
ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଢା ବ୍ଳକ ଧୁମାଭଟା ପଞ୍ଚାୟତ ଜଲିଆ ଗାଁରେ ଗୁରୁବାର ବିଳମ୍ବିତ ରାତ୍ରିରେ ଗାଁର ଜନୈକ ଯୁବକଙ୍କ ପରିବାର ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଉକ୍ତ ହାତୀ ପଲ ତାଙ୍କ ଘର ଦ୍ଵାର ଭାଙ୍ଗିବା ସହ ଆବାସ ପତ୍ର ନଷ୍ଟ କରିଦେଇଥିବା ଦେଖିବାକୁ ମିଳିଛି । କ୍ଷତିଗ୍ରସ୍ତ ହୋଇଥିବା ପରିବାର ହେଲେ ଉକ୍ତ ଗାଁର ଟିକେଟା ବରିହା । ସୂଚନା ମୁତାବକ, ଟିକେଟା ତାଙ୍କ ସ୍ତ୍ରୀ ପୁଅ ବୋହୂ, ନାତି ନାତୁଣୀ ଏପରି ୭ ଜଣ ତାଙ୍କ ପରିବାର ସଦସ୍ୟଙ୍କ ସହ ଶୋଇଥିଲେ । ରାତି ପାଖାପାଖି ୧୨ଟା ସମୟ ବେଳକୁ ହାତୀମାନେ ଗର୍ଜନ କରୁଥିବା ସେ ଶୁଣିବାକୁ ପାଇଥିଲେ । ଭୟଭୀତ ହୋଇ ନିଜେ ଉଠିବା ସହ ପରବାର ବର୍ଗଙ୍କୁ ମଧ୍ୟ ଉଠାଇ ଦେଇଥିଲେ । ଦେଖୁଦେଖୁ ୧୩ ଟିକିଆ ହାତୀ ପଲ ତାଙ୍କ ଘର ସମ୍ମୁଖକୁ ଆସିବାକୁ ଲାଗିଥିଲେ । ଜୀବନ ବଞ୍ଚାଇବାକୁ ଯାଇ ଭୟରେ ଯିଏ ଯୁଆଡେ ଦୌଡ଼ି ପଳାଇଥିଲେ । ଦେଖୁଦେଖୁ ହାତୀମାନେ ତାଙ୍କ ଘର ଦ୍ଵାର ଭାଙ୍ଗିବା ସହ ଘରେ ଥିବା ଆଠ ପ୍ୟାକେଟ୍ ଚାଉଳ, ଦୈନନ୍ଦିନ ବ୍ୟବହାର କରୁଥିବା କପଡ଼ା ଏବଂ ଅନ୍ୟାନ୍ୟ ଆବଶ୍ୟକ କାଗଜପତ୍ର ଘରୁ ଟାଣି ଆଣି ଫୋପାଡି ଦେଇଥିଲେ । ଖବର ପାଇ ରାତ୍ରି ସମୟରେ ସମାଜସେବୀ ସିପୁନ ଖମାରୀ କ୍ଷତିଗ୍ରସ୍ତ ପରିବାରଙ୍କ ପାଖରେ ପହଞ୍ଚିଲେ । ଘଟଣା ସଂପର୍କରେ ସେ ବଲାଙ୍ଗିର ବନବିଭାଗ ଡିଏଫଓ, ପାଟଣାଗଡ଼ ରେଞ୍ଜର, ଟିକିରାପଡା ଫରେଷ୍ଟରଙ୍କୁ ଅବଗତ କରାଇଥିଲେ । ସକାଳେ ବନବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇଦେବାର ପ୍ରତିଶ୍ରୁତି ଦେବା ସହ କ୍ଷତିଗ୍ରସ୍ତ ଘର ପାଖରେ ଥିବା ଆଉ ଦୁଇ ପରିବାରକୁ ଗାଁ ଭିତରକୁ ଯିବା ପାଇଁ ସତର୍କ କରାଇଥିଲେ । ଖବର ଲେଖା ହେବା ପର୍ଯ୍ୟନ୍ତ ରାଜସ୍ୱ ବିଭାଗ ତରଫରୁ କ୍ଷତିଗ୍ରସ୍ତ ପରିବାରଙ୍କୁ ଏକ ପଲିଥିନ ଏବଂ ବ୍ଳକ ପ୍ରଶାସନ ତରଫରୁ ଏକ ପ୍ୟାକେଟ ଚାଉଳ ଯୋଗାଇଦେଇ ଥିବା ଜଣାପଡିଛି । ତେବେ ଏହି ୧୩ ଟିକିଆ ହାତୀ ପଲ ଗାଁ ନିକଟରେ ଥିବା କିରିବାଞ୍ଜି ଜଙ୍ଗଲ ଭିତରେ ଘୁରି ବୁଲୁଥିଲେ । ଦୁଇ ଦିନ ହେଲା ବନ କର୍ମଚାରୀମାନେ ଘୋଉଡାଇବା ପାଇଁ ଚେଷ୍ଟା ଜାରି ରଖିଥିବାବେଳେ ଗୁରୁବାର ହଠାତ ବିଳମ୍ବିତ ରାତ୍ରିରେ ଏହି ହାତୀ ପଲ ଗାଁ ମୁହାଁ ହୋଇ ଟିକେଟାଙ୍କ ଘରଦ୍ଵାର ଭାଙ୍ଗିଦେଇଥିବା ନେଇ ରେଞ୍ଜର ଆନନ୍ଦ ଚନ୍ଦ୍ର ବିଶିଙ୍କ ଠାରୁ ଜଣାପଡିଛି ।