ମଧୁସୂଦନ ପାଠାଗାରରେ ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଓ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାହିତ୍ୟ ଅନୁଷ୍ଠାନ ଛେଣ୍ଡ ସ୍ଥିତ ମଧୁସୂଦନ ପାଠାଗାର ଓ ଛେଣ୍ଡ ୱେଲଫେୟାର କମିଟିର ମିଳିତ ଆନୁକୂଲ୍ୟରେ ସ୍ୱଭାବ ତଥା ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ୧୬୪ ତମ ଜୟନ୍ତୀ ଓ ମେହେର ସାହିତ୍ୟରେ ଆଧ୍ୟାତ୍ମିକତା ଓ ପ୍ରକୃତି ବର୍ଣ୍ଣନା ଆଲୋଚନାଚକ୍ର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ହରିହର ରାଉତରାୟଙ୍କ ସଭାପତିତ୍ୱ ଓ ସମ୍ପାଦକ ବିଜୟ କୁମାର ବରାଳଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲାୟନ ସରୋଜ ପାତ୍ର ମୁଖ୍ୟଅତିଥି, ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟବକ୍ତା, ବୈଦିକ ଶାସ୍ତ୍ରର ପ୍ରବକ୍ତା ଶ୍ରୀକାନ୍ତ ଷଡ଼ଙ୍ଗୀ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟରେ ମତ ଉପସ୍ଥାପନ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ରାଉତ ମେହେର ସାହିତ୍ୟରେ ପ୍ରକୃତି ସମ୍ପର୍କରେ ବକ୍ତବ୍ୟ ରଖି କହିଲେ ଯେ ସତୀ ସୀତାଙ୍କ ଶୋକ ପ୍ରସମିତ ପାଇଁ ପ୍ରକୃତି ନେଇଛି ଏକ ବିଶିଷ୍ଟ ଭୂମିକା । ଯେଉଁ ସୀତା ଅସତୀ ଓ କଳଙ୍କିନୀ ବୋଲି ଅଯୋଧ୍ୟାବାସୀଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତା, ସେ ପ୍ରକୃତି ଦ୍ୱାରା ସତୀ ରାଜ୍ୟର ରାଣୀ ଭାବେ ସମ୍ବୋଧିତା । ତପସ୍ଵିନୀରେ ପ୍ରକୃତର ଯେଉଁ ଅନବିଦ୍ୟ ଚିତ୍ର ଅଙ୍କନ କରିଛନ୍ତି, ତାହା ଅତ୍ୟନ୍ତ ସହାନୁଭୂତି ଶାଣିତ, ତେଣୁ ପ୍ରଥମେ ପ୍ରକୃତି ସୀତାଙ୍କ ଦୁଃଖରେ କ୍ରନ୍ଦନ କରିଛି । ସମ୍ମାନିତ ବକ୍ତା ଶ୍ରୀ ଷଡ଼ଙ୍ଗୀ ମେହେର ସାହିତ୍ୟରେ ଆଧ୍ୟାତ୍ମିକତା ସମ୍ପର୍କରେ ଆଲୋଚନା କରି ଅର୍ଘ୍ୟଥାଳି, କୀଚକବଧ, ପ୍ରଣୟବଲ୍ଲଭୀ ରେ ସତୀ ସୀତାଙ୍କ ପତିବ୍ରତା ଓ ମୁଁ ରୂପକ ଅହଂକାରକୁ ଭଗବାନଙ୍କ ନିକଟରେ ସମର୍ପଣ କରିଦେବା ହିଁ ପ୍ରକୃତ ମାନବୀୟ ଧର୍ମ ବୋଲି ମତ ରଖିଥିଲେ । ଗଙ୍ଗାଧରଙ୍କ ସାହିତ୍ୟକୃତିରେ ଆଧ୍ୟାତ୍ମିକତା ଅତି ଚମତ୍କାର ଭାବେ ବର୍ଣ୍ଣନା କରାଯାଇଛି । ପ୍ରାରମ୍ଭରେ ସଭାପତି ଶ୍ରୀ ରାଉତରାୟ ସଭାପତିତ୍ୱ ଅଭିଭାଷଣ ରେ ସମୟାନୁବର୍ତ୍ତିତାକୁ ଗୁରୁତ୍ୱାରୋପ କରିବା ସହ ବରପାଲି ଷ୍ଟେସନର ଉନ୍ନତିକରଣ ଓ ସେଠାରେ ଏକ ଗଙ୍ଗାଧରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ମତ ରଖିଥିଲେ । ସମ୍ପାଦକ ଶ୍ରୀ ବରାଳ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଗଙ୍ଗାଧରଙ୍କ ଜୀବନାଦର୍ଶ ତଥା ସମାଜସେବୀ ଅର୍ଚ୍ଚନା ଦେବତା ଗଙ୍ଗାଧରଙ୍କ ସମ୍ପର୍କିତ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ରଖାଲ ମହାନ୍ତିଙ୍କୁ ସମ୍ମାନିତ କରାଯାଇଥିଲା । ୱେଲଫେୟାର କମିଟିର ସଭାପତି ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ମଞ୍ଚାସୀନ ଥିଲା ବେଳେ ଶେଷରେ କମିଟିର ସମ୍ପାଦକ ବ୍ରଜକିଶୋର ପାଣି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ହରିହର ଶତପଥୀ, ସୁଶାନ୍ତ କୁମାର ନାୟକ, ମନୋରଞ୍ଜନ ଦାଶ, ପ୍ରସନ୍ନ କୁମାର ସାବତ, ପୀତବାସ ପ୍ରଧାନ, ଜଗନ୍ନାଥ ମହାରଣା, ଜ୍ୟୋସ୍ନା ରାଣୀ ରାୟ, ପ୍ରକାଶ ମହାନ୍ତି, ଡା ପ୍ରଭାକର ନାୟକ, ଇଂ ରବି ସିଂ, ଇଂ ରମେଶ ସିଂ, କମଳାକାନ୍ତ ହୋତା, କୁଳମଣି ଦାସ, ରାମଚନ୍ଦ୍ର ପରିଡ଼ା,ସଞ୍ଜୁ ଦାସ, ସଞ୍ଜୁକ୍ତା ଦାସ, ସରାଫ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.