ବରଗାଁ ହାଇସ୍କୁଲରେ ଯୁକ୍ତ ଦୁଇ ଶିକ୍ଷା ପାଇଁ ଦାବୀ ଜଣାଇଲା ବିଜୁ ଛାତ୍ର ଜନତା ଦଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବରଗାଁ ସରକାରୀ ହାଇସ୍କୁଲର ଉନ୍ନତିକରଣ କରାଯାଇ ସେଠାରେ ଯୁକ୍ତ ଦୁଇ ଶିକ୍ଷା ଆରମ୍ଭ କରିବା ପାଇଁ ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀଙ୍କୁ ଆଜି ଦାବୀ ଜଣାଇଛି ବିଜୁ ଛାତ୍ର ଜନତା ଦଳ । ମନ୍ତ୍ରୀ ସମୀର ଦାଶ ଗଣତନ୍ତ୍ର ଦିବସ ସମାରୋହରେ ଯୋଗଦେବା ପାଇଁ ବଲାଙ୍ଗିର ଆସିଥିଲେ । ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଂପାଦକ ସୁମନ କୁମାର ନନ୍ଦଙ୍କ ନେତୃତ୍ୱରେ ଏକ ଦଳ ଗଣଶିକ୍ଷା ମନ୍ତ୍ରୀଙ୍କୁ ଦେଖାକରି ଏ ସଂକ୍ରନ୍ତରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଦାବୀପତ୍ରରେ ବୈଦିପାଲି ଗ୍ରାମ ପଞ୍ଚାୟତର ଶିକ୍ଷା ବ୍ୟବସ୍ଥାକୁ ନେଇ ଦଳ ଚିନ୍ତା ପ୍ରକଟ କରିଛି । ଏହି ଅଂଚଳରେ ମୁଖ୍ୟତଃ ଗରିବ ପଛୁଆ ବର୍ଗର ଲୋକ ବସବାସ କରୁଥିବା ବେଳେ ଶିକ୍ଷାର ଅଭାବ ସେମାନଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ପ୍ରତି ବର୍ଷ ଏହି ଅଂଚଳରୁ ପ୍ରାୟ ୮୦ ରୁ ୯୦ଜଣ ଛାତ୍ରଛାତ୍ରୀ ହାଇସ୍କୁଲ ପରୀକ୍ଷା ପାସ କରୁଛନ୍ତି । କିନ୍ତୁ ୨୦ କିଲୋମିଟର ଦୁରତା ମଧ୍ୟରେ କୌଣସି ଯୁକ୍ତ ଦୁଇ କଲେଜ ନଥିବାରୁ ସେମାନେ ଆଗକୁ ପଢି ପାରୁନାହାନ୍ତି । ତେଣୁ ବରଗାଁ ସ୍ଥିତ ସରକାରୀ ହାଇସ୍କୁଲର ଉନ୍ନତିକରଣ କରାଯାଇ ଏଠାରେ ଯୁକ୍ତ ଦୁଇ ପାଠ୍ୟକ୍ରମର ସୁବିଧା କରାଯାଇ ପାରିଲେ ବୈଦପାଲି, ଫୁଲଝରନ, ପରଧିଆଆପାଲି, ପ୍ରତାପରୁଦ୍ରପୁର, ବରଗାଁ, ଜନକପୁ, କର୍ଲାପିଟା ଓ ଘୁଷୁରାଡୁଙ୍ଗୁରି ଭଳି ଦଶ ଗୋଟି ଗାଁର ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପାଠ୍ୟକ୍ରମର ଲାଭ ଉଠାଇ ପାରିବେ ବୋଲି କୁହାଯାଇଛି ।

Leave A Reply

Your email address will not be published.