ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ସହିଦ ହୋଇଥିବା ବୀରଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଆଦିବାସୀମାନେ ପାରମ୍ପରିକ ସଜବାଜ ହୋଇ ଅସ୍ତ୍ର, ଶସ୍ତ୍ର ଧରି ପାରମ୍ପରିକ ବାଦ୍ୟଯନ୍ତ୍ରରେ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ । ସହରକୁ ପ୍ରବେଶ କରିବା ପୂର୍ବରୁ ସହିଦ ବୀରଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ହଜାର ହଜାର ଆଦିବାସୀମାନେ ଏକତ୍ରିତ ହୋଇ ଆଦିବାସୀ ଅଧିକାର ନାରା ଦେଇ ସହର ପରିକ୍ରମ କରି ସଭାସ୍ଥାନରେ ପହଞ୍ଚି ଥିଲେ । ଆଦିବାସୀ ଦିବସର ଲକ୍ଷ ଓ ଉଦ୍ଦେଶ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଆଦିବାସୀ ଦିବସ ପାଳନ ସଭାରେ ସମାଜ ବ୍ଳକ ସଭାପତି, ଉପସଭାପତିମାନେ ମଞ୍ଚାସୀନ ରହିଥିଲେ । ଆଦିବାସୀ ଦିବସ ପାଳନକୁ ସଫଳ କରିବା ପାଇଁ ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟସଭ୍ୟାମାନେ ସହଯୋଗ କରିଥିବା ବେଳେ ଆଦିବାସୀ ସମ୍ପ୍ରଦାୟର ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀମାନେ ସହଯୋଗର ହାତ ବଢାଇଥିଲେ । ଆଦିବାସୀ ଦିବସ ପାଳନ ଅବସରରେ ପାରମ୍ପରିକ ସଜବାଜ ହୋଇ ନାଚଗୀତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ମଞ୍ଚାସୀନ ଭଦ୍ରବ୍ୟକ୍ତିମାନେ ଆଦିବାସୀଙ୍କ ସମସ୍ୟା, ସଂସ୍କାର, ଅଧିକାର ପାଇଁ ଲଢ଼େଇ କରିବାର ଆହ୍ୱାନ ଦେଇଥିଲେ । ସେହିପରି ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ଡଙ୍ଗରିଆମାନେ ମଧ୍ୟ ବିଶ୍ଵ ଆଦିବାସୀ ଦିବସ ପାଳନ କରିଛନ୍ତି । ଡଙ୍ଗରିଆମାନେ ପାରମ୍ପରିକ ସଜବାଜ ହୋଇ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରା କରି ବୀର ସହିଦଙ୍କୁ ପୁଷ୍ପମାଲ୍ୟ ଦେଇ ବିଶ୍ଵ ଆଦିବାସୀ ଦିବସ ପାଳନ କରିଛନ୍ତି ।
