
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ଓଡିଶା ବିଧାନ ସଭା ଗୃହ କମିଟି (ଉପସ୍ଥାପନା) ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଗତିସ୍ଥିତି ଅନୁଧ୍ୟାନ କରିବା ସହ ବିଭିନ୍ନ ଯୋଜନା କାର୍ଯ୍ୟନ୍ୱୟନର ସମୀକ୍ଷା କରିଛନ୍ତି । ବିଧାନ ସଭା ଗୃହ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣ ବାଗଙ୍କ ନେତୃତ୍ୱରେ ଆସିଥିବା ୭ଜଣିଆ କମିଟି ଜିଲ୍ଲାର ସୋନପୁର ବ୍ଲକ ଅନ୍ତର୍ଗତ କଳାପଥର ଗ୍ରାମପଂଚାୟତ ଠାରେ ଜାତୀୟ ଖାଦ୍ୟ ବଣ୍ଟନ ବ୍ୟବସ୍ଥା, ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମୁଣ୍ଡୋଘାଟ ସ୍ଥିତ ଅଙ୍ଗନବାଡି କେନ୍ଦ୍ର, ପରମେଶ୍ୱରୀ ଉଚ୍ଚ ବିଦ୍ୟାଳୟ ବିଶିପଡା, ସେବା ସମବାୟ ସମିତି, ଧାନମଣ୍ଡି କ୍ରୟକେନ୍ଦ୍ର ବିଶିପଡା ସହ କୋଟସମଲାଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ର ପର୍ଯ୍ୟଟନ ସ୍ଥଳୀର କ୍ଷେତ୍ର ପରିଦର୍ଶନ ସହ ହିତାଧିକାରୀ ତଥା ସ୍ଥାନୀୟ ଜନସାଧାରଣଙ୍କ ସହିତ ଯୋଜନାର ବ୍ୟବସ୍ଥିତ ଉପଲବ୍ଧତା ଉପରେ ଆବଶ୍ୟକ ମତବିନିମୟ କରିଛନ୍ତି । ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନର ବିଭାଗୀୟ ଅଧିକାରୀଙ୍କ ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାରେ ଚାଲିଥିବା ଜନ କଲ୍ୟାଣକାରୀ ଯୋଜନାର ସ୍ଥିତି ଓ ଅଗ୍ରଗତି ଉପରେ ଗୃହ କମିଟିର ସଦସ୍ୟ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ, ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ପ୍ରମୁଖ ଆଲୋଚନାରେ କୃଷି ଓ କୃଷକଙ୍କ ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ତଥା ବୈଷୟିକ କୃଷିକୁ ଲୋକାଭିମୁଖୀ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ତଦ ସହିତ ଅଧାପନ୍ତରିଆ ପ୍ରକଳ୍ପଗୁଡିକର ତ୍ୱରିତ କାର୍ଯ୍ୟ ସମ୍ପାଦନ ପାଇଁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ।