
ବରଗଡ : ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ହତ୍ୟା । ବରଗଡ଼ ଜିଲ୍ଲା ଭଟଲି ଥାନା ତରାଜୁଙ୍ଗା ଗାଁରେ ଏଭଳି ଘଟଣା ଘଟିଛି । ଭଟଲି ପୋଲିସ ଏହି ଘଟଣାରେ ପତ୍ନୀ ସମେତ ଶାଶୁ, ଶ୍ୱଶୁରକୁ ଗିରଫ କରି କୋର୍ଟ ଚାଲାଣ କରି ମାମଲାର ତଦନ୍ତ ଜାରି ରଖିଛି । ଛତିଶଗଡ଼ ରାଜ୍ୟର ଉସରତ୍ ଗାଁର ଭାନୁ ଚୌହାନ ତରାଜୁଙ୍ଗା ଗାଁର ଗଜାନନ କଳିୟାରୀଙ୍କ ଝିଅ ସୁନିତାଙ୍କୁ ବିବାହ କରିଥିଲେ । ସୁନିତା ବର୍ଷେ ହେବ ନିଜ ମା’-ବାପାଙ୍କ ସହ ରହୁଥିବା ବେଳେ ଗତ ୨୫ ତାରିଖ ସ୍ୱାମୀ ଭାନୁ ନେବାକୁ ପହଁଚିଥିଲେ । ଯାହାକୁ ନେଇ ସ୍ଵାମୀ-ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ହେବା ସହ ପତ୍ନୀଙ୍କ ସହ ଶାଶୁ-ଶ୍ୱଶୁର ମିଶି ଭାନୁଙ୍କୁ ଠେଙ୍ଗାବାଡ଼ି ସାହାଯ୍ୟରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଶାଶୁ, ଶ୍ୱଶୁର ଓ ପତ୍ନୀ ସୁନିତା ଭାନୁଙ୍କୁ ମାଡ଼ ମାରିବା ସହ ଘରେ ବନ୍ଦ କରି ଦେଇଥିଲେ । ପରେ ପୋଲିସ ଗ୍ରାମବାସୀଙ୍କ ସହାୟତାରେ ବନ୍ଦ ଘରୁ ଭାନୁଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ ପରେ ବୁର୍ଲା ବଡ଼ ମେଡ଼ିକାଲକୁ ପଠାଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଭାନୁଙ୍କ ମୃତ୍ୟୁ ଘଟିଥିଲା ।