
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦୀର୍ଘ ବର୍ଷ ଧରି ଗଞ୍ଜାମ ଜିଲ୍ଲାରେ ଗୃହ ବିଭାଗର ନିର୍ଦ୍ଦେଶରେ କ୍ୟାଡ଼ର ଏପିପି ଭାବେ ଛତ୍ରପୁର ଏସଡ଼ିଜେଏମ କୋର୍ଟରେ କାର୍ଯ୍ୟରତ ଥିବା ରାଜେଶ କୁମାର ମିଶ୍ରଙ୍କର ଇତି ମଧ୍ୟରେ ପଦୋନ୍ନତି ହୋଇଛି । ଏହି ଖବର ଛତ୍ରପୁରରେ ଏକ ଖୁସିର ବାତାବରଣ ସୃଷ୍ଟି କରିଛି । କିନ୍ତୁ ଏବେ ଗୃହ ବିଭାଗର ନିର୍ଦ୍ଦେଶରେ ଶ୍ରୀ ମିଶ୍ର ଗଜପତି ଜିଲ୍ଲାରେ ଭାରପ୍ରାପ୍ତ ପବ୍ଲିକ ପ୍ରୋସେକ୍ୟୁଟର ଭାବେ କାର୍ଯ୍ୟ ଆରମ୍ଭ କରିବେ । ଏହି ପରିପ୍ରେକ୍ଷୀରେ ଛତ୍ରପୁର କୋର୍ଟରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ସରକାରୀ ଓକିଲ ରମେଶ ଚୌଧୁରୀଙ୍କର ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାର ପ୍ରାରମ୍ଭରେ ସରକାରୀ ଓକିଲ ସୁରେଶ ପଣ୍ଡା ଶ୍ରୀ ମିଶ୍ରଙ୍କର ସଂକ୍ଷିପ୍ତ କାର୍ଯ୍ୟକାଳର ବିଷଦ ବିବରଣୀ ରଖି ଶ୍ରୀ ମିଶ୍ରଙ୍କର ପ୍ରସିକ୍ୟୁସନ ସର୍ଭିସରେ ବିଶେଷ ଅବଦାନ ତଥା ସମାଜସେବା ଉପରେ ତଥ୍ୟ ରଖିଥିଲେ । ପରେ ଛତ୍ରପୁରର ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ସୀମାଞ୍ଚଳ ମହାପାତ୍ର ଓ ଏପିପି ଏଲ ଗୋପାଳ ରାଓ ଶ୍ରୀ ମିଶ୍ରଙ୍କର କାର୍ଯ୍ୟଶୈଳୀ ତଥା ବିଚକ୍ଷଣ ପ୍ରତିଭା ଓ ତ୍ୱରିତ ବିଚାର ବ୍ୟବସ୍ଥାରେ ଅବଦାନକୁ ନେଇ ବିଶେଷ ଚର୍ଚ୍ଚା କରିଥିଲେ । ଏହି ସଭାରେ ଛତ୍ରପୁରର ସମସ୍ତ ନନକ୍ୟାଡ଼ର ଏପିପି ଯୋଗ ଦେଇ ଶ୍ରୀ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିବା ସହ ଉତ୍ତରୋତ୍ତର କାମନା କରି ସଭା ସମାପ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓକିଲ ଭୈରବୀ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ବେହେରା, ଉମାକାନ୍ତ ତ୍ରିପାଠୀ, ପ୍ରଦୀପ ପୁରୋହିତ, ଅପସାର ଜାନ ପ୍ରମୁଖ ଉପସ୍ଥିତ ରହି ସଭାକୁ ସଫଳ କରି ଶ୍ରୀ ମିଶ୍ରଙ୍କର ଉତ୍ତରୋତ୍ତର କାମନା କରିଥିଲେ । ଅନୁରୂପ ଭାବେ କୋର୍ଟ ପରିସରରେ ପ୍ରୋବେଶନର ଡ଼ିଏସପି ଦିବ୍ୟ ରଞ୍ଜନ ନାଥଙ୍କ ଅଧ୍ୟକ୍ଷତାରେ ତଥା କୋର୍ଟ ସିଏସଆଇ ସଂଜୟ ଭୁଜବଳ ଓ ଅନ୍ୟ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ଯେଉଁଥିରେ ଲେଖାଳି କୈଳାସ ସେଠୀ ଶ୍ରୀ ମିଶ୍ରଙ୍କର ପୋଲିସ ବିଭାଗ ପ୍ରତି ଥିବା ବିଶେଷ ଅବଦାନକୁ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ପରେ ଡ଼ିଏସପି. ଶ୍ରୀ ନାଥ ଶ୍ରୀ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିବା ସହ ସଭା ସମାପ୍ତ କରିଥିଲେ । ସୂଚନାଯୋଗ୍ୟ, ଆସନ୍ତା ସପ୍ତାହରେ ଶ୍ରୀ ମିଶ୍ର ଗଜପତି ଜିଲ୍ଲାରେ ଭାରପ୍ରାପ୍ତ ପବ୍ଲିକ ପ୍ରୋସେକ୍ୟୁଟର ଭାବେ ଯୋଗ ଦେବେ ।