ମାୟାବର୍ହା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ କାରଗିଲ ବିଜୟ ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହ୍।ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ୱରେ ୨୬ ବର୍ଷ ପୂର୍ବେ ଭାରତର ପାକିସ୍ତାନ ଉପରେ ବିଜୟର ସ୍ମୃତିଚାରଣ ପୂର୍ବକ “କାର୍ଗିଲ ବିଜୟ ଦିବସ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ତଥା ସମସ୍ତ କର୍ମଚାରୀ ଏକତ୍ରିତ ହୋଇ ସହିଦମାନଙ୍କ ସ୍ମୃତିରେ ଏକ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଶେଷରେ ବିଦ୍ୟାଳୟ ପରିସରରେ ସହିଦମାନଙ୍କ ସ୍ମୃତିରେ ଛାତ୍ର ଛାତ୍ରୀମାନେ ବିଭିନ୍ନ ଗଛ ଲଗାଇଥିଲେ ଓ ତାହାର ଯତ୍ନ ନେବା ପାଇଁ ପ୍ରତିଜ୍ଞା କରିଥିଲେ । ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ସହିଦ ସୈନିକମାନଙ୍କ ବଳିଦାନ ଯୋଗୁ ଆଜି ଅଖଣ୍ଡ ଭାରତରେ ଶାନ୍ତିରେ ବାସ କରିପାରୁଛୁ ବୋଲି ମତ ପ୍ରଦାନ କରିଥିଲେ । ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ଛାତ୍ରଛାତ୍ରୀମାନଙ୍କୁ ଗୀତ ମାଧ୍ୟମରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ । ଏହି ଅବସରରେ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ସିଂହିଯୁବାର ଗଣିତ ଶିକ୍ଷକ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ସୌନିକମାନଙ୍କ ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ । ଅନ୍ୟତମ ଅତିଥି ଭାବରେ ସିଂହିଯୁବା ବିଦ୍ୟାଳୟର ଖେଳ ଶିକ୍ଷକ ମଲୟ ସାହୁ ଯୋଗଦାନ କରି ସହୀଦ ବିକ୍ରମ ବାତ୍ରାଙ୍କ ଲୋମହର୍ଷଣକାରୀ ତଥ୍ୟ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପୂଜାରାଣୀ ଦୀପ, ଝରଣା ସାହୁ, ଶ୍ରୀମୟୀ, ଦିପ୍ତିଶିଖା, ଆୟୁଶୀ, ଆଭା, ବିକାଶ ପ୍ରଭୁତି ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ସଂସ୍କୃତ ଶିକ୍ଷକ ରାଜୁ ମେହେର ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ କିରଣ କୁମାର ପଟେଲ, ସଞ୍ଜୀବ ପୂଜାରୀ, ମୀନକେତନ ଦାସ, ବିଭୀଷଣ ଖମାରୀ, ସୁରଜ୍ ଖମାରୀ , ସମୀର କାଠର ସହଯୋଗ କରିଥିଲେ ।

Leave A Reply

Your email address will not be published.