ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲଖନା ପଞ୍ଚାୟତ ଫୁଣ୍ଡେଲପଦର ଗ୍ରାମର ଦାମୋଦର ଭୋଇଙ୍କ ପୁଅ କୁବେର ଭୋଇ(୩୫)ଙ୍କ କଞ୍ଚା ମାଟିଘର ଲଗାଣ ଲଘୁଚାପ ବର୍ଷାରେ ଭାଙ୍ଗିଯାଇଛି । ମୁରିବାହାଲ ବ୍ଲକ ଅଞ୍ଚଳରେ ଝିପି ଝିପି ଲଘୁଚାପ ବର୍ଷା ଲାଗି ରହିଥିବା ବେଳେ କଞ୍ଚା ମାଟିଘରେ ରହୁଥିବା ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି । କୁବେରଙ୍କ ପରିବାର ଏହି କଞ୍ଚା ମାଟିଘରେ ରହୁଥିବା ବେଳେ ଶୁକ୍ରବାର ରାତିରେ ହୋଇଥିବା ଲଘୁଚାପ ବର୍ଷାରେ ତାହା ଭାଙ୍ଗିଯାଇଥିଲା । ଫଳରେ ଅଳ୍ପକେ ପରିବାର ଲୋକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ । କୁବେର ଘରଭାଙ୍ଗିଥିବା ନେଇ ସରକାରୀ ସହାୟତା ଯୋଗାଇ ଦେବାକୁ ମୁରିବାହାଲ ରାଜସ୍ୱ ନିରୀକ୍ଷକଙ୍କୁ ଅନୁରୋଧ କରିଥିଲେ । ରାଜସ୍ୱ ନିରୀକ୍ଷକ କୁଶଳ ବେହେରା ପହଞ୍ଚି ଘରଭଙ୍ଗାର ସମ୍ପୁର୍ଣ୍ଣ କ୍ଷୟକ୍ଷତି ଆକଳନ କରିଥିଲେ । ତାଙ୍କୁ ପଚାରିବାରୁ ସେ କ୍ଷୟକ୍ଷତି ଆକଳନ କରି ସହାୟତା ପାଇଁ ତହସିଲଦାରଙ୍କୁ ନିଜ ରିପୋର୍ଟ ପ୍ରଦାନ କରିଥିବା ପ୍ରକାଶ କରିଛନ୍ତି । ଏବେବି କଞ୍ଚା ମାଟିଘରେ ରହୁଥିବା ଓ ଘର ଭାଙ୍ଗି ଯାଇଥିବା କୁବେରଙ୍କୁ ଲଖନା ପଞ୍ଚାୟତ ତଥା ମୁରିବାହାଲ ବ୍ଲକ ପ୍ରଶାସନ ପକ୍ଷରୁ ଆବାସ ଯୋଜନାରେ ସାମିଲ କରି ଏକ ପକ୍କା ଘର ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Prev Post