
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରାଣବନ୍ଧୁ ହୋତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଶ୍ୱନାଥ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାମପୁର ସରପଞ୍ଚ ମନୋଜ ପୁରୋହିତ, ପଞ୍ଚସଖା ଶିକ୍ଷା ସେତୁ ସଭାପତି ଉମେଶ ପୂଜାରୀ, ଅବସର ପ୍ରାପ୍ତ ପୂର୍ବ ପ୍ରଧାନ ଶିକ୍ଷକ ଅନିରୁଦ୍ଧ ପଧାନ, କୁମୁଦ ଚରଣ ପୂଜାରୀ, ପ୍ରମୋଦ ମହାପାତ୍ର, ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଜଉଁରାଭଅଁରା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରାଧେଶ୍ୟାମ ପୁରୋହିତ, ଅବସରପ୍ରାପ୍ତ ଖେଳଶିକ୍ଷକ କୃପାସିନ୍ଧୁ ପୂଜାରୀ ସମ୍ମାନିତ ଅତିଥିଭାବେ ଯୋଗଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହୋତାଙ୍କ କୃତିତ୍ୱ ଅବତାରଣା କରିଥିଲେ । ସେ ପ୍ରାକୃତିକ ପରିବେଶର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କଠାରୁ ପ୍ରକୃତି ବନ୍ଧୁ ପୁରସ୍କାର ପାଇଥିଲେ । ସୁବର୍ଣ୍ଣପୁର ଜିଲ୍ଲା କୁ ବିଜ୍ଞାନ କ୍ଷେତ୍ରରେ ଆଗେଇ ନେବା ପାଇଁ ତାଙ୍କ ଅବଦାନ ଥିଲା ଅନନ୍ୟ । ପ୍ରଥମେ ବିଜ୍ଞାନ ଶିକ୍ଷକ ଭାବେ ତମାମୁରା ଉଚ୍ଚ ବିଦ୍ୟାଳୟରେ ଉତ୍ତମ ଶିକ୍ଷାଦାନ କରିବା ପରେ ରାମପୁର ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କରିଯାଇଥିବା ଉତ୍ତମ କାର୍ଯ୍ୟ ଶିକ୍ଷକ ସମାଜର ପଥ ପ୍ରଦର୍ଶକ ହୋଇ ରହିବ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ । ଶ୍ରୀଯୁକ୍ତ ହୋତା ନିଜ ଶିକ୍ଷକତା ଜୀବନର ବିଗତ ଦିନର କଥାର ସ୍ମୃତି ଚାରଣ କରିବା ସହ ଛାତ୍ରଛାତ୍ରୀ ଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ । ସେ ଜାତୀୟ ଶିକ୍ଷକ ବୈଜ୍ଞାନିକ ପରିଷଦର ନିର୍ଦ୍ଦେଶକ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି । ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଫୁଲତୋଡ଼ା ଓ ଉପଢୌକନ ପ୍ରଦାନ ପୂର୍ବକ ଆଶୀର୍ବାଦ ନେଇଥିଲେ । ଛାତ୍ରଛାତ୍ରୀମାନେ ସଭା ପ୍ରାରମ୍ଭରେ ସ୍ୱାଗତ ସଂଗୀତ ଓ ଶେଷରେ ବିଦାୟ ସଂଗୀତ ଗାଇ ନିଜର ଗୁରୁଭକ୍ତି ପ୍ରଦର୍ଶନ କରିଥିଲେ । ଶିକ୍ଷକ ବିଶ୍ୱସମ୍ରାଟ ଭୋଇ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ବିଦ୍ୟୁତପ୍ରଭା ପୂଜାରୀ ମାନପତ୍ର ପଠନ କରିଥିଲେ । ସ୍ଥାନୀୟ ସିଆରସିସି ପ୍ରଦୀପ୍ତକିଶୋର ଦାଶ, ଶିକ୍ଷକ ସ୍ୱାଧୀନ ବିଶାଳ, ବିଶ୍ଵାମିତ୍ର ଭୁଏ, ର୍ସ୍ୟୂନାରାୟଣ ପଟ୍ଟନାୟକ, ହୃଦୟନାଥ ମେହେର, ମନବୋଧ ମୁଖି, ଶିକ୍ଷୟିତ୍ରୀ ଇତିଶ୍ରୀ ପାଣ୍ଡେ, ମାମିନା ସାହୁ, ଅବିଭାବକ, ଓ ରାମପୁର ଅଂଚଳର ଜନସାଧାରଣ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ବଳଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।