିତ ହେବାକୁ ପଡ଼ିଛି । ଏବେ ଗତ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଜୟପାଟଣାକୁ ସ୍ଥାନିତ କରାଯାଇଥିବା ବେଳେ ଏବର ମୋହନ ସରକାର ପରବର୍ତ୍ତୀ ପର୍ଯ୍ୟାୟରେ ଜୟପାଟଣାକୁ ନିଶ୍ଚିତ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରାଯିବ ବୋଲି ପ୍ରତିନିଧିମାନଙ୍କୁ ସବୁଜ ସଙ୍କେତ ଦେଇଥିବା ଅଞ୍ଚଳ ପାଇଁ ନୂଆ ଆଶା ସଂଚାର କରିଥିବା ଦେଖିବାକୁ ମିଳିଛି ।

jittmm
Leave A Reply

Your email address will not be published.