
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଦ୍ୟୁତ ତାର ସଜାଡୁ ଥିବା ବେଳେ, ଖୁଣ୍ଟରୁ ପଡି ଜଣେ ବିଦ୍ୟୁତ କର୍ମଚାରୀ ଗୁରୁତର ହୋଇ ପଡ଼ିଥିଲେ ଏବଂ ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ଖଣ୍ଡିଦେଉଳି ସ୍ଥିତ ହସ୍ପିଟାଲକୁ ନିଆଯାଇଥିଲା, ଦୁର୍ଭାଗ୍ୟ ବଶତଃ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତକ ବିଦ୍ୟୁତ କର୍ମଚାରୀ ହେଲେ ପି. ରାମଚନ୍ଦ୍ର ଦୋରା ବୋଲି ଜଣାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି, ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଲଙ୍ଗ ପଞ୍ଚାୟତର ନିମୁଶୁଳା ଗ୍ରାମରେ । ଗଞ୍ଜାମ ବିଦ୍ୟୁତ ବିଭାଗର ଖଣ୍ଡିଦେଉଳି ସେକ୍ସନର କାର୍ଯ୍ୟରତ ପି. ରାମଚନ୍ଦ୍ର ଦୋରା ଆଜି ସନ୍ଧ୍ୟାରେ ନିମୁଶୂଳା ଗ୍ରାମରେ ଜୈନିକ ବିଦ୍ୟୁତ ଉପଭୋକ୍ତାଙ୍କ ବିଦ୍ୟୁତ ଲାଇନ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିବାରୁ ସେଠାରେ ପହଞ୍ଚି ବିଦ୍ୟୁତ ଖମ୍ବରେ ଚଢି ବିଦ୍ୟୁତ ତାର କାର୍ଯ୍ୟ ସଜାଡୁଥିଲେ । ଏତିକିବେଳେ ସେ ତଳେ ପଡିଯାଇ ଗୁରୁତର ହୋଇପଡ଼ିଥିଲେ । ଚିକିତ୍ସା ପାଇଁ ଖଣ୍ଡିଦେଉଳି ମେଡିକାଲରେ ନେଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । କୁହାଯାଏ ଯେ’ ସେ ପୂର୍ବରୁ ମଧ୍ୟ ବିଦ୍ୟୁତ ଖୁଣ୍ଟରେ ଚଢି ଗୁରୁତର ଆହତ ହୋଇଥିଲେ ମଧ୍ୟ ସେ ବଞ୍ଚିଯାଇଥିଲେ । କିନ୍ତୁ ଏଥରକ ସେ ମୃତ୍ୟୁ ବରଣ କରିଛନ୍ତି । ବିଦ୍ୟୁତ୍ କର୍ମଚାରୀ ଭାବେ ସେ ଜଣେ ମେଳାପୀ, ପରୋପକାରୀ, ସମାଜସେବୀ ହିସାବରେ ଉକ୍ତ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ । ତାଙ୍କର ମୃତ୍ୟୁରେ ସେହି ଗାଆଁରେ ଶୋକର ଛାୟା ଖେଳିଯାଇଛି ।