ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି

  • ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ସୀମାରେ ଶାନ୍ତି ଏବଂ ସ୍ଥିରତା ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀ
  • ଗତ ବର୍ଷ କାଜାନରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ ପରଠାରୁ ଦ୍ୱିପାକ୍ଷିକ ସମ୍ପର୍କରେ ସ୍ଥିର ଏବଂ ସକାରାତ୍ମକ ଅଗ୍ରଗତିକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ
  • ଏସ୍‌ସିଓ ସମ୍ମିଳନୀରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଜିନପିଙ୍ଗଙ୍କ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ
  • ସ୍ଥିର ଏବଂ ଗଠନମୂଳକ ଦ୍ୱିପାକ୍ଷିକ ସମ୍ପର୍କ ଆଞ୍ଚଳିକ ଏବଂ ବିଶ୍ୱ ଶାନ୍ତି ଓ ସମୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ବୋଲି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ଚୀନ କମ୍ୟୁନିଷ୍ଟ ପାର୍ଟିର ପଲିଟବ୍ୟୁରୋ ସଦସ୍ୟ ଏବଂ ବିଦେଶ ମନ୍ତ୍ରୀ ଶ୍ରୀ ୱାଙ୍ଗ ୟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଶ୍ରୀ ୱାଙ୍ଗ ୟି ତିଆନଜିନରେ ଅନୁଷ୍ଠିତ ହେବାକୁ ଥିବା ଏସସିଓ ଶିଖର ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବାର୍ତ୍ତା ଏବଂ ନିମନ୍ତ୍ରଣ ଜଣାଇଛନ୍ତି । ଚୀନ ବିଦେଶ ମନ୍ତ୍ରୀ ତାଙ୍କ ଭାରତ ଗସ୍ତ ସମୟରେ ବିଦେଶ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କରଙ୍କ ସହ ଦ୍ୱିପାକ୍ଷିକ ବୈଠକ ଏବଂ ଏନଏସଏ ଅଜିତ ଡୋଭାଲଙ୍କ ସହ-ଅଧ୍ୟକ୍ଷତାରେ ଆୟୋଜିତ ଚତୁର୍ବିଂଶତମ ସ୍ୱତନ୍ତ୍ର ପ୍ରତିନିଧି ବୈଠକର ସକାରାତ୍ମକ ଫଳାଫଳ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ପ୍ରଧାନମନ୍ତ୍ରୀ ସୀମାରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବାର ଗୁରୁତ୍ୱ ଉପରେ ଜୋର ଦେବା ସହିତ ସୀମା ବିବାଦର ଏକ ନିରପେକ୍ଷ, ଯୁକ୍ତିସଂଗତ ଏବଂ ଆପୋସ ଭାବରେ ଗ୍ରହଣୀୟ ସମାଧାନ ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ଗତ ବର୍ଷ କାଜାନରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ ପରଠାରୁ ଦ୍ୱିପାକ୍ଷିକ ସମ୍ପର୍କରେ ସ୍ଥିର ଏବଂ ସକାରାତ୍ମକ ପ୍ରଗତିକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଛନ୍ତି । ଏହା ପାରସ୍ପରିକ ସମ୍ମାନ, ଆପୋସ ହିତ ଏବଂ ପାରସ୍ପରିକ ସମ୍ବେଦନଶୀଳତା ଦ୍ୱାରା ପରିଚାଳିତ, ଯେଉଁଥିରେ କୈଳାସ ମାନସରୋବର ଯାତ୍ରା ପୁନରାରମ୍ଭ ମଧ୍ୟ ସାମିଲ ରହିଛି । ପ୍ରଧାନମନ୍ତ୍ରୀ ଏସସିଓ ଶିଖର ସମ୍ମିଳନୀକୁ ନିମନ୍ତ୍ରଣ ପାଇଁ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଧନ୍ୟବାଦ ଜଣାଇବା ସହ ଏହାକୁ ସ୍ୱୀକାର କରିଥିଲେ । ସେ ଏସସିଓ ଶିଖର ସମ୍ମିଳନୀରେ ଚୀନର ଅଧ୍ୟକ୍ଷତାକୁ ସମର୍ଥନ ଜଣାଇଥିଲେ ଏବଂ କହିଥିଲେ ଯେ, ସେ ତିଆନଜିନରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିବା ଲାଗି ଆଗ୍ରହୀ ଅଛନ୍ତି । ଭାରତ ଏବଂ ଚୀନ୍ ମଧ୍ୟରେ ସ୍ଥିର, ଆକଳନଯୋଗ୍ୟ ଏବଂ ଗଠନମୂଳକ ସମ୍ପର୍କ ଆଞ୍ଚଳିକ ଏବଂ ବିଶ୍ୱ ଶାନ୍ତି ଓ ସମୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ।

jittmm
Leave A Reply

Your email address will not be published.