ଶ୍ରଦ୍ଧାରେ ବିଶ୍ଵ ସ୍ତନ୍ୟପାନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରଦ୍ଧା ଆନୁକୁଲ୍ୟରେ ବିଶ୍ଵ ସ୍ତନ୍ୟପାନ ଦିବସ କାର୍ଯ୍ୟକାରୀ ସଭାପତି ପଶୁପତିନାଥ ଚାଟାର୍ଜୀଙ୍କ ଅଧ୍ୟକ୍ଷତା ଓ ସଂଯୋଜନାରେ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଇ. ଜି.ଏଚ.ର ପ୍ରାକ୍ତନ ଉପ ନିର୍ଦ୍ଦେଶକ ତଥା ବିଶିଷ୍ଟ ଶିଶୁ ବିଶେଷଜ୍ଞ ଡା ପରମାନନ୍ଦ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ମାଆ କ୍ଷୀର ୩ ପ୍ରକାର ଉପକାର ଦେଇଥାଏ ଯଥା ଛୁଆଙ୍କ ପାଇଁ ଏହା ଏକ ଶକ୍ତି ବର୍ଦ୍ଧକ ତଥା ନୀରୋଗକାରୀ, ମାଆ ପାଇଁ ସ୍ଵାସ୍ଥ୍ୟ କାରକ ଏବଂ ସୁସ୍ଥ ସମାଜ ଗଠନ ଦିଗରେ ସହାୟକ ହୋଇଥାଏ । ପିଲାକୁ ଜନ୍ମଠାରୁ ଅତିକମରେ ୨ ବର୍ଷ ପର୍ଯ୍ୟନ୍ତ କ୍ଷୀର ଖୁଆଇବା ଉଚିତ । କର୍ମଜୀବୀ ମହିଳା ମାଆମାନେ ନିଜ କ୍ଷୀର ସଂଗ୍ରହ କରି ଡିପ୍ ଫ୍ରିଜରେ ରଖି ତାକୁ ପିଲାକୁ ଦେବା ସମୟରେ ସାଧାରଣ ଘର ଟେମ୍ପରଚରକୁ ଆଣି ସଫାସୁତୁରା ଭାବେ ଚାମଚରେ ପିଆଇ ପାରିବେ । ମାଆକୁ କେବେବି ଜ୍ଵର, ଝାଡା ସମୟରେ କିମ୍ବା ଅନ୍ୟ କୌଣସି ରୋଗରେ ପିଡ଼ିତ ଥିଲେ ମଧ୍ୟ କ୍ଷୀର ବନ୍ଦ କରିବା ଅନୁଚିତ । ସମ୍ମାନିତ ଅତିଥି ବିଶ୍ରା ବ୍ଲକର ମେଡିକାଲ ଅଧିକାରୀ ତଥା ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ଅମିତ୍ କୁମାର ଦାଶ ଯୋଗଦେଇ କହିଲେ ଯେ : ଶିଶୁଟି ଜନ୍ମ ହେବା ପରେ ପରେ ତାକୁ ତୁରନ୍ତ ମାଆ କ୍ଷୀର ଖୁଆଇବା ଉଚିତ । ଏହାକୁ କଷ କ୍ଷୀର କୁହାଯାଇଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତି । ପ୍ରଥମେ ଯେବେ ଶିଶୁ ମାଆ କ୍ଷୀର ନିଜ ମାଆର ଆଖି ସହିତ ଆଖି ମିଶାଇ ମାଆ କୋଳର ଉଷ୍ମତା ଅନୁଭବ କରିଥାଏ । ଜନ ଶିକ୍ଷଣ ସଂସ୍ଥାର ପ୍ରାକ୍ତନ ପ୍ରୋଗ୍ରାମ ଅଫିସର ତଥା ସମାଜସେବୀ ରାଜଶ୍ରୀ ପଣ୍ଡା ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିଶୁଟି ଜନ୍ମ ନେଲା ପରେ ନବଜାତ ଶିଶୁର ଯତ୍ନ ଓ ମାଆର ଭୂମିକା ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହ୍ୟୁମାନିଟି ଫାଉଣ୍ଡେସନର ସଭାପତି ଦୀପ୍ତି ବିଶ୍ଵାଳ ଓ ସମ୍ପାଦିକା ଲୀନା ତ୍ରିପାଠୀ, ମାଣିକ ଫାଉଣ୍ଡେସନର କାମିନୀ ମହନ୍ତ, ମିରର ଫାଉଣ୍ଡେସନର ବିଶ୍ଵଜିତ ରାଉତ ପ୍ରମୁଖ ଉପସ୍ଥିତ ରହି ଶିଶୁ ଓ ମାଆ କ୍ଷୀର ଉପରେ ପ୍ରାସଙ୍ଗିକ ବକ୍ତବ୍ୟମାନ ପ୍ରଦାନ କରିଥିଲେ । ପ୍ରାରମ୍ଭରେ କାର୍ଯ୍ୟକାରୀ ସଭାପତି ଶ୍ରୀ ଚାଟାର୍ଯ୍ୟୀ କାର୍ଯ୍ୟକ୍ରମ ରେ ପୌରହିତ କରିବା ସହିତ ବିଶ୍ଵ ସ୍ତନ୍ୟପାନ ଦିବସ ପାଳନର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ସାଧାରଣ ସଂପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ସ୍ଵାଗତ ଅଭିଭାଷଣ ରଖିବା ସହ ଶ୍ରଦ୍ଧାର କାର୍ଯ୍ୟକ୍ରମର ବିବରଣୀ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଜଗନ୍ନାଥପଲ୍ଲୀ, ତୁମକେଲା, ଶ୍ରଦ୍ଧାର ପିଲାମାନଙ୍କ ଅଭିଭାବକ ଏବଂ ବିଭିନ୍ନ ସାମାଜିକ ଅନୁଷ୍ଠାନର ପ୍ରାୟ ୮୦ରୁ ଅଧିକ ଅଂଶ ଗ୍ରହଣ କରିଥିଲେ । ଉପସଭାପତି ପ୍ରଭାକର ନାୟକ, ସୁକୁମାର ପାଣ୍ଡବ, ପ୍ରୀତି ବାରିକ, ଅଞ୍ଜଳି ମହାରଣା, ସୁଜାତା ରାଉତ, ଅର୍ଚ୍ଚନା ମିଞ୍ଜ୍, ସନ୍ତୋଷୀ, ଇତିଶ୍ରୀ , ଗଗନ ମହାନ୍ତି ଓ ଧୀରେନ ଓଝା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.