
- ଆଇଏସଏସ ନିର୍ମାଣ କୃଷିବିଶ୍ୱବିଦ୍ୟାଳୟ, ଇକୋଟୁରିଜମ ଦାବି ରଖିଲା ଜିଲ୍ଲା ଉନ୍ନୟନ ପରିଷଦ
ବଲାଙ୍ଗିର, (କେପିଏନ୍ଏସ୍) : ଆସନ୍ତା ଜୁନ ୧୭ ତାରିଖ ମଙ୍ଗଳବାର ଦିନ ଓଡିଶା ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସୁଛନ୍ତି । ପଥରଚେପା ପଡିଆଠାରେ ଆୟୋଜିତ କୃଷକ ଶକ୍ତି ସମାବେଶରେ ଯୋଗଦେବେ । ମୋହନ ସରକାରଙ୍କୁ ଇତି ମଧ୍ୟରେ ଏକବର୍ଷ ପୂର୍ତ୍ତି ହୋଇଛି । ଏହି ସମୟ ମଧ୍ୟରେ ବଲାଙ୍ଗିର ଜିଲ୍ଲାର କିଛି ପ୍ରକଳ୍ପ ଅନୁମୋଦନ ଲାଭ କରିଛି । କିନ୍ତୁ ଅନେକଗୁଡିଏ ପ୍ରମୁଖ ସମସ୍ୟା ପଡିରହିଛି । ସେଗୁଡିକ ଉପରେ ମୁଖ୍ୟମନ୍ତ୍ରୀ ଦୃଷ୍ଟିଦେଇ ସମାଧାନ କରାଇବାକୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଦାବି ଉପସ୍ଥାପନ କରିଛି ଜିଲ୍ଲା ଉନ୍ନୟନ ପରିଷଦ । ଜିଲ୍ଲା ଉନ୍ନୟନ ପରିଷଦ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ସ୍ୱାଗତ କରିଥିବା ବେଳେ ସମସ୍ୟାଗୁଡିକର ନିଶ୍ଚୟ ସମାଧାନ ହେବ ବୋଲି ଆଶା ବ୍ୟକ୍ତ କରିଛି । ଉନ୍ନୟନ ପରିଷଦର ସଭାପତି ତଥା ବିଡିସିସି ବ୍ୟାଙ୍କର ପୂର୍ବତନ ସଭାପତି ଲକ୍ଷ୍ମଣକୁମାର, ସଂପାଦକ ବିଶିଷ୍ଟ ଚାଷିନେତା ଜତି ପଧାନ, କୋଷାଧ୍ୟକ୍ଷ ତଥା ଆଦିବାସୀନେତା ଗୁଣସାଗର ମାଝୀ ଜିଲ୍ଲାର ବିଭିନ୍ନ ପ୍ରକଲ୍ପ ନେଇ ଆଜି ସାମ୍ବାଦିକ ସମ୍ବିଳନୀରେ ଦାବି ଉପସ୍ଥାପନ କରିଛନ୍ତି । ଉନ୍ନୟନ ପରିଷଦ ଦାବି କରିଛି ଯେ, ବଲାଙ୍ଗିର ଜିଲ୍ଲା ହେଉଛି ଏକ କୃଷିବହୁଳ ଜିଲ୍ଲା । ଜିଲ୍ଲାର ୭୫% ଲୋକ କୃଷି ଉପରେ ନିର୍ଭରଶୀଳ । କୃଷିକାର୍ଯ୍ୟ ପାଇଁ ଚାଷଜମିକୁ ଜଳସେଚନର ଆବଶ୍ୟକତା ରହିଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ଆଜି ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାରେ ମାତ୍ର କିଛି ଅଂଶକୁ ଛାଡିଦେଲେ ନିଶ୍ଚିତ ଜଳସେଚନ ହାର ବଢିପାରିନାହିଁ । ଜିଲ୍ଲାର ଆଗଲପୁର ବ୍ଲକର କିଛିଅଂଶ ହିରାକୁଦ କେନାଲ ତଥା ଗାଈଖାଇ ଜଳସେଚନ ପ୍ରକଳ୍ପରୁ ଓ ବଙ୍ଗୋମୁଣ୍ଡା, ମୁରିବାହାଲର କିଛି ଅଂଶରେ ଲୋୟର ଇନ୍ଦ୍ର ପ୍ରକଳ୍ପରୁ ଜଳସେଚିତ ହେଉଛି । ବାକି ଅଞ୍ଚଳରେ ପ୍ରାୟତଃ ମୌସୁମୀ ବର୍ଷା କିମ୍ବା ଲଘୁଚାପଜନିତ ବର୍ଷା ଉପରେ ନିର୍ଭରଶୀଳ । ଜଳସେଚନ ଅଭାବରୁ ମରୁଡି ଯୋଗୁଁ ବଲାଙ୍ଗିର ଜିଲ୍ଲାର ଚାଷିଙ୍କ ଅର୍ଥନୈତିକ ସ୍ଥିତି ଠିକ ନାହିଁ । ବର୍ଷର ୬ମାସ ଜିଲ୍ଲାର ନଦୀନାଳ ଶୁଖିଲା ରହୁଥିବାରୁ ଜିଲ୍ଲାର ଭୂତଳ ଜଳସ୍ତର ମଧ୍ୟ କମିଚାଲିଛି । ତେଣୁ ଜିଲ୍ଲାରେ ଜଳସେଚନ ହାର ବଢାଇବାକୁ ଏକ ସ୍ୱତନ୍ତ୍ର କେନ୍ଦ୍ରିୟ ଯୋଜନା ତଥା ଅନୁଦାନର ଆବଶ୍ୟକତା ରହିଛି । ସେଥିପାଇଁ ଲୋୟରସୁକତେଲ ପ୍ରକଳ୍ପକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବା,ଏହି ପ୍ରକରେ ବିସ୍ଥାପିତ ହୋଇଥିବା ଚାଷିଙ୍କୁ ସ୍ୱତନ୍ତ୍ର ପ୍ୟାକେଜ ଦିଆଯିବାକୁ ଦାବି କରାଯାଇଛି । ବେଲପଡାଠାରେ ପ୍ରସ୍ତାବିତ ଅପରଲାନ୍ଥ ଜଳସେଚନ ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କରାଯିବା, ୨ଟି ଭୂତଳ ଜଳ ସଂରକ୍ଷଣପ୍ରକ(ଆଇଏସଏସ) ଯଥା-ସୁକତେଲର ଛତାମଖନା ଆଇଏସଏସ(୧୫୬ କୋଟି),ରାହୁଲ ନଦୀରେ ଗୁଡଭେଲାଠାରେ (୫୧ କୋଟି)ର କାମ ଶୀଘ୍ର ସଂପୂର୍ଣ୍ଣ କରାଯିବା । ଏହା ସହିତ ତେଲନଦୀରେ ପ୍ରସ୍ତାବିତ କୁକେଡମାଳ ଆଇଏସଏସ(୫୮୨କୋଟି), ଉନ୍ଦେରନଦୀରେ କୁରସୁଡ ଆଇଏସଏସ(୧୬୫କୋଟି),ପଥର୍ଲା ଆଇଏସଏସ(୧୭୫କୋଟି), ଲାନ୍ଥନଦୀରେ ତୁଷ୍ଟାପାଲି ଆଇଏସଏସ(୧୩୪କୋଟି) ଟଙ୍କାର, ଦେଓଗାଁର ସୋନଗଡ ନଦୀରେ ସିକୁଆଁଠାରେ (୪୯କୋଟି) ଓ ଅଙ୍ଗନଦୀରେ ଆଗଲପୁର ବ୍ଲକର କୁଟାସିଂହାଠାରେ (୨୪୯ କୋଟି) ହେବାକୁ ଥିବା ଆଇଏସଏସକୁ ଯଥାଶୀଘ୍ର ଅନୁଦାନଦେଇ କାମଆରମ୍ଭ କରାଇବାକୁ ଦାବି କରାଯାଇଛି । ଏହି ପ୍ରକ ନିର୍ମାଣ ହେଲେ କେବଳ ଭୂତଳ ଜଳସଂରକ୍ଷଣ ହେବ ନାହିଁ ବରଂ ଚାଷିମାନେ ଏହି ପ୍ରକଲ୍ପରୁ ଉଠାଜଳସେଚନ ପ୍ରକଳ୍ପ ଜରିଆରେ ଜମିକୁ ଜଳସେଚିତ ମଧ୍ୟ କରିପାରିବେ ବୋଲି ଲକ୍ଷ୍ଣଣ ମେହେର କହିଛନ୍ତି । କେବଳ ସେତିକି ନୁହେଁ ଏବେ ନଦୀମାନଙ୍କରେ ଜଳସ୍ରୋତ ଓ ଭୂତଳ ଜଳସ୍ତର କମିଯାଉଥିବାରୁ ଅନେକ ସ୍ଥାନରେ ଗ୍ରାମ୍ୟପାନୀୟ ଜଳପ୍ରକଳ୍ପ ମଧ୍ୟ ପ୍ରଭାବିତ ହେଉଛି । ଗ୍ରାମାଞ୍ଚଳରେ ପାଇପ ପାନୀୟଜଳ ଯୋଗାଣ ହୋଇପାରୁନାହିଁ । ଏହି ସବୁ ସମସ୍ୟାର ଏକମାତ୍ର ସମାଧାନର ରାସ୍ତା ହେଉଛି ନଦୀଗୁଡିକରେ ଜଳପ୍ରକଳ୍ପ ନିର୍ମାଣ । ତେଣୁ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗକୁ ନିଶ୍ଚୟ ଗୁରୁତ୍ୱ ଦେବେ ଓ ଏହା ସହିତ ଆଗଲପୁର ବ୍ଲକର ଗାଈଖାଇ ପ୍ରକଳ୍ପ, ଖପ୍ରାଖୋଲର ଅପରସୁକତେଲ ପ୍ରକଳ୍ପ ଓ ଟିଟିଲାଗଡର ମାଥନପଲା ପ୍ରକଳ୍ପର ଉନ୍ନତିକରଣ କରାଯାଇ ଜଳଧାରଣ କ୍ଷମତା ବଢାଯାଉ ବୋଲି ଦାବି କରାଯାଇଛି । ଠିକ ସେହିପରି ଜିଲ୍ଲାରେ କୃଷି ଓ କୃଷକଙ୍କ ବିକାଶ ପାଇଁ ଓଡିଶାର ଦ୍ୱିତୀୟ କୃଷିବିଶ୍ୱବିଦ୍ୟାଳୟ ସ୍ଥାପନ, ପ୍ରତ୍ୟେକ ବ୍ଲକରେ ଶୀତଳଭଣ୍ଡାର ନିର୍ମାଣ ସହିତ କୃଷିଭିତ୍ତିକ ଶିଳ୍ପ ଯଥା-ଦେଓଗାଁ ଚିନିକଳକୁ ପୁନଃକାର୍ଯ୍ୟକ୍ଷମ କରିବା ଓ କପାର ସୁପରିଚାଳନା ପାଇଁ ଟେକ୍ସଟାଇଲ ମିଲ ସ୍ଥାପନ କରିବାକୁ ଦାବି କରାଯାଇଛି । ବଲାଙ୍ଗିର ଜିଲ୍ଲାରେ ଦାଦନ ହେଉଛି ସବୁଠୁ ବଡସମସ୍ୟା । ରାଜ୍ୟସରକାର ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଟାକ୍ସଫୋର୍ସ ଗଠନ କରିଛନ୍ତି । କିନ୍ତୁ ତଥାପି ଦାଦନ ସମସ୍ୟାର ସମାଧାନ ହେଉନି । ଏହି ଦାଦନ ସମସ୍ୟାର ସମାଧାନ ପାଇଁ ଏକ ସ୍ଥାୟୀ ବ୍ୟବସ୍ଥା କରାଯିବାକୁ ଦାବି କରିଛନ୍ତି । ବଲାଙ୍ଗିର ଜିଲ୍ଲାରେ ବିଗତ ନବୀନ ସରକାର ଅମଳରେ ୫ଟି ବୃହତ ପାନୀୟଜଳ ପ୍ରକଳ୍ପ ଅନୁମୋଦନ ହୋଇଥିଲା । କେତେକ କମ୍ପାନୀ ଏହାକୁ ଟେଣ୍ଡରରେ ନେଇ କାମ କରୁଛନ୍ତି । “ଜଳଜୀବନ ମିଶନ ଯୋଜନାର ଚାଲିଥିବା ଏହି କାମଗୁଡିକୁ ଉଭୟ କେନ୍ଦ୍ର ଓ ରାଜ୍ୟସରକାର ୫୦-୫୦% ଅନୁଦାନ ଦେଉଥିଲେ । ଏବେ ଅନୁଦାନ ବନ୍ଦଥିବା କୁହାଯାଉଛି । ଏହାକୁ ଅନୁଦାନ ଦେଇ ପ୍ରକଳ୍ପଗୁଡିକୁ କାର୍ଯ୍ୟକ୍ଷମ କରାଯାଉ । ଠିକ ସେହିପରି ମୋହନ ସରକାର ପରିବେଶଗତ ତଥା ଜଙ୍ଗଲ,ପାହାଡର ସୁରକ୍ଷା କରିବା ସହିତ ଏହାକୁ ଇକୋଟୁରିଜମରେ ସାମିଲ କରି ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କରାଇବାକୁ ଘୋଷଣା କରିଛନ୍ତି ଯାହାକି ସ୍ୱାଗତ ଯୋଗ୍ୟ ପଦକ୍ଷେପ । ଜିଲ୍ଲାର ପର୍ଯ୍ୟଟନସ୍ଥଳି ଯଥା-ହରିଶଙ୍କର, ରାଣୀପୁର-ଝରିଆଳ, ଭୀମଡୁଙ୍ଗୁରୀ, ଚାନ୍ଦଲି, କୁମୁଡା ଓ ଗାଈଖାଇ ଇତ୍ୟାଦି ପର୍ଯ୍ୟଟନକୁ ପର୍ଯ୍ୟାପ୍ତ ଅନୁଦାନ ଦେଇ ବିକଶିତ କରିବାକୁ ଜିଲ୍ଲା ଉନ୍ନୟନ ପରିଷଦ ପକ୍ଷରୁ ଗଣମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି କରାଯାଇଛି ।