କେନ୍ଦ୍ର ଖଣିଜ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ନିରଞ୍ଜନ

ପାଟଣାଗଡ଼, (କେପିଏନ୍‌ଏସ୍‌) : ବ୍ଲକର ସାଲେପାଲି ଗ୍ରାଫାଇଟ ମାଇନିଂ ବ୍ଲକ ନିଲାମ ହୋଇଛି । ଏହି ଗ୍ରାଫଇଟ ମାଇନିଂକୁ କେନ୍ଦ୍ର ସରକାର ତାମିଲନାଡୁର ଭିନମୀର ରିସୋର୍ସ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ନିଲାମ ଦେଇଛି । ସରକାର କିମ୍ବା କମ୍ପାନୀ ଯେ କୌଣସି ଖଣି, ନଦୀ ବନ୍ଧ, କିମ୍ବା ଯାହା ଯୋଜନା କଲେ ପ୍ରଥମେ ସ୍ଥାନୀୟ ଅଞ୍ଚଳ ବା ପଞ୍ଚାୟତର ପଲ୍ଲୀସଭା, ଗ୍ରାମସଭାରେ ଅନୁମୋଦନ ଲାଭ କରାଯାଏ, ଜନ ଶୁଣାଣି କରାଯାଏ କିନ୍ତୁ ଏଠାରେ ଦୁଃଖର ବିଷୟ ବିନା ପଲ୍ଲୀ ସଭା, ବିନା ଗ୍ରାମ ସଭା, ବିନା ଜନ ଶୁଣାଣିରେ ସରକାର ସାଲେପାଲି ଗ୍ରାଫାଇଟ ମାଇନିଂ ବ୍ଲକକୁ ନିଲାମ ଦେଇଦେବା କେତେଦୂର ଯୁକ୍ତିଯୁକ୍ତ? ଏହା ସରକାରଙ୍କ ଏକଛତ୍ରବାଦ ଶାସନ ନୁହେଁ କି ? ସରକାର ଜାଣିଶୁଣି ଗଣତନ୍ତ୍ରକୁ ହନନ କରୁ ନାହାନ୍ତି କି ? ସରକାର ଏଠାକାର ଅଞ୍ଚଳ ତଥା ଜନସାଧାରଣଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର କରୁ ନାହାନ୍ତି କି ? ଏହା ସରକାରଙ୍କ ବୈମାତୃକ ମନୋଭାବ ନୁହେଁ କି ? ଯଦି ବିନା ପଲ୍ଲୀସଭା, ବିନା ଗ୍ରାମ ସଭା, ବିନା ଜନ ଶୁଣାଣିରେ ସରକାର କମ୍ପାନୀକୁ ଗୋଟିଏ ବୃହତ ଅଞ୍ଚଳକୁ ଟେକି ଦେଇ ପାରୁଛନ୍ତି ତାହେଲେ ଯେ କୌଣସି ମୁହୂର୍ତ୍ତରେ ଏ ଅଞ୍ଚଳର ଜନସାଧାରଣଙ୍କୁ ଧକ୍କା ମାରି ଗାଁମାନଙ୍କରୁ ବାହାର କରିଦେବେ । ସରକାର କହୁଛନ୍ତି ଏଠାରେ ଖଣି ଖନନ ହେଲେ ଦାଦନ ସମସ୍ୟା ଦୂର ହେବ, ବେକାରୀ ସମସ୍ୟା ଦୂର ହେବ, ଏଠାକାର ଯୁବକ ଯୁବତୀ ମାନେ ରୋଜଗାର ପାଇବେ । ସରକାର ଯଦି ଏତେ ଦରଦ ଦେଖାଉଛନ୍ତି ତାହାଲେ ଏଠାରେ ହଜାର ହଜାର ଟନ କପା ଉତ୍ପାଦନ ହେଉଛେ କପା ଫେକ୍ଟରୀ, କଟନ କରିଡ଼ର, ସ୍ପିନିଙ୍ଗ ମିଲ, କପଡା କାରଖାନା କରନ୍ତୁ । ବଲାଙ୍ଗିର ଜିଲ୍ଲାରେ ଅଚଳ ଅବସ୍ଥାରେ ଥିବା ଚିନି କଳ କାରଖାନା କାର୍ଯ୍ୟକ୍ଷମ କରନ୍ତୁ, ଆମ୍ବ ଜୁସ ଫେକ୍ଟରୀ କରନ୍ତୁ, ତରଭୁଜ ଜୁସ ଫେକ୍ଟରୀ କରନ୍ତୁ, ପାତଳଘଣ୍ଟା ସସ ଫେକ୍ଟରୀ କରନ୍ତୁ, ଶୀତଳ ଭଣ୍ଡାର ନିର୍ମାଣ କରନ୍ତୁ, ହରିଶଙ୍କର ମନ୍ଦିରକୁ ଟୁରିଷ୍ଟ ପ୍ଲେସ କରନ୍ତୁ ଦେଖିବେ ଆପେ ଆପେ ଦାଦନ ସମସ୍ୟା, ବେକାରୀ ସମସ୍ୟା ଦୂର ହୋଇଯିବ । ଏଥିପାଇଁ ସରକାରଙ୍କ ଅଞ୍ଚଳ ପ୍ରତି ଇଛାଶକ୍ତି ଦରକାର । ଏଠାରେ ଖଣି ଖନନ ହେଲେ ଜଙ୍ଗଳ ଧ୍ୱଂସ ହେଇଯିବ, ଗାଁରେ ଖଣିର କୁପ୍ରଭାବ ପଡ଼ିବ, ଜୀବ ଜଗତ ଉପରେ କୁପ୍ରଭାବ ପଡ଼ିବ, ପରିବେଶ ଦୂଷିତ ହେବ, ହଜାର ହଜାର ଲୋକେ ଭିଟାମାଟି ଛାଡ଼ିବେ ବିସ୍ଥାପିତ ହେବେ, ଲୋକେ ବିଭିନ୍ନ ରୋଗ ଯନ୍ତ୍ରଣାରେ ମରିବେ, ଅଞ୍ଚଳରେ ଗୁଣ୍ଡାଗର୍ଦୀ ବଢିବ । ଲୋକେ ଅନେକ ସମସ୍ୟାରେ ପଡିବେ । ଏଣୁ ଜନସାଧାରଣଙ୍କ ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ ଏହି ଅଞ୍ଚଳରେ ଖଣି ଖନନ ବନ୍ଦ କରନ୍ତୁ । ସରକାର କମ୍ପାନୀ ପ୍ରୀତି ଛାଡ଼ି ନିଲାମ ବାତିଲ କରନ୍ତୁ ବୋଲି ଗତକାଲି ରାଜ୍ୟସଭା ସାଂସଦ ଡ଼ ନିରଞ୍ଜନ ବିଶି କେନ୍ଦ୍ର ଖଣିଜ ସମ୍ପଦ ମନ୍ତ୍ରୀ ଜୀ କିଷାନ ରେଡ୍ଡୀଙ୍କୁ ଲିଖିତ ଭାବରେ ଦାବୀ କରିଛନ୍ତି । ସାଂସଦ ଶ୍ରୀ ବିଶିଙ୍କ ଏଭଳି ମହତ ପଦକ୍ଷେପ ପାଇଁ ଜନମ ମାଏଟ ବଚାଓ ସଂଘର୍ଷ ସମିତି ତଥା ଅଞ୍ଚଳବାସୀ ତରଫରୁ କୃତଜ୍ଞତା ଜଣେଇଛନ୍ତି ।

jittmm
Leave A Reply

Your email address will not be published.